• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାନସଭା ଲଢ଼େଇ ପାଇଁ କେତେ ହେବା କଥା ସର୍ବୋଚ୍ଚ ବୟସ ସୀମା ? ବିଧାୟକ ରେସରୁ ବାଦ୍ ପଡ଼ିବା ଉଚିତ୍ କି ୬୦ ବର୍ଷରୁ ଅଧିକ ବୟସ୍କ ?

ଚର୍ଚ୍ଚାରେ ମନ୍ତ୍ରୀ ରୋହିତ ପୂଜାରୀଙ୍କ 'ଭୋଟ୍ ଲଢ଼ିବାର ବୟସ' ଥିଓରୀ । ରେଢାଖୋଲରେ ଏକ ସାଂଗଠନିକ କାର୍ଯ୍ୟକ୍ରମରେ ରୋହିତ କହିଥିଲେ ୬୦ରୁ ଅଧିକ ବର୍ଷ ବୟସ୍କ ରାଜନେତା ବିଧାନସଭା ନିର୍ବାଚନ ଲଢ଼ିବା ଉଚିତ ନୁହେଁ । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏସଂପର୍କରେ ପୁଣି ତାଙ୍କ ମତ ନେବାକୁ ଚେଷ୍ଟା କରାଯିବାରୁ ସେ କିନ୍ତୁ କଥାକୁ ବାଆଁରେଇ ଏହା କେବଳ ମୋ ନିର୍ବାଚନମଣ୍ଡଳୀ ପାଇଁ ଥିଲା ବୋଲି କହିଛନ୍ତି । ହେଲେ ନିଜ ନିର୍ବାଚନମଣ୍ଡଳୀରେ ଏ ମନ୍ତବ୍ୟ ମାଧ୍ୟମରେ ରୋହିତ ବିଜେଡିର କେଉଁ ନେତାଙ୍କୁ ଇଙ୍ଗିତ କରିଛନ୍ତି ତାକୁ ନେଇ ଜୋର୍ ଧରିଛି ରାଜନୀତି ।

ଅଧିକ ପଢ଼ନ୍ତୁ: କାହିଁକି 'ମୋ ଘର' ଯୋଜନା ଆଣିଲେ ରାଜ୍ୟ ସରକାର ?

ନିକଟରେ ନିଜ ନିର୍ବାଚନ ମଣ୍ଡଳୀ ରେଢାଖୋଲରେ ଏକ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେଇ ରୋହିତ କହିଥିଲେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନିର୍ବାଚନ ଲଢ଼ିବା କଥା ନୁହେଁ । ତାର କାରଣ କହିବାକୁ ଯାଇ ରୋହିତ ଏହା ବି କହିଥିଲେ, ବୟସ୍କ ରାଜନେତାଙ୍କ ପକ୍ଷରେ ସକ୍ରିୟ ଭାବେ ନିର୍ବାଚନ ମଣ୍ଡଳୀ ବୁଲିବା ସମ୍ଭବପର ନୁହେଁ । ହେଲେ ପରେ ଏ ବୟସ ଥିଓରୀକୁ ନେଇ କିନ୍ତୁ ରୋହିତଙ୍କୁ ପଚରାଯିବାରୁ ସେ କିନ୍ତୁ କଥା ବାଆଁରେଇବାକୁ ଉଦ୍ୟମ କରିଛନ୍ତି । କହିଛନ୍ତି ଏକଥା ମୁଁ ମୋ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କହିଛି ।

ହେଲେ ଏଠି ପ୍ରଶ୍ନ ନିଜ ନିର୍ବାଚନମଣ୍ଡଳୀରେ କାହାକୁ ଇଙ୍ଗିତ କରି ରୋହିତଙ୍କ ଏ 'ଭୋଟ୍ ଲଢ଼ିବାର ବୟସ ଥିଓରୀ' ? କାରଣ ୨୦୦୯ରୁ ୨୦୧୪ରେ ଏଇ ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ । ଆଗାମୀ ନିର୍ବାଚନରେ ସେ ପୁଣି ରେଢାଖୋଲରୁ ପ୍ରାର୍ଥୀ ହେଉଥିବା ଚର୍ଚ୍ଚା ହେଉଛି । ଏହା ଭିତରେ ପ୍ରସନ୍ନ ବି ରେଢାଖୋଲରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆସିଛି ରୋହିତଙ୍କ ବୟସ ଥିଓରୀ ।

ହେଲେ ଏନେଇ ପ୍ରସନ୍ନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲା ବେଳେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଭୋଟ ଲଢ଼ିବାକୁ ୬୦-୭୦ ବୟସ କଥା କିଛି ନୁହେଁ, ମନୋବଳ ଠିକ୍ ଥିଲେ ସବୁ ଠିକ୍ ।

ଏପଟେ ବିଜେଡି କଥା ଦେଖିଲେ, ଦଳରେ ଅନେକ ବିଧାୟକଙ୍କ ବୟସ ୬୦ରୁ ଅଧିକ । ଏମିତିକି ଗତ ନିର୍ବାଚନ ସମୟରେ ବୟସାଧିକ୍ୟ କାରଣରୁ ବରିଷ୍ଠ ନେତାମାନେ ନିଜକୁ ଭୋଟ୍ ରାଜନୀତିରୁ ଓହରାଇ ଆଣି ନିଜ ପୁଅ-ଝିଅମାନଙ୍କୁ ବାଟ ଛାଡ଼ିଛନ୍ତି । ଆଗାମୀ ନିର୍ବାଚନରେ ମଧ୍ୟ ବହୁ ବରିଷ୍ଠଙ୍କୁ ବାଦ ଦେଇ ସେମାନଙ୍କ ପୁଅ-ଝିଅଙ୍କୁ ଟିକେଟ୍ ଦେବା ଚକ୍କରରେ ଅଛି ବିଜେଡି । କାରଣ କୁହାଯାଉଛି ବିଜେଡିରେ ଏବେ ଚାଲିଛି ନୂଆ ଜେନେରେସନ୍ ରାଜନୀତି, ରୁପାନ୍ତରୀକରଣର ଯୁଗ । ତେଣୁ ଛିଡୁଛି ବରିଷ୍ଠଙ୍କ ପାୱାର, ବଢୁଛି ଯୁବାଙ୍କ ଦବଦବା । ହେଲେ ଦଳରେ ଆରମ୍ଭ ହୋଇଥିବା ଏ ଦ୍ବିତୀୟ ଓ ତୃତୀୟ ପୀଢ଼ୀର ପଲିଟିକ୍ସ ୨୪ ମହାଲଢ଼େଇରେ ଦଳକୁ କେତେ ଫାଇଦା ଦେବ, ତା ଉପରେ ନଜର ।

  • Reported by:
  • SANJAY JENA , HARIHARA CHAND , KAPILENDRA PRADHAN , RAMAKANTA MAHANANDA