• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାନସଭାରେ ଉପସ୍ଥାପିତ ହେବା ପରେ ପ୍ରତ୍ୟାହାର ହେଲା ୩-୩ଟି ବିଲ୍ । ଏହା ଭିତରେ ଥିବା ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌କୁ ନେଇ ଉଠିଛି ପ୍ରଶ୍ନ । ବିଲଡରଙ୍କ ଚାପ ପାଇଁ ସରକାର ଏହି ବିଲ୍‌କୁ ପ୍ରତ୍ୟାହାର କଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ଫଳରେ ଆପାର୍ଟମେଣ୍ଟ ପଂଜୀକରଣ ଲାଗି ବାଟ ଫିଟିବ ବୋଲି ଯାହା କୁହାଯାଉଥିଲା, ତାହା ପୁଣି ଅଟକି ଯାଇଛି । ସେପଟେ ୬ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ: ଆପାର୍ଟମେଣ୍ଟ ପଞ୍ଜିକରଣର ନୂଆ ନିୟମକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ବିଲ୍ଡର-ଗ୍ରାହକ

ପୁଣି ଥରେ ଅଟକିବ କି ଆପାର୍ଟମେଣ୍ଟ ପଂଜୀକରଣ ? ଆପାର୍ଟମେଣ୍ଟ ମାଲିକ ଯେଉଁ ସମସ୍ୟା ଭୋଗୁଛନ୍ତି ତାର ସମାଧାନ କେବେ ହେବ ? ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି, କାହିଁକିନା ବିଧାନସଭାରେ ଉପସ୍ଥାପିତ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍ ପ୍ରତ୍ୟାହୃତ ହୋଇଛି ।

ଏହି ବିଲ୍ ଆସିବା ପରେ ଆପାର୍ଟମେଣ୍ଟ ମାଲିକଙ୍କ ମନରେ ସେମାନଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ନେଇ ଆଶା ସଂଚାର ହୋଇଥିଲା । ପ୍ରସ୍ତାବିତ ବିଲ୍‌ରେ ଆପାର୍ଟମେଣ୍ଟ ଆସୋସିଏସନକୁ ଅଧିକ କ୍ଷମତା, ଆପାର୍ଟମେଣ୍ଟର କମନ୍ ଏରିଆ ବିଲ୍ଡର ବଦଳରେ ଆସୋସିଏସନ୍ ହାତରେ ରହିବା ଏବଂ ଆପାର୍ଟମେଣ୍ଟ ପଂଜୀକରଣ ସୁବିଧାରେ କରିବା ଲାଗି ବ୍ୟବସ୍ଥା ଥିଲା ।

ତେବେ ବିଲ୍ ପ୍ରତ୍ୟାହାର କରିବା ପରେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରିଏଲ୍ ଇଷ୍ଟେଟ୍ କର୍ମୀ । ବିଲଡରଙ୍କ ଚାପରେ ସରକାର ଏହି ବିଲ୍ ପ୍ରତ୍ୟାହାର କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେପଟେ କ୍ରେଡାଇ କହିଛି ଏହି ବିଲ୍ ପ୍ରତ୍ୟାହର ହେବା ପରେ ପଂଜୀକରଣ ଆଉ ହୋଇ ପାରିବନାହିଁ ।

ସେପଟେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍ ବି ପ୍ରତ୍ୟାହାର ହୋଇଛି । ଅନ୍ୟପଟେ ଧାର୍ଯ୍ୟ ସମୟର ୬ ଦିନ ଆଗରୁ ଅର୍ଥାତ ୪ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଥିବାରୁ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ।

ସରକାର ଭୟରେ ପଳାୟନପନ୍ଥୀ ହେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ରାଜ୍ୟରେ ଡୁପ୍ଲିକେଟ୍ ସରକାର, ଡୁପ୍ଲିକେଟ୍ 5T ବିଭାଗ କହି ସେ ସରକାରଙ୍କୁ କଡା ସାମାଲୋଚନା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଜାପାନ ଯିବେ, ଅର୍ଥାତ ମହାନାଦୀ ଆଲୋଚନା ବେଳେ ଅନୁପସ୍ଥିତ ରହିବେ ।

ତେଣୁ ଠିକ୍ ବାର୍ତ୍ତା ଯିବନି ଭାବି ବିଧାନସଭାକୁ ଆଗୁଆ ବନ୍ଦ କରିଦେଲେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶାସକ ଦଳ ଏହାର ଜବାବ ରଖିଛି । ପ୍ରତ୍ୟାହାର ହୋଇଥିବା ବିଲଗୁଡ଼ିକୁ ଆଗକୁ ଅଧ୍ୟାଦେଶ ଆକାରରେ ସରକାର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି