• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗସ୍ତ ସମୟରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ସେନେଇ ଆଜିି ଭୁବନେଶ୍ୱରରେ ଫୁଲ ଡ୍ରେସ୍ ରିହର୍ସଲ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହେବ ବିମାନବନ୍ଦରରୁ ରାଜଭବନ । ୩୪ ପ୍ଲାଟୁନ୍ ଫୋର୍ସ ସହ ୨ ଶହ ସବ୍ଇନ୍ସପେକ୍ଟର, ୬୨ ଜଣ ଏସିପି, ୨୨ ଏଡିସିପି ରାଙ୍କର ଅଫିସର ଏବଂ ୪ ଡିସିପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ । ଆସନ୍ତାକାଲି ଓ ୧୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । କାଲି ସକାଳେ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ପରେ ସେ ସିଧା ପୁରୀ ଗସ୍ତରେ ବାହାରିବେ ।

ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି । ଫେରିବା ପରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ପରଦିନ ଅର୍ଥାତ ୧୧ ତାରିଖ ଦିନ ରାଜଧାନୀରେ ଦୁଇଟି ସ୍କୁଲ୍‌ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ସ୍କୁଲ୍‌ରେ ପିଲାଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ବ୍ୟତୀତ ଜୟଦେବ ଭବନରେ ମଧ୍ୟ ଏକ କାର୍ଯ୍ୟକ୍ରମ ରହିଛି । ଏସବୁ କାର୍ଯ୍ୟକ୍ରମ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଯେପରି ତ୍ରୁଟି ନରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ସେପଟେ ପୁରୀରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେଠାରେ ମଧ୍ୟ ଆଜି କାରକେଡ୍ ରିହର୍ସାଲ୍ କରାଯାଇଛି । ହେଲିପ୍ୟାଡରୁ ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିରରୁ ରାଜଭବନ ଯାଏଁ କାରକେଡ୍ ରିହର୍ସାଲ୍ ହୋଇଛି । ରାଷ୍ଟ୍ରପତିଙ୍କ ମନ୍ଦିର ଗସ୍ତ ସମୟ ଅନୁଯାୟୀ ସମସ୍ତ ଅଭ୍ୟାସ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ପୁରୀରେ ମୁତୟନ ରହିବେ ୨୫ ପ୍ଲାଟୁନ ଫୋର୍ସ । ସୁରକ୍ଷା ଲାଗି ଅତିରିକ୍ତ ଫୋର୍ସ ମଧ୍ୟ ରିଜର୍ଭରେ ରହିବେ । ଶହେ ଅଫିସର ମଧ୍ୟ ରହିବେ ସୁରକ୍ଷା ଦାୟିତ୍ୱରେ । ହେଲିପ୍ୟାଡ୍‌ରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସମସ୍ତ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଦିନ ୧୨ଟାରୁ ୧୨ଟା ୪୫ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି ।