Advertisment

ନବୀନଙ୍କ ଜିଲ୍ଲାରେ ଭାଙ୍ଗୁଛି କି ଶଙ୍ଖ ଗଡ଼ ? ପଦ୍ମ ଧରୁଛନ୍ତି ଜଣଙ୍କ ପରେ ଜଣେ ଟାଣୁଆ ଚେହେରା

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି।

author-image
Santosh Kumar Sahoo
undefined

Ganjam BJD

ଗଂଜାମରେ ଭାଙ୍ଗୁଛି କି ବିଜେଡି ଗଡ଼? ଗତ ୨୧ରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଜି ଦିଗପହଣ୍ଡିର ଟାଣୁଆ ଚେହେରା ବିପିନ ପ୍ରଧାନ। ଏକଦା ଗଂଜାମ ବିଜେଡି ରାଜନୀତିରେ ଦବଦବା ରଖୁଥିବା ଜଣକ ପରେ ଜଣେ ଟାଣୁଆ ଚେହେରା ପଦ୍ମ ଧରିବା ପରେ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ସ୍ଥିତି ଦୋହଲୁଥିