• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଦ୍ମପୁର ପାଇଁ ଆରମ୍ଭ ହେଲାଣି କସରତ । ନେତାଙ୍କୁ ବଣ୍ଟାଗଲାଣି ଦାୟିତ୍ୱ । ଧାମନଗର ଜୋସ୍‌ରେ ପଦ୍ମପୁରରେ ବି ପଦ୍ମ ଫୁଟାଇବା ପାଇଁ ବିଜେପି ର ଲକ୍ଷ୍ୟ । ଏପଟେ ଧାମନଗର ଧକ୍କାର ବଦଲା ପଦ୍ମପୁରରେ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।

ଧାମନଗର ଠାରୁ ବଡ ଷ୍ଟ୍ରାଟେଜିରେ ବିଜେପି ପଦ୍ମପୁର ଉପନିର୍ବାଚନ କୁ ଓହ୍ଲାଇବାକୁ ଯୋଜନା କରିଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି । କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନିଲ ବଂଶଲ ଦାୟିତ୍ୱ ନେବା ପରେ ଦଳ ପ୍ରଥମ ଥର ପାଇଁ ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛି । ତେଣୁ ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।

ସେପଟେ ଧାମନଗରରୁ ଝଟ୍‌କା ଖାଇ କନ୍‌ଫିଡେନ୍ସ କମିବା ପରେ ଯୁବ ବ୍ରିଗେଡ୍‌ ବଦଳରେ ବରିଷ୍ଠଙ୍କୁ ଆଗକୁ ଆଣିବାକୁ ନିଷ୍ପତ୍ତି କରିଛି ବିଜେଡି । ପ୍ରଚାର ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି ଉପସଭାପତି ପ୍ରସନ୍ନ ଆଚର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ । ଏହା ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର ବ୍ଲକ, ନବ ଦାସଙ୍କୁ ପାଇକମାଳ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ଝାରବନ୍ଧ ବ୍ଳକ୍ ଦାୟିତ୍ୱ ଦିଆଯାଇଛି । ତାଛଡ଼ା ବିଭିନ୍ନ ଜୋନ୍ ଦାୟିତ୍ୱରେ ପଶ୍ଚିମ ଓଡିଶାର ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କୁ ଆଗରେ ରଖି ସଂଗଠନରେ ପକଡ଼ ରଖୁଥିବା ନେତାଙ୍କୁ ମଧ୍ୟ ଦାୟିତ୍ୱ ଦେଇପାରେ ।

ଏପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ପାଇଁ ୪ ନାଁ ବାଛି ଏଆଇସିସିକୁ ପଠାଇଥିବା ବେଳେ ନିର୍ବାଚନ ପରିଚାଳନାରେ ବିଧାୟକ ଏବଂ ପଶ୍ଚିମ ଓଡିଶାର ନେତାମାନଙ୍କୁ ଆଗରେ ରଖିବ ବୋଲି ପ୍ଲାନ ପ୍ରସ୍ତୁତ କରିଛି ।

ଅନ୍ୟପଟେ ନେତାମାନେ ମଇଦାନକୁ ଓହ୍ଲାଇବା ପୂର୍ବରୁ ଭୋଟରଙ୍କ ପାଖରେ ମାଳ ମାଳ ପ୍ରସଙ୍ଗ । ମୁଖ୍ୟ ମୁଦ୍ଦା ଚାଷ ଓ ଚାଷୀଙ୍କ ସମସ୍ୟା । ଜଳସେଚନର ଅଭାବରୁ ମାତ୍ର ଚାରି ମାସ ଚାଷ ଆଉ ସେତିକି ବିକି ଚାଷୀ ମୂଲ୍ୟ ପାଇବାରେ ବି ସମସ୍ୟା । ବିଳମ୍ବରେ ମଣ୍ଡି ଖୋଲୁଥିବାରୁ, ଏଠି ଅଭାବି ବିକ୍ରୀ ଚାଷୀଙ୍କ ବଡ଼ ସମସ୍ୟା । ପୁଣି ଗତ ବର୍ଷ ମରୁଡି ହୋଇଥିଲେ ବି ବୀମାରାଶି ପାଇନାହାନ୍ତି ଚାଷୀ । ଏମିତି ସ୍ଥିତି ପାଇଁ ଏଠି ପ୍ରତିବର୍ଷ ଦାଦନ ଖଟି ଯାଆନ୍ତି ଅନେକ । ତେଣୁ ଆଉ ଏକ ମୁଖ୍ୟ ମୁଦ୍ଦା ହେଲା ଦାଦନ ଦୁଃଖ । ଏହା ବାଦ ପଦ୍ମପୁରକୁ ଜିଲ୍ଳା ମାନ୍ୟତା ଦାବି ଏବେ ମୁଣ୍ଡ ଟେକିଛି ।