• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେଡିକାଲ ହେଉ କି ଗାଁ ଦାଣ୍ଡ । ଆଖି ପିଛୁଳାକେ ଗାଏବ୍ ହେଉଯାଉଛନ୍ତି ଶିଶୁ । ଯାହାର ବହୁ ଚର୍ଚ୍ଚିତ ଉଦାହରଣ ଯାଜପୁରର କୁନି ଝିଅ ପିହୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, NCRB ତଥ୍ୟ କହୁଛି, ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଲେଣି ୧୬ ହଜାର ୬ ଶହରୁ ଅଧିକ ଶିଶୁ । ତେବେ ସବୁଠୁ ବଡ଼ କଥା ହେଉଛି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଗଲା ୨୦୨୧ରେ ରାଜ୍ୟରୁ ଗାଏବ୍ ହୋଇଛନ୍ତି ୪ ହଜାର ୧୩୩ ଶିଶୁ । ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୧ ପିଲା । ବହୁ ଢୋଲପିଟା ଯୋଜନା ସତ୍ତ୍ୱେ ଆମ ଭବିଷ୍ୟତଙ୍କୁ ସୁରକ୍ଷା ଦେବାରେ ବ୍ୟବସ୍ଥାର ଏଭଳି ହୁଗୁଳାପଣ ଉଦ୍‌ବେଗ ସୃଷ୍ଟି କରିଛି ।

ଯାଜପୁର ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର କୁନିଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ, ଗତ ୨୦୨୦ ଅଗଷ୍ଟ ୯ ତାରିଖରୁ କୁଆଡ଼େ ନିଖୋଜ ହୋଇଯାଇଛି । ଏଯାଏଁ ତାର ପତ୍ତା ନାହିଁ । ଝିଅକୁ କେହି ଅପହରଣ କରି ନେଇଥିବାର ଅଭିଯୋଗ ନେଇ ମାଆ ମୋନାଲିସା ଦୁଇ ବର୍ଷ ଧରି ବ୍ୟବସ୍ଥାର ଏ ଦୁଆର ସେ ଦୁଆର ବୁଲୁଛନ୍ତି । ହେଲେ କିଛି ଲାଭ ନାହିଁ । ଶେଷରେ ଦୁଇ ବର୍ଷ ପରେ ପିହୁ ସଂପର୍କରେ ସୂଚନାଦାତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ କହି ଏବେ ପୋଷ୍ଟର ମାରିଛି ପୋଲିସ୍ ।

ଆଉ ୨୦୧୭ ମାର୍ଚ୍ଚ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ମିୁଖ୍ୟ ହସ୍ପିଟାଲ୍‌ର ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି, ରାତି ଅଧରେ କୌଶଳକ୍ରମେ ହସ୍ପିଟାଲ୍ ଭିତରୁ ଏକ ନବଜାତ ଶିଶୁକୁ କେମିତି ଜଣେ ମହିଳା ଚୋରି କରି ନେଉଛନ୍ତି । ଏହି ଘଟଣା ସ୍ପଷ୍ଟ ଦିଶୁଥିବା ସତ୍ତ୍ୱେ ଏଯାଏଁ ତାର ବି କିଛି ଖୋଜ୍‌ଖବର ନାହିଁ ।

ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଶିଶୁ ନିଖୋଜ ଘଟଣାର ଏ ଦୁଇଟି ତ କେବଳ ଉଦାହରଣ ମାତ୍ର । ହେଲେ ଏ କ୍ଷେତ୍ରରେ ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ ବା NCRBର ତଥ୍ୟ କହୁଛି ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଇଗଲେଣି ୧୬ ହଜାର ୬୫୪ ଶିଶୁ । ଆହୁରି ଉଦ୍‌ବେଗଜନକ କଥାଟି ହେଉଛି ୨୦୨୦ରୁ ୨୦୨୧, ଏଇ ବର୍ଷକ ଭିତରେ ରାଜ୍ୟରେ ଶିଶୁ ନିଖୋଜ ଘଟଣା ୪୨ ପ୍ରତିଶତ ବଢ଼ିଛି । ୨୦୨୦ରେ ରାଜ୍ୟରୁ ୨୮୯୯ ଶିଶୁ ଗାଏବ୍ ହୋଇଥିଲା ବେଳେ ପୂର୍ବର ସବୁ ରେକର୍ଡ ଭାଙ୍ଗି ୨୦୨୧ରେ ନିଖୋଜ ହୋଇଛନ୍ତି ୪ ହଜାର ୧୩୩ ଜଣ । ଅର୍ଥାତ୍ ଦିନକୁ ନିଖୋଜ ହେଉଛନ୍ତି ପାଖାପାଖି ୧୧ ଶିଶୁ ।

୨୦୨୧ର ତଥ୍ୟରୁ ଆଉ ଯେଉଁ ସାଂଘାତିକ ଦିଗଟି ସାମ୍ନାକୁ ଆସିଛି ତାହା ହେଉଛି ଏଇ ବର୍ଷ ନିଖୋଜ ଶିଶୁଙ୍କ ମଧ୍ୟରେ ୪୭୭ ଜଣ ନାବାଳକ ଥିଲା ବେଳେ ନାବାଳିକାଙ୍କ ସଂଖ୍ୟା ହେଉଛି ୩ ହଜାର ୬୫୬ ଜଣ । ହେଲେ ଏମାନେ ଯାଉଛନ୍ତି କୁଆଡ଼େ ? ସେମାନଙ୍କୁ ନେଉଛି କିଏ ? କେଉଁ ଉଦ୍ଦେଶ୍ୟରେ ନେଉଛି ? ୟା ପଛରେ ରୀତିମତ ଯୋଜନାବଦ୍ଧ ଶିଶୁ ଚାଲାଣ ରାକେଟ୍ କାମ କରୁଛି କି ? ଯେଉଁ କ୍ଷେତ୍ରରେ କିଛି ପିଲା ମିଳୁଛନ୍ତି, ସେ କ୍ଷେତ୍ରରେ ଚାଲାଣକାରୀଙ୍କ ପାଖରେ କାହିଁକି ପହଞ୍ଚି ପାରୁନିି ପୋଲିସ୍ ? ଏଭଳି ପ୍ରଶ୍ନ ଏବେ ବିଶେଷଜ୍ଞଙ୍କ ମତରେ ଉଙ୍କି ମାରୁଛି । 

ଶିଶୁଙ୍କ ପ୍ରତି ଏଭଳି ଅପରାଧ ଓ ଅଘଟଣକୁ ଏଡ଼ାଇବାକୁ ରାଜ୍ୟରେ ଅପରେସନ୍ ସ୍ମାଇଲ୍, ମୁସ୍କାନ୍ ଓ ପରୀ ଭଳି କାଗଜକଲମରେ ବହୁ କାର୍ଯ୍ୟକ୍ରମ ଚାଲିଛି । ତା ସତ୍ତ୍ୱେ ଆମ ଭବିଷ୍ୟତଙ୍କୁ ସୁରକ୍ଷା ଦେବାରେ ପୂରା ବ୍ୟବସ୍ଥାର ଏ ନିପାରିଲାପଣ ଉଦ୍‌ବେଗ ସୃଷ୍ଟି କରିଛି ।