/odishatv-khabar/media/post_attachments/uploadimage/library/16_9/16_9_0/Covid_19_1669888961.jpg)
Covid 19
କୋଭିଡରେ ପ୍ରାଣ ହରାଇଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି । ବିଧାନସଭାରେ ଏ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। COVID-19 ମହାମାରୀରେ୨୦୨୦ରୁ ଅଦ୍ୟାବଧି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସେହିପରି ବନ୍ୟା,ବାତ୍ୟା ,ମରୁଡି ଓ ପ୍ରବଳ ବର୍ଷାରେ ୧୦ ବର୍ଷ ଭିତରେ ୨୨୭ ଜଣଙ୍କର ପ୍ରାଣହାନି ଘଟିଛି ।
ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ଜୀବନ ଯାଇଥିବା ବେଳେ ଫନିରେ ୬୪ ଓ ଫାଇଲିନରେ ୨୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ବାତ୍ୟା ଆମ୍ଫାନ, ବୁଲବୁଲ,ଗୁଲାବ ଓ ଜବାଦରେ କାହାରି ଜୀବନ ଯାଇ ନାହିଁ । ୨୦୧୨ ରୁ ଅଦ୍ୟାବଧି ହୋଇଥିବା ବନ୍ୟା,ବାତ୍ୟା ,ମରୁଡି, ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଉଛି ।
ଅଧିକ ପଢ଼ନ୍ତୁ: NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ
୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି। ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା,ବାତ୍ୟା,ମରୁଡି,ମାଟି ଅତଡା ଖସିବା, ଅଂଶୁଘାତ,ସାପ କାମୁଡା,ପାଣି ରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି ଓ ବନ୍ୟାରେ ଭାସିଯିବା ଘଟଣାରେ ୧୪ ହଜାର ୪୦୭ ଜଣଙ୍କ ଜୀବନ ଯାଇଛି ।
ତେବେ କୋଭିଡ ମୃତକଙ୍କ ସଂଖ୍ୟା ବାବଦରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉତ୍ତର ରଖିବା ପରେ କଡ଼ା ପ୍ରତିକ୍ରିୟା ରଖିଛି ବିରୋଧୀ। ସରକାର କାହିଁକି ଆଜି ପର୍ଯ୍ୟନ୍ତ ତଥ୍ୟ ଲୁଚାଇଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସରକାର ବହୁ ବିଳମ୍ବରେ ସତ କଥା କହିଥିବାରୁ ଏହା ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ମନ୍ତ୍ରୀଙ୍କ ଏହି ତଥ୍ୟ ପରେ ସରକାର ରାଜ୍ୟରେ କିଭଳି କୋଭିଡ ପରିଚାଳନା କରୁଥିଲେ ତାହା ଜଣାପଡ଼ିଯାଉଛି ବୋଲି ସାଲୁଜା କହିଛନ୍ତି। ସେହିପରି ବିଜେପି ନେତା ମୋହନ ମାଝୀ ମଧ୍ୟ ମନ୍ତ୍ରୀଙ୍କ ଏହି ତଥ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)