Advertisment

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଦାନା ବାନ୍ଧୁଛି କି ନୂଆ ସମୀକରଣ ?

ମାତ୍ର ୩ ସପ୍ତାହ ବ୍ୟବଧାନରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Narendra Modi

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଗତ ୧୩ ତାରିଖରେ ଆସିଥିଲେ, ପୁଣି ଆସନ୍ତା ୫ ତାରିଖରେ ଆସୁଛନ୍ତି। ୨୪ ନିର୍ବାଚନ ପୂର୍ବରୁ ମାତ୍ର ୩ ସପ୍ତାହ ଭିତରେ ମୋଦିଙ୍କ ଦ୍ୱିତୀୟ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି। ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସୂଚନା ଅନୁଯାୟୀ ଗସ୍ତ ସଂପର୍କିତ ସବିଶେଷ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନି। ତେବେ ଏଇ ଦିନ ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର କିଛି ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ରହିଛି। ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି।

Advertisment

କାରଣ ମାର୍ଚ୍ଚ ୫, ଯେଉଁଦିନ ମୋଦି ଆସୁଛନ୍ତି, ସେଇଦିନ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ। ତେଣୁ ରାଜ୍ୟ ରାଜନୀତିରେ ଉଡ଼ି ବୁଲୁଥିବା ବିଜେପି-ବିଜେଡି ସଂପର୍କର ଚର୍ଚ୍ଚା ଓ ମୋଦିଙ୍କ ଗସ୍ତର ଏ ନିର୍ଦ୍ଦିଷ୍ଟ ତାରିଖ ଭିତରେ ଅଛି କି କିଛି ଲିଙ୍କ୍ ? ଦାନା ବାନ୍ଧୁଛି କି କିଛି ନୂଆ ସମୀକରଣ? କାରଣ- ପ୍ରଥମତଃ ସାଧାରଣ ନିର୍ବାଚନ ପୂର୍ବରୁ ସଂଖ୍ୟା ଥାଇ ବି ପୁଣି ଥରେ ବିଜେପିକୁ ଗୋଟିଏ ରାଜ୍ୟ ସଭା ସିଟ୍ ଛାଡ଼ିଛି ବିଜେଡି। ଦ୍ୱିତୀୟରେ ସିଧା ହଁ, ନାଇଁରେ କଥା ନ ସାରି ମେଣ୍ଟ ସଂପର୍କିତ ପ୍ରଶ୍ନରେ ଦୁଇ ଦଳ ନେତାଙ୍କ ମପାଚୁପା ବୟାନ୍। ଯେମିତିକି କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଫାଇଭ୍-ଟି ଅଧ୍ୟକ୍ଷ ଏସଂପର୍କିତ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ, କିଛି ଦିନ ଅପେକ୍ଷା କରନ୍ତୁ ବୋଲି କହିଥିଲେ। ସେହିପରି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ବି ପ୍ରସଙ୍ଗକୁ କେନ୍ଦ୍ର ନିଷ୍ପତ୍ତି ଉପରେ ଛାଡ଼ି ଥିଲେ।

ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନାନା କଳ୍ପନାଜଳ୍ପନାକୁ ଜନ୍ମ ଦେଇଥିଲା ବେଳେ, ବିଜେପି ନିର୍ବାଚନ ସହପ୍ରଭାରୀ ମେଣ୍ଟ ପ୍ରସଙ୍ଗକୁ ଏଡ଼ାଇ ଲୋକସଭାରେ ଆମେ ସବୁ ଆସନ ଜିତିବା ସହ ରାଜ୍ୟରେ ବି ସରକାର ଗଢ଼ିବୁ ବୋଲି ଦୋହରାଇଛନ୍ତି। ତେବେ ଦୁଇ ଦଳ ଭିତରେ ମେଣ୍ଟ ଚର୍ଚ୍ଚାକୁ ବିଜେଡି ଶିବିର ହିଁ ଅଧିକ ହାୱା ଦେଉଥିବା କୁହାଯାଉଛି। କାରଣ କୁହାଯାଉଛି ଅନେକ ନେତା ବିଜେପି ମୁହାଁ ହେଉଥିବାରୁ ମେଣ୍ଟ ଚର୍ଚ୍ଚା କରି ବିଜେଡି ସେଥିରେ ବ୍ରେକ୍ ଲଗାଇବାକୁ ଚାହୁଁଛି। ପ୍ରତିକ୍ରିୟାରେ ବିଜେଡି ନେତା କଥାକୁ ଏଡ଼ାଇଛନ୍ତି।

Advertisment

ଏପଟେ ମୋଦିଙ୍କ ଗସ୍ତ ସମୟରେ ରାଜ୍ୟ ରାଜନୀତି ପାଣିପାଗକୁ ଭିନ୍ନ ଦିଶା ଦେବାକୁ ଏଇଦିନ ବିଜୁ ବାବୁଙ୍କ ଜୟନ୍ତୀ ଆଳରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେଡି। ଏମିତିକି ସବୁ ପଞ୍ଚାୟତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ସହ ସାଇକେଲ ଶୋଭାଯାତ୍ରା ଓ ମାରାଥନ ଦୌଡ଼ର କାର୍ଯ୍ୟକ୍ରମ ରଖିଛି ଦଳ।

Narendra Modi BJP General Elections 2024
Advertisment
Advertisment