• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଝାଡଖଣ୍ଡରେ ହେଉଛି ବିଧାନସଭା ନିର୍ବାଚନ। କିନ୍ତୁ ଓଡିଶା ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ । ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଡେରା ପକାଇଛନ୍ତି ଓଡିଶାର ବହୁ ବରିଷ୍ଠ ଓ କନିଷ୍ଠ ନେତା। ଓଡିଆ ଭାଷାଭାଷୀ ଅଞ୍ଚଳରେ କରୁଛନ୍ତି ଘନଘନ ପ୍ରଚାର। ଆସନ୍ତା ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ। ସରକାର ଗଢିବାକୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଓ ରାଜ୍ୟରେ ଜେଏମଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଝାଡଖଣ୍ଡରେ ହିନ୍ଦୀ ଭାଷାଭାଷୀ ଲୋକଙ୍କ ସଂଖ୍ୟା ସର୍ବାଧିକ ହୋଇଥିଲା ବେଳେ ଦ୍ୱିତୀୟ ରାଜ୍ୟ ଭାଷା ଓଡିଆ । ଓଡିଶା ସୀମାନ୍ତ ୪ଟି ଜିଲ୍ଲାରେ ରହିଛି ଓଡିଆ ଲୋକଙ୍କ ପ୍ରଭାବ । ଓଡିଆ ଭୋଟରଙ୍କୁ ନିଜ ଦଳ ସପକ୍ଷରେ ନେବା ପାଇଁ ଓଡିଶାର ନେତାମାନେ ପ୍ରଚାରରେ ସାମିଲ୍ ହୋଇଛନ୍ତି । ବିଭିନ୍ନ ନିର୍ବାଚନମଣ୍ଡଳୀରେ ଓଡିଶାର କିଛି ନେତାଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ପ୍ରଚାରରେ ଆଗରେ ଅଛି ବିଜେପି:

ଓଡିଶାର ବହୁ ବିଜେପି ନେତା ଏବେ ଝାଡଖଣ୍ଡରେ ରହି ଦଳ ପାଇଁ କାମ କରୁଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡରେ ନିର୍ବାଚନ ପ୍ରଚାର କରିବାକୁ ଯାଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଜେପି ବିଧାୟକମାନଙ୍କ ସହ ରାଜ୍ୟ ବିଜେପିର ବହୁ କର୍ମକର୍ତ୍ତା ଏବେ ଝାଡଖଣ୍ଡରେ ଅଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇମାସ ହେଲା ଝାଡଖଣ୍ଡରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି । ସାଂସଦ ନବକିଶୋର ମାଝୀ ଓ ମମତା ମହାନ୍ତ ବି ଝାଡଖଣ୍ଡର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବାରମ୍ବାର ଗସ୍ତ କରୁଛନ୍ତି । ସେଠାରେ ଥିବା ଓଡିଆ ଲୋକଙ୍କ ଭାବଗତ ସଂପର୍କକୁ ନେଇ ଚଳାଇଛନ୍ତି ପ୍ରଚାର କାର୍ଯ୍ୟ । ପ୍ରତିଦିନ ଲୋକଙ୍କୁ ଭେଟୁଛନ୍ତି ଓ ବିଜେପିକୁ ଭୋଟ ଦେବାକୁ କହୁଛନ୍ତି । ପ୍ରଚାର କାର୍ଯ୍ୟରେ ସାମିଲ୍ ହୋଇଥିବା ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, ଝାଡଖଣ୍ଡର ଜେଏମଏମ ସରକାର ଓଡିଆ ସ୍କୁଲ ଗୁଡିକୁ ବନ୍ଦ କରିଦେବା ପାଇଁ ଷଡଯନ୍ତ୍ର କରିଥିଲେ । ଏହାକୁ ଓଡିଆ ଲୋକମାନେ ହଜମ କରିପାରିନାହାନ୍ତି । ଏଥର ନିର୍ବାଚନରେ ଝାଡଖଣ୍ଡର ଓଡିଆ ଲୋକମାନେ ଜେଏମଏମ ବିରୋଧରେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଥିବା ସେ କହିଛନ୍ତି ।

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଝାଡଖଣ୍ଡରେ କଂଗ୍ରେସ ନେତାଙ୍କ ପ୍ରଚାର:

