• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଫେରିଲା କଂଗ୍ରେସର ପୁରୁଣା ରୋଗ । ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଟାର୍ଗେଟ୍ ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ । ଆଉ ଏତିକି ବେଳେ ରାଜ୍ୟ କଂଗ୍ରେସ ପୁଣିଥରେ ପୁରୁଣା ରୋଗରେ ଆକ୍ରାନ୍ତ ହୋଇଛି । ଏଥର ଘର କଳି ଦେଖିବାକୁ ମିଳିଛି ଖୋଲା ମଞ୍ଚରେ । ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ପିସିସି ସଭାପତିଙ୍କୁ ଟାର୍ଗେଟ କରିବା ସହ ୯ ରୁ ୯୦ ମିଶନକୁ କଟାକ୍ଷ କରିଛନ୍ତି । 

ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନାଚକ୍ରରେ ସାଂଘାତିକ ବୟାନ ଦେଇଛନ୍ତି ଚିରଞ୍ଜୀବ । ଏବେ ଦଳରେ ନେତୃତ୍ୱ ଓ ଲଢୁଆ ମନବୃତ୍ତିର ଅଭାବ ଥିବା କଥା ବି ସାମନାକୁ ଆଣିଛନ୍ତି । ସବୁବେଳେ ଗଣମାଧ୍ୟମଠାରୁ ଦୂରରେ ରହୁଥିବା ଚିରଞ୍ଜୀବ ଆଜି ମନ ଖୋଲି ରାଜ୍ୟ କଂଗ୍ରେସ ନେତୃତ୍ୱ ଉପରେ ବର୍ଷିଛନ୍ତି । ଦଳରେ ଯୁବକଙ୍କୁ ସ୍ଥାନ ମିଳୁନି । ଜଣେ ନିର୍ବାଚନ ମଣ୍ଡଳୀରେ ସଂଗଠନ କରିବ କିନ୍ତୁ ଆଉ ଜଣେ ଟିକେଟ ପାଇବ । ପିସିସି ସଭାପତି ଯିଏ ହେବ ସେ କାହାକୁ ପଚାରିବେ ନାହିଁ । ତା ସାଙ୍ଗକୁ ଦଳରେ ୯ ବିଧାୟକ ଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିନ୍ତୁ ୨୦ ବୋଲି କହି କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତୃତ୍ୱକୁ । ଏପରିକି ଦଳ ଆସନ୍ତା ନିର୍ବାଚନରେ ୧୪୭ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇପାରିବ ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ଆଶ୍ଚର୍ଯ୍ୟର କଥା ହେଲା ଏହି ଆଲୋଚନାଚକ୍ରକୁ ଆୟୋଜିତ କରିଥିଲେ କଂଗ୍ରେସର ବିଦ୍ରୋହୀ ବିଧାୟକ ମହମ୍ମଦ ମୋକିମ୍ । ସେପଟେ ଠିକ୍ ଲୋକକୁ ଠିକ୍ ସହଯୋଗ ମିଳୁନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବୟାନ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । ଅନ୍ୟପଟେ ପିସିସି ସଭାପତି କହିଛନ୍ତି ଝାରସୁଗୁଡା ଉପନିର୍ବାଚନ ପରେ ଏନେଇ ଆଲୋଚନା କରିବି । 

ଏବେ ପ୍ରଶ୍ନ କାହିଁକି ଚିରଞ୍ଜୀବ, ବିଦ୍ରୋହୀ କଂଗ୍ରେସ ଶିବିରରେ ଯୋଗଦେଲେ ? ନିକଟରେ ପ୍ରକାଶିତ ପିସିସି କମିଟି ତାଲିକାର ସିନିୟର ଉପସଭାପତି ପଦ ନପାଇବାରୁ ଖପ୍ପା ଅଛନ୍ତି କି ଚିରଞ୍ଜୀବ ? ଜାନକୀ –ବସନ୍ତ ଲିଗାସିକୁ ନେଇ ଆଲୋଚନାଚକ୍ର ପଛର ଉଦ୍ଦେଶ୍ୟ କଣ ? ଚର୍ଚ୍ଚା ହେଉଛି ରାଜ୍ୟରେ କଂଗ୍ରେସ ଦିନକୁ ଦିନ ରସାତଳଗାମୀ ହେଉଥିବାରୁ ପୁରୁଣା କଂଗ୍ରେସିଆଙ୍କୁ ନେଇ ଅସନ୍ତୁଷ୍ଟ ଗୋଷ୍ଠୀ ଆଞ୍ଚଳିକ ଦଳ ଗଠନ କରିପାରନ୍ତି । ଯେଉଁଥିରେ କିଛି ପୁରୁଖାଙ୍କୁ ନେତୃତ୍ୱ ଆଉ ଯୁବବର୍ଗଙ୍କୁ ଗୁରୁତ୍ୱ ମିଳିବ ।

ନୂଆ କମିଟି ଗଠନ ହେବା ପରେ କଂଗ୍ରେସ ବିଧାୟକ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଆଉ ଏବେ ବରିଷ୍ଠ ନେତା ବିଦ୍ରୋହ ଆରମ୍ଭ କଲେଣି । ଏଭଳି ସ୍ଥିତିରେ ଦଳ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଘର ସଜାଡି ପାରୁଛି ନା ନାହିଁ ତାଉପରେ ନଜର ।

  • Reported by:
  • JAGDISH DAS , SOUMYA RANJAN SAHOO , NIRANJAN REDDY