• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାଧୀନ ପ୍ରାର୍ଥ ଭାବେ ରାଜେନ୍ଦ୍ର ଦାସ ନାମାଙ୍କନ ଭରିବା ପରେ ବିଜେଡ଼ି ଦୁଇଫାଳ ହୋଇଯାଇଥିବା ଚର୍ଚ୍ଚା ହେଉଛି । ଏବେ ସେ ବିଜେଡି ପାଇଁ ବଡ଼ କଣ୍ଟା ସାଜିଛନ୍ତି । ତେବେ ଦିନ ଥିଲା ରାଜେନ୍ଦ୍ର ଜଣେ ଶୃଙ୍ଖଳିତ କର୍ମୀ ରୂପରେ ଜଣାଶୁଣା ଥିଲେ । ତିହିଡ଼ିରୁ ରାଜନୀତି ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କୁ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ଧାମନଗରରୁ ପ୍ରାର୍ଥୀ କରିଥିଲା ।

ସୀମା ପୁନଃ ନିର୍ଦ୍ଧାରଣ ପରେ ଧାମନଗର ସଂରକ୍ଷିତ ହେବାରୁ ରାଜୁ ଏଠାକୁ ଆସିଥିଲେ । ସେତେବେଳେ ବିଜେପିର ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କ ସହ ଲଢ଼େଇ ହୋଇଥିଲା । ଭଲ ବ୍ୟବଧାନରେ ରାଜେନ୍ଦ୍ର ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୧୪ରେ ସେ ପୁଣି ପ୍ରାର୍ଥୀ ହେବାକୁ ଇଛା ରଖିଥିଲେ । ହେଲେ ସେତେବେଳେ ଦଳ ପକ୍ଷରୁ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରାଯାଇଥିଲା । ତେବେ ୨୦୦୯ରୁ ୨୦୧୪ ଭିତରେ ରାଜେନ୍ଦ୍ର ବିଜେପି ର ମନମୋହନ ସାମଲଙ୍କ ସଂଗଠନକୁ ପ୍ରତିହତ କରି ନିଜର ଗୋଟିଏ ବଡ଼ ଓ ମଜଭୁତ ସଂଗଠନ କରିପାରିଥିଲେ । ଏଣୁ ୨୦୧୪ ନିର୍ବାଚନରେ ରାଜେନ୍ଦ୍ରଙ୍କୁ ଟିକେଟ ନ ମିଳିବାରୁ ଶହ ଶହ ସମର୍ଥକ ଭଦ୍ରକ ବିଜେଡି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହାସହ ସେତେବେଳେ ବିଜେଡି ଜିଲ୍ଲା ସଭାପତି ଥିବା ଅର୍ଜ୍ଜୁନ ସେଠୀଙ୍କ ବାସଭବନରେ ଭଙ୍ଗାରୁଜା କରିଥିଲେ । ତେବେ ଦଳ ପକ୍ଷରୁ ତାଙ୍କୁ ବୁଝାସୁଝା କରିବାରୁ ରାଜେନ୍ଦ୍ର ନିରବ ରହିଥିଲେ । ପରେ ପୁଣି ୨୦୧୯ରେ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ହେଲେ ସେତେବେଳେ ଦଳ ଭିତରେ ଅନ୍ତଃ କନ୍ଦଳ ଓ କୁଚକ୍ରୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ଯୋଗୁଁ ରାଜେନ୍ଦ୍ର ପରାସ୍ତ ହୋଇଥିଲେ । ଅଳ୍ପ ଭୋଟ୍ ବ୍ୟବଧାନରେ ବିଷ୍ଣୁଙ୍କ ଠାରୁ ହାରି ଯାଇଥିଲେ ।

ଏବେ ଉପନିର୍ବାଚନ ହେଉଥିବାରୁ ସେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । ସଂପୂର୍ଣ୍ଣ ଧାମନଗରରେ ତାଙ୍କର ସମର୍ଥକମାନେ ମଧ୍ୟ ଆଶା ବାନ୍ଧି ବସିଥିଲେ । ହେଲେ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ୩୧ ଓ ତିହିଡ଼ି ବ୍ଲକର ୧୩ଟି ପଞ୍ଚାୟତକୁ ନେଇ ଗଠିତ । ଦୁଇ ବ୍ଲକରେ ୨୫୨ଟି ବୁଥ୍ ପୂର୍ବରୁ ସାଧାରଣ ବର୍ଗ ପାଇଁ ଥିବାବେଳେ ୨୦୦୯ରୁ ତଫସିଲଭୁକ୍ତ ଜାତିଙ୍କ ପାଇଁ ଆସନ ସଂରକ୍ଷିତ ହୋଇଛି । ପ୍ରଥମ ଥର ପାଇଁ ସଂରକ୍ଷିତ ହେବା ପରେ ୨୦୦୯ରେ ବିଜେଡି ପକ୍ଷରୁ ରାଜେନ୍ଦ୍ର ଦାସ, ବିଜେପିରୁ ବିଷ୍ଣୁ ଚରଣ ସେଠୀ ଓ କଂଗ୍ରେସରୁ ନେତ୍ରାନନ୍ଦ ମଲ୍ଲିକ ପ୍ରାର୍ଥୀ ହୋଇଥିଲେ ।

ସେତେବେଳେ ରାଜେନ୍ଦ୍ର ଦାସ ୩୮.୭୮ ପ୍ରତିଶତ ସହ ୪୮ ହଜାର ୪୨୪ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ । ସେଥର ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀ ୩୪.୮୨ ପ୍ରତିଶତ ବା ୪୩ ହଜାର ୪୮୦ ଖଣ୍ଡ ଭୋଟ୍ ପାଇଥିଲେ । ପର ନିର୍ବାଚନ ଅର୍ଥାତ ୨୦୧୪ରେ ବିଜେଡିରୁ ମୁକ୍ତିକାନ୍ତ ମଣ୍ଡଳ, ବିଜେପିର ବିଷ୍ଣୁ ଚରଣ ସେଠୀ ଓ କଂଗ୍ରେସର ହୃଦାନନ୍ଦ ସେଠୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ମୁକ୍ତିକାନ୍ତ ୪୭.୯୮ ପ୍ରତିଶତ ବା ୭୧ ହଜାର ୫୩୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ ।

ତେବେ ୨୦୧୯ରେ ପୁଣି ବିଜେଡିରୁ ରାଜେନ୍ଦ୍ର ଦାସ ପ୍ରାର୍ଥୀ ହୋଇଥିଲେ । ହେଲେ ବିଜେପିର ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କ ଠାରୁ ୪ ହଜାର ୬୨୫ ଖଣ୍ଡ ଭୋଟରେ ହାରିଥିଲେ ।