• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଖୁବ୍ ଜୋରରେ ସେମାନେ ଭିଡ଼ୁଥିଲେ । ଭିଡ଼ିବା ପାଇଁ ବେଶ୍ ଭଲ ସୁଯୋଗ ମଧ୍ୟ ଥିଲା । କିନ୍ତୁ ଅଧାରେ ସେମାନଙ୍କର ଦୌଡ଼ି ଛିଣ୍ଡିଗଲା । ପୁଣିଥରେ ଦୌଡ଼ିକୁ ଯୋଡ଼ାଯୋଡ଼ି କରି ସେମାନେ ଭିଡ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏ ଭିଡ଼ାଭିଡ଼ି କଥା ହେଉଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ବିରୋଧୀ ବିଜୁ ଜନତା ଦଳର କଥା । ନାରୀ ନିର୍ଯାତନା ପ୍ରସଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଭିଡ଼ି ଓଟାରି ଅକଳରେ ପକାଉଥିଲେ । କିନ୍ତୁ ଏବେ… ।

ମହିଳାଙ୍କୁ ନ୍ୟାୟ ଓ ନିର୍ଯାତନା ନେଇ ଉଭୟ କଂଗ୍ରେସ ଓ ବିଜେଡ଼ି ଶାସକ ଭାରତୀୟ ଜନତା ପାର୍ଟିକୁ ଯେଉଁଭଳି ଭାବରେ ବିଗତ ୬ମାସ ଧରି ଆକ୍ରମଣ କରୁଥିଲେ, ସେଥିରେ ଏବେ ଟିକିଏ ଭଟ୍ଟା ପଡ଼ିଯାଇଛି । କାରଣ ହେଲା, ଯେତିକି ନୈତିକ ବଳ ସାଉଁଟି ସେମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ, ସେମାନଙ୍କର ଯୁବ ନେତାମାନେ ନାରୀ ନିର୍ଯାତନା ଓ ଯୈାନ ଶୋଷଣ ଅଭିଯୋଗରେ ଗିରଫ ହେବା ପରେ ସେମାନେ ଏବେ ସେତିକି ବଳ ନେଇ ସରକାରଙ୍କୁ ଘେରିବା ପାଇଁ ସମର୍ଥ ହେଉନାହାନ୍ତି । ଅପରପକ୍ଷରେ ସରକାରୀ ଦଳ ଏବେ ପାଲଟା ଆକ୍ରମଣ କରି ବିରୋଧୀଙ୍କୁ ପୂରା ଅକଳରେ ପକାଇଦେଇଛି ।

Also Read

ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ନୀତି ଓ ନୈତିକତା ସବୁଠାରୁ ବଡ଼ ଶକ୍ତି । ଏହାକୁ ଆଧାର କରି ସେମାନେ ପ୍ରତିପକ୍ଷକୁ କ୍ଷତାକ୍ତ କରିବାକୁ ଚାହିଁଥାନ୍ତି । ନିର୍ବାଚନ ପୂର୍ବ ଠାରୁ ଆରମ୍ଭ କରି ପର ପର୍ଯ୍ୟନ୍ତ ଏହି ଶକ୍ତି ନିରନ୍ତର ଭାବରେ ଦଳକୁ ଲଢିବା ପାଇଁ ସାହାଯ୍ୟ କରିଥାଏ । ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଓ ବିଜୁ ଜନତା ଦଳର ଯୁବ ନେତା ଅମରେଶ ଜେନା ଓରଫ ବାଇଁଆଙ୍କ ଗିରଫ ପରେ ଉଭୟ ଦଳ ଏବେ ଏହି ଶକ୍ତି ହରାଇ ବସିଛନ୍ତି ।

ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ଦଳର ରାଜ୍ୟ ମୁଖିଆ ହେବା ପରେ ଦଳକୁ ବେଶ୍ ଗତିଶୀଳ କରାଇଥିଲେ । ‘ମହିଳାଙ୍କୁ ନ୍ୟାୟ’ ପ୍ରସଙ୍ଗରେ ଦୁଇଦୁଇ ଥର ବଡ଼ ଆନ୍ଦୋଳନ କରି ଦଳର କର୍ମୀ ଓ ନେତାମାନଙ୍କୁ ବେଶ୍ ସକ୍ରିୟ କରିପାରିଥିଲେ । ଏବେ ପୁଣିଥରେ ତାଙ୍କର କୌଶଳକୁ ପୁନଃ ନିର୍ଦ୍ଧାରଣ କରିବାରକୁ ପଡ଼ିବ । କିଭଳି ଦଳ ପୁଣିଥରେ ପୁରୁଣା ଲୟ ଫେରିପାଇବ ସେ ନେଇ ତାଙ୍କୁ ଚିନ୍ତା କରିବା ପାଇଁ ପଡ଼ିବ । ନାରୀ ନିର୍ଯାତନା ଓଡ଼ିଶାରେ ଢେର୍ ବଢିଛି ବୋଲି ଭକ୍ତ ଅଭିଯୋଗ କରିବା ସହିତ ଏ ନେଇ ରାଜ୍ୟ ସରକାର ବେଶ୍ ଜନ ଅସନ୍ତୋଷର ଶିକାର ହୋଇଛନ୍ତି ବୋଲି ମତ ରଖିଥିଲେ । ସେତିକି ନୁହେଁ, ଏଭଳି ପରିସ୍ଥିତିରେ ମୋହନ ମାଝୀ ସରକାର କ୍ଷମତାରେ ରହିବାର ନୈତିକତା ହରାଇଛନ୍ତି ବୋଲି କହିବା ସହିତ କଂଗ୍ରେସ ବିଧାନସଭାରେ ଏ ନେଇ ଅନସ୍ଥା ପ୍ରସ୍ତାବ ଆଣିବ ବୋଲି ସେ ଘୋଷଣା କରିଛନ୍ତି । ଏହାଛଡ଼ା ଏହି ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ସମର୍ଥନ କରୁ ବୋଲି ସେ ଆହ୍ୱାନ କରିଛନ୍ତି ।

ଭକ୍ତଙ୍କ ଆହ୍ୱାନକୁ ବିଜୁ ଜନତା ଦଳ ପ୍ରକାରନ୍ତରେ ପ୍ରତ୍ୟାଖ୍ୟାନ କରିଛି ବୋଲି କୁହାଯାଇପାରେ । ବିଜୁ ଜନତା ଦଳର ପ୍ରତ୍ୟାଖାନ ପ୍ରକ୍ରିୟା ବେଶ୍ ସ୍ୱାଭାବିକ । ବିଧାନସଭାରେ ଅଧିକ ସଂଖ୍ୟକ ସଦସ୍ୟ ଥିବା ଏକ ଦଳ କେବେ ଏକ କମ୍ ସଦସ୍ୟ ଥିବା ଦଳର ଆହ୍ୱାନକୁ ଗ୍ରହଣ କରିବା ଆତ୍ମଘାତୀ ହେବ । ବିଜୁ ଜନତା ଦଳ ନେତାମାନେ ଭଲ ଭାବରେ ଜାଣିଛନ୍ତି ଯେ ସେମାନେ ଏ ନେଇ ନିଜସ୍ୱ ଷ୍ଟ୍ରାଟେଜି ବା କୌଶଳରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇପାରିବେ ।

