Advertisment

ବ୍ରହ୍ମପୁରରେ ମୋଦି, ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ତାପରେ ନବରଙ୍ଗପୁର ଯିବେ...

ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି, ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍‌ ଆଶା କରୁଛି । ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pm modi Arrives Berhampur

Berhampur

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି । ମୋଦିଙ୍କୁ ସ୍ୱାଗତ ପାଇଁ ରୁଣ୍ଡ ହୋଇଛନ୍ତି ହଜାର ହଜାର ଜନସାଧାରଣ । ସକାଳ ପ୍ରାୟ ୯ଟାରେ ମୋଦି ଭୁବନେଶ୍ୱର ରାଜଭବନରୁ ବାହାରି ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଗସ୍ତରେ ବାହାରିଥିଲେ । ଏବେ ସେ ବ୍ରହ୍ମପୁରରେ ପହଞ୍ଚି ସାରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।

Advertisment

ସକାଳ ୧୦ଟାରେ ଏଠାରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା । ସମସ୍ତଙ୍କ ଆଶା ମୋଦି ମଧ୍ୟ ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିବେ । କାରଣ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ଟ୍ରେଲର ଦେଖାଇ ସାରିଛନ୍ତି । ରାଜ୍ୟ ସରକାରଙ୍କ ଉପରେ ଶାହ ଭୀଷଣ ଗର୍ଜନ କରି ଯାଇଛନ୍ତି । ଆଉ ଏହି ରାଜ୍ୟ ସରକାରଙ୍କୁ ଦୁର୍ନୀତିଖୋର ସରକାର ବୋଲି କହିଛନ୍ତି । ଏଥର ବିଜେପିକୁ ସରକାର କରିବାକୁ ସୁଯୋଗ ଦେବା ପାଇଁ ଶାହ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ହାରୁଥିବା ଜାଣି ମହିଳାମାନଙ୍କୁ ବାଟବଣା କରୁଛନ୍ତି’

ତେବେ ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି ସମାନ ଆଶା ରଖିଛି । ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍‌ କରନ୍ତୁ ବୋଲି ଆଶା କରୁଛି ରାଜ୍ୟ ବିଜେପି । ପୁର୍ବରୁ ମଧ୍ୟ ମୋଦି ଏକ ସାକ୍ଷାତକାରରେ ଓଡ଼ିଶା ବିଷୟରେ କହିଥିଲେ । ଓଡ଼ିଶାର ଅସ୍ମିତା ବିପଦରେ ରହିଛି ବୋଲି ମୋଦି କହିଥିଲେ । ଏମିତିକି ବିଜେପି ସରକାର ଓଡ଼ିଶାକୁ ଦରକାର ବୋଲି ସେ ସାକ୍ଷାତକାରରେ କହିଥିଲେ। 

Advertisment

ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ। ବ୍ରହ୍ମପୁର ଜନସମାବେଶକୁ ସମ୍ବୋଧନ କରିବା ପରେ ସେଠାରୁ ନବରଙ୍ଗପୁର ଅଭିମୁଖେ ବାହାରିବେ ମୋଦି । ସେଠାରେ ମଧ୍ୟ ଏକ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ । ନବରଙ୍ଗପୁର ପାପଡ଼ାହାଣ୍ଡିରେ ଦିନ ୧୨ଟାରେ ଏହି କର୍ଯ୍ୟକ୍ରମ ରହିଛି ।

ଗତକାଲି ରାତିରେ ଓଡ଼ିଶାରେ ପହଞ୍ଚିଥିଲେ ମୋଦି । ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବନ ଅଭିମୁଖେ ଯାଇଥିଲେ । ତେବେ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଦେଖାଯାଇଥିଲା ବିରାଟ ଜନସମୁଦ୍ର। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ହଜାର ହଜାର ଲୋକେ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରି ରହିଥିଲେ। ଆଉ ମୋଦି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ଗାଡ଼ିରେ ବସି ଲୋକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ। 

ରାଜଭବନରେ ପହଞ୍ଚିବା ପରେ ସେଠାରେ ରାତ୍ରି ଯାପନ କରିଥିଲେ । ପରେ ଆଜି ସକାଳ ପ୍ରାୟ ୯ଟାରେ ସେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ । ମୋଦିଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ କରାଯାଇଛି।  

ଅଧିକ ପଢ଼ନ୍ତୁ: ବିଜେପି ସଂକଳ୍ପ ପତ୍ର: ସରକାରକୁ ଆସିଲେ ଖୋଲିଯିବ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ୱାର

ଆଜିର କାର୍ଯ୍ୟକ୍ରମ ପରେ ଆସନ୍ତା ୧୦ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୧୦ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ କରିବେ ମୋଦି। ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ୍ ଶୋ କରିପାରନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ରୋଡ୍ ଶୋକୁ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ଅପରାଜିତା କହିଛନ୍ତି।

BJD BJP Congress Odisha Politics General Election 2024
Advertisment
Advertisment