ଝାଡଖଣ୍ଡରେ ଏବେ ବୁଲି ପ୍ରଚାର କରୁଛନ୍ତି ଓଡିଶାର ମାଳମାଳ କଂଗ୍ରେସ ନେତା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ବିଧାୟକ ଅଶୋକ ଦାସ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତିଙ୍କ ସମେତ ବହୁ ନେତା ପ୍ରଚାରରେ ଯୋଗ ଦେଇଛନ୍ତି । ବିଭିନ୍ନ ଗ୍ରୁପରେ ଭାଗ ହୋଇ ଏହି ନେତାମାନେ ନିର୍ବାଚନମଣ୍ଡଳୀରୁ ନିର୍ବାଚନମଣ୍ଡଳୀ ବୁଲୁଛନ୍ତି । ଓଡିଆ ଭାଷାଭାଷୀ ଲୋକଙ୍କୁ ବୁଝାଉଛନ୍ତି । ତେବେ ଝାଡଖଣ୍ଡ ଯାଇଥିବା ଅଧିକାଂଶ କଂଗ୍ରେସ ନେତା ଜାମସେଦପୁର ଇଷ୍ଟ୍ ଆସନରେ ପ୍ରଚାରକୁ କେନ୍ଦ୍ରୀଭୂତ କରିଛନ୍ତି । କାରଣ ଜାମସେଦପୁର ଇଷ୍ଟ୍ ଆସନରେ କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର ନିର୍ବାଚନ ଲଢୁଛନ୍ତି । ୧୯୯୦ ମସିହା ପରଠୁ ଏହି ଆସନରେ କେବେ କଂଗ୍ରେସ ଜିତି ନାହିଁ । ଏହି ଆସନ ୧୯୯୦ରୁ ୨୦୧୯ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ଅକ୍ତିଆରରେ ଥିଲା । ତେଣୁ କଂଗ୍ରେସର ଦୁର୍ବଳ ସଂଗଠନ ଥିବା ଏହି ଆସନରେ ଅଜୟ କୁମାର ଏକ ରିସ୍କ ନେଇଛନ୍ତି ।

ପ୍ରଚାରରେ ଓଡିଶାର ଜେଏମଏମ୍ ନେତା:

ମୟୂରଭଞ୍ଜର ଅଧିକାଂଶ ଜେଏମଏମ ନେତା ନିର୍ବାଚନ ପାଇଁ ଝାଡଖଣ୍ଡ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବାପଘର ମୟୂରଭଞ୍ଜରେ । ବାରିପଦାରେ ରହୁଥିବା ଜେଏମଏମ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ୍ ଯାଇଛନ୍ତି ଝାଡଖଣ୍ଡ । ଓଡିଶାରେ ଜେଏମଏମ ଦୁର୍ବଳ ହୋଇଯାଇଥିଲେ ବି ବରିଷ୍ଠ ନେତାମାନଙ୍କ ସହ ଲିଙ୍କରେ ଥିବା ନେତାମାନେ ଝାଡଖଣ୍ଡ ଯାଇଛନ୍ତି ।

ଓଡିଆ ଭୋଟରଙ୍କ ଉପରେ ଆଖି: 

ପ୍ରାୟ ୧୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି ଓଡିଆ ଭାଷା କହୁଥିବା ଲୋକଙ୍କ ପ୍ରଭାବ । ଏହି ୪ଟି ଜିଲ୍ଲା ହେଲା- ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ, ଷଢେଇକଳା- ଖରସୁଆଁ ଓ ସିମଡେଗା। ଏହି ଅଞ୍ଚଳ ଦକ୍ଷିଣ ଛୋଟନାଗପୁର ଓ କୋହ୍ଲଣ ଅଞ୍ଚଳ ଭାବେ ପରିଚିତ । କୋହ୍ଲଣ ଅଞ୍ଚଳରେ ରହିଥିବା ୧୪ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୯ଟି ଆସନ ତଫସିଲଭୁକ୍ତ ଜନଜାତି ଓ ଗୋଟିଏ ଆସନ ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ । ବାହାରଗୋଡା, ଘାଟଶିଳା,ପୋଟକା, ଯୁଗଲସାଇ, ଷଢେଇକଳା, ଖରସୁଆଁ, ଚାଇଁବସା, ମଝିଗାଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ସିମଡେଗା ଓ ଇଛାଗାଁ ଭଳି ଅନେକ ଆସନରେ ଓଡିଆ ଲୋକଙ୍କ ଭୋଟ ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ସହାୟକ ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now