ରାଜଧାନୀ ଭୁବନେଶ୍ୱରରେ କର୍ପୋରେଟର ଅମରେଶ ଜେନା ବିଜୁ ଜନତା ଦଳର ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ଏକଦା ସେ ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନ ଲାଗି ଟିକେଟ୍ ପାଇଁ ବଡ଼ ଦାବିଦାର ଥିଲେ । ଅବଶ୍ୟ ଶେଷରେ ଅନନ୍ତ ନାରାୟଣ ଜେନାଙ୍କର ଜିତାପଟ ହେଲା ଏବଂ ଅମରେଶ ଏହି ରେସ୍‌ରେ ପଛରେ ପଡ଼ିଗଲେ । ଏହାସତ୍ତ୍ୱେ ବି ଦଳ ଭିତରେ ଓ ବାହାରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଥିଲା । ଦଳର ସଭାସମିତି ଲାଗି ଲୋକବଳ ଠାରୁ ଅର୍ଥବଳ ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏବେ ତାଙ୍କର ଗିରଫ ପରେ ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟରେ ସେମତି ପାରିବାର ଯୁବନେତା କମ୍ ଅଛନ୍ତି । ଏହିଭଳି ପରିସ୍ଥିତିରେ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ବ୍ୟତୀତ ରାଜରାସ୍ତାରେ ଏକ ବଡ଼ ଆନ୍ଦୋଳନ ଗଢିତୋଳିବା ଦଳ ପାଇଁ ଏକ କଠିନ ବ୍ୟାପାର ହୋଇପଡ଼ିବ । ରାଜନୀତିରେ ଲୋକମାନଙ୍କର ପ୍ରଭାବୀ ଢଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ରାଜରାସ୍ତାର ଲଢ଼େଇ ଏକ ବଡ଼ ଅସ୍ତ୍ର ।

କଂଗ୍ରେସ ଓ ବିଜେଡ଼ି ନିଜ ଖାତରେ ନିଜେ ପଡ଼ିବା ଶାସକ ବିଜେପି ପାଇଁ ଏକ ଅପ୍ରତ୍ୟାଶିତ ସୁଯୋଗ ଲାଭ ସଦୃଶ ହୋଇଛି । ଅକଳ ପରିସ୍ଥିତିରୁ ଏକ ଆକ୍ରମଣାତ୍ମକ ସ୍ଥିତିକୁ ଆସିବା ପରେ ଦଳ ବର୍ତ୍ତମାନ ଖୁବ୍ ଜୋର୍‌ରେ ଉଭୟ ଦଳ ଉପରେ ହମ୍‌ଲା କରିବା ଆରମ୍ଭ କରିଦେଇଛି । ୧୯୮୦ ଦଶକର ଛବିରାଣୀ ହତ୍ୟାକାଣ୍ଡ ଓ ୧୯୯୦ ଦଶକର ଅଞ୍ଜନା ମିଶ୍ରଙ୍କ ଉପରେ ଉପରେ ହୋଇଥିବା ନାରକୀୟ ଅତ୍ୟାଚାର ଘଟଣା ଉଠାଇ କଂଗ୍ରେସକୁ ଏକ ପ୍ରକାର ବିଜେପି ପଛକୁ ଠେଲି ଦେଇଥିବା ବେଳେ ବିଜେଡ଼ି ଶାସନ ସମୟରେ ଘଟିଥିବା ଇତିଶ୍ରୀ, ବେବିନା, ମମିତା ଓ ପରୀ ପ୍ରସଙ୍ଗରେ ବିଜୁ ଜନତା ଦଳକୁ ଚେକ୍ ଦେଇଛି ଏହି ଦଳ ।

ଇତି ମଧ୍ୟରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ ଶାସକ ଦଳକୁ ଦୁଇ ବିରୋଧୀ ଦଳ ସାମାଲୋଚନା କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ଏବିଭିପିର ଦୁଇ ଜଣ ଛାତ୍ରନେତାଙ୍କୁ ଗିରଫ କରାଯାଇଛି । ଘଟଣାରେ ଯିଏ ସଂପୃକ୍ତ ଥିଲେ, ସେମାନଙ୍କୁ ଛଡାଯିବ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ମୋହନ ସରକାର । ଉପରୋକ୍ତ ଘଟଣାକ୍ରମ ଗୁଡିକୁ ଦେଖିଲେ ଏବେ ବିରୋଧୀଙ୍କ ନୂଆ ରଣନୀତି କ’ଣ ହେବ, ତାହା ଦେଖିବାର କଥା ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ତୃଣମୂଳ କଂଗ୍ରେସରେ ବିବାଦ, ମହୁଆ ମୈତ୍ରଙ୍କୁ କଡ଼ା ଜବାବ ଦେଲେ କଲ୍ୟାଣ ବାନାର୍ଜୀ 

ଓଟିଭି ବିଜ୍ଞାପନ