Advertisment

ଛାତ୍ର ଜୀବନରୁ ପଡିଥିଲା ରାଜନୀତିର ମୂଳଦୁଆ; ବିଜୁବାବୁ ସାଜିଥିଲେ ଭାଗ୍ୟ

ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ଥିଲା ବେଶ ସଫଳତା। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ତାଙ୍କ ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ କରିଥିଲା ପ୍ରଭାବିତ। ଆଉ ତା’ ପରେ…

author-image
Pramod Behera
ଅଦ୍ୟତନ ହୋଇଛି
Political Career of Bikram Keshari Arukha

Political career of bikram keshari arukha

ରାଜ୍ୟ ରାଜନୀତିରୁ ବଡ ଝଟକା। ଖବର ଆସିଛି। ସମସ୍ତଙ୍କୁ ଚକିତ କରି ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ।ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ଇଚ୍ଛାରେ ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ସେ ନିଜର ଇସ୍ତଫା ପତ୍ର ମାନ୍ୟବର ଉପ-ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି।

Advertisment

ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ତାଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିକ୍ରମ କେଶରୀ ଆରୁଖ ତାଙ୍କର ଇସ୍ତଫା ପତ୍ର ବିଧାନସଭାର ଉପ-ବାଚସ୍ପତିଙ୍କୁ ପଠାଇ ଦେଇଥିବା କହିଛନ୍ତି। ଏଥି ସହିତ

ଆଗାମୀ ଦିନରେ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଳ ଯେଉଁ ଦାୟିତ୍ୱ ପ୍ରଦାନ କରିବେ ସେ ତାହା କରିବେ ବୋଲି କହିଛନ୍ତି। ଏକ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଚସ୍ପତି ଦାୟିତ୍ୱ ପ୍ରଦାନ କରିଥିବା ସେ କହିଛନ୍ତି।

Advertisment

ଜନ୍ମ:

ବିକ୍ରମ କେଶରୀ ଆରୁଖ ୧୯୬୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଅଗଝୋଳ ଗ୍ରାମରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାମ ବଳଭଦ୍ର ଆରୁଖ ଓ ପତ୍ନୀଙ୍କ ନାମ ଜୟ ଲକ୍ଷ୍ମୀ ଆରୁଖ।

ରାଜନୈତିକ ଜୀବନ:

ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୀତିରେ ପାଦ ଦେଇଥିଲେ। ତାଙ୍କ ରାଜନୀତିର ମୂଳଦୁଆ କଲେଜ ଜୀବନରୁ ଆରମ୍ଭ ହୋଇଥିଲା। ବିକ୍ରମ ଆରୁଖ ୧୯୮୨ ମସିହାରେ ଭଞ୍ଜନଗର କେଏସ୍‌ୟୁବି କଲେଜ ଛାତ୍ର ସଂସଦରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।।

ଏହା ପରେ ସେ ବ୍ରହ୍ମପୁର ବିଶ୍ଵଦ୍ୟାଳୟର ଛାତ୍ର ସଂସଦର ଉପସଭାପତି ଭାବେ ନିର୍ବାଚିତ ହୋଇ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜୁବାବୁଙ୍କ ନିକଟତର ହୋଇପାରିଥିଲେ।

ଆରୁଖଙ୍କ ସାଂଗଠନିକ ଦକ୍ଷତାରେ ପ୍ରଭାବିତ ହୋଇଥିଲେ ବିଜୁ ବାବୁ। ଏନେଇ ସେ ୧୯୯୫ରେ ପ୍ରଥମ ଥର ପାଇଁ ତାଙ୍କୁ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ କରିଥିଲେ। ବିଜୁବାବୁଙ୍କ ଭରସା ଜିତି ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବିଜେଡି ଗଠନ ପରେ ୨୦୦୦ ମସିହାରେ ବିଜେଡି ଟିକେଟ୍‌ରେ ଭଞ୍ଜନଗର ବିଧାନସଭା ଆସନରୁ ବିକ୍ରମ ନିର୍ବାଚନ ଲଢ଼ିଥିଲେ ଆଉ ବିଜୟ ମଧ୍ୟ କରିଥିଲେ। ଦଳ ପ୍ରତି ତାଙ୍କର ଆନୁଗତ୍ୟ, ଲୋକପ୍ରିୟତା ଏବଂ ଲୋକସେବା ମନୋବୃତ୍ତି ଯୋଗୁଁ ୨୦୦୪ ମସିହାରେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରିଥିଲା।

ନିଜ ସାଂଗଠନିକ ଦକ୍ଷତା ଯୋଗୁଁ ସେ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଅତି ନିକଟତର ହୋଇଥିଲେ। ୨୦୦୯ ମସିହା ସାଧାରଣ ନିର୍ବାଚନରେ ମଧ୍ୟ ବିକ୍ରମ କେଶରୀ ଆରୁଖ ବିଜେଡି ଟିକେଟ୍‌ରେ ଭଞ୍ଜନଗର ବିଧାନସଭା ଆସନରୁ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ତାଙ୍କୁ ପ୍ରଥମ ଥର ମନ୍ତ୍ରୀପଦ ମିଳିଥିଲା।

ଗ୍ରାମ୍ୟ ଉନ୍ନୟନ ଓ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇଥିଲେ ବିକ୍ରମ। ଏହି ଦାୟିତ୍ୱକୁ ମଧ୍ୟ ସୂଚାରୁ ରୂପେ ତୁଲାଇଥିଲେ। ଏହା ପରଠାରୁ ବିକ୍ରମ କେଶରୀ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ସମ୍ଭାଳିଛନ୍ତି।

ବାଚସ୍ପତି ଭାବେ ଦାୟିତ୍ୱ:

୨୦୨୨ରେ ତାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଥିଲା। ଏହି ବର୍ଷ ଜୁନ ୪ ତାରିଖରେ ସୂର୍ୟ୍ୟନାରାୟଣ ପାତ୍ର ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ରାଜ୍ୟ ସରକାରଙ୍କ ମୋଟ ୨୦ ଜଣ ମନ୍ତ୍ରୀ ସାମୂହିକ ଭାବେ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଏଥିରେ ବିକ୍ରମ କେଶରୀ ଆରୁଖ ମଧ୍ୟ ସାମିଲ ଥିଲେ।

୨୦୨୨ ଜୁନ ୫ ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଦେଖାଦେଇଥିଲା ବଡ଼ ପରିବର୍ତ୍ତନ। ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା ଆଉ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହା ତାଙ୍କ ପାଇଁ ଭାଗ୍ୟ ବନିଯାଇଥିଲା। ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ବିକ୍ରମ କେଶରୀ ଆରୁଖ। ସେତେଠାରୁ ଆଜିଯାଏ ସେ ଏହି ଦାୟିତ୍ୱକୁ ମଧ୍ୟ ସୂଚାରୁରୂପେ ତୁଲାଇ ଆସିଥିଲେ। ହେଲେ ଆଜି କାହିଁକି ସେ ଏଥିରୁ ଓହରିଗଲେ ତାହା ସାଧାରଣରେ ଅବୁଝା ହୋଇଛି।

Bikram Keshari Arukh Odisha Politics
Advertisment
Advertisment