• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଜି ଆଉ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ପୂର୍ବର ୨ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ବଡ଼ କଥା ହେଲା ୧୯ ଭିତରୁ ୧୬ ଯାଗାରେ ନୂଆ ମୁହଁ। ଆଉ ବିଜେଡିରୁ ଆସିଥିବା ୫ ନେତା ପାଇଛନ୍ତି ଟିକଟ୍। ରାଉରକେଲାରୁ ହେଭିୱେଟ ଦିଲୀପ ରାୟଙ୍କୁ ଟିକେଟ ମିଳିଥିବା ବେଳେ ରଣପୁରରୁ ପ୍ରାର୍ଥୀ ପରିବର୍ତ୍ତନ କରି ସୁରମା ପାଢୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।

ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ବଦଳିଲା ଟିକେଟ, ତାପସ ଆଉଟ୍ ସୁରମା ଇନ୍। ଦ୍ବିତୀୟ ପର୍ଯ୍ୟାୟରେ ୧୯ ବିଧାନସଭା ଆସନ ପାଇଁ ଯୋଦ୍ଧା ଘୋଷଣା କଲା ବିଜେପି । ଦ୍ୱିତୀୟ ପ୍ରାର୍ଥୀତାଲିକାରେ ନୂଆ ଚେହେରାକୁ ଦିଆଯାଇଛି ଗୁରୁତ୍ୱ । ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ । ରିପିଟ୍ ହୋଇଛନ୍ତି ମାତ୍ର ୩ ନେତା। ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ହେଭିୱେଟଙ୍କ ଭିତରେ ଅଛନ୍ତି ଦିଲୀପ ରାୟ। ରାଉରକେଲା ଦେଖିବ ବଡ଼ ଫାଇଟ୍। ବିଜେଡିର ହେଭିୱେଟ୍ ସାରଦା ନାୟକ ବନାମ ଦିଲୀପ ରାୟ। ଅନ୍ୟପଟେ ରଣପୁରରେ ପ୍ରାର୍ଥୀ ବଦଳି ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କୁ ଟିକେଟ ଦେଇଛି ଦଳ।

ଅନ୍ୟ ପଟେ ପଟାଙ୍ଗୀ ଆସନରେ ବି ପ୍ରାର୍ଥୀ ବଦଳାଇ ଚୈତନ୍ୟ ହନ୍ତାଳଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲିକୁ ଦଳ ପ୍ରାର୍ଥୀ କରିଛି । ଏଠି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଆସନ ହୋଇଥିବା ବେଳେ ପୂର୍ବ ପ୍ରାର୍ଥୀଙ୍କ ଜାତିଗତ ପ୍ରମାଣପତ୍ରରେ ଭୁଲ୍ ଯୋଗୁଁ ଦଳ ପ୍ରାର୍ଥୀ ବଦଳାଇଛି। ସେହିପରି କାକଟପୁରରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପାଇଛନ୍ତି ଦଳୀୟ ଟିକେଟ।

ପ୍ରଥମ ପର୍ଯ୍ୟାୟରେ ଦଳ ଯେମିତି ୧୧୨ରୁ ୪୯ ଆସନ ଆସନରେ ନୂଆ ମୁହଁ ଦେଇଥିଲା, ଦ୍ୱିତୀୟ ପର୍ଯ୍ୟାୟରେ ବି ୧୬ଟି ଆସନରେ ନୂଆ ଚେହେରା ସାମ୍ନାକୁ ଆଣିଛି।  ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ, ବାଲିକୁଦା ଏରସମାରେ ସତ୍ୟ ସାରଥି ମହାନ୍ତି, ସାନଖେମୁଣ୍ଡିରେ ଉତ୍ତମ ପାଣିଗ୍ରାହୀ, ବିଷମ କଟକରୁ ଜଗନ୍ନାଥ ନନ୍ଦ୍ରୁକା। ସେହିପରି କେନ୍ଦ୍ରାପଡ଼ାର ରାଜନଗରରେ ଧ୍ରୁହ ସାହୁଙ୍କ ବିରୋଧରେ ଦଳ ଜଣେ ଯୁବ ଚେହେରା ଲଳିତ ବେହେରାଙ୍କ ଉପରେ ବିଶ୍ବାସ କରିଛି। 

ପ୍ରଥମ ପର୍ଯ୍ୟାୟ ଘୋଷଣାରେ ଅନ୍ୟ ଦଳରୁ ଆସି ପଦ୍ମ ଧରିଥିବା ୯ ଜଣ ଟିକଟ୍ ପାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବି ଟିକେଟ ପାଇଛନ୍ତି ବିଜେଡିରୁ ଆସିଥିବା ୫ ନେତା। ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, ଚିତ୍ରକୋଣ୍ଡାରୁ ଡମ୍ବୁରୁ ଶିଶା, ବିଷମ କଟକରୁ ଜଗନ୍ନାଥ ନନ୍ଦ୍ରୁକା ଏବଂ ସାରସକଣାରୁ ଭାଦୋବ ହାଁସଦା। ତେବେ ସାରସକଣାରୁ କଟିଛି ସିଟିଂ ଏମଏଲଏ ବୁଦ୍ଧାନ ମୁର୍ମୁଙ୍କ ଟିକେଟ। ଯେଉଁଥି ପାଇଁ ସେ ଅସନ୍ତୁଷ୍ଟ ବି ପ୍ରକାଶ କରିଛନ୍ତି। ବଡ କଥା ହେଲା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବି ନିରାଶ ହେବାକୁ ପଡିଛି। ମୟୁରଭଞ୍ଜର ସମସ୍ତ ଆସନ ଘୋଷଣା ହୋଇସାରିଥିବା ବେଳେ ନାହିଁ ଟୁଡୁଙ୍କ ନାଁ।

ମୋଟ ୧୩୧ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆହୁରି ୧୬ ଟି ଆସନ ବାକି ରହିଛି । ତା ଭିତରୁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବିଧାନସଭା ଆସନ ଭିତରେ ଜୟପୁର ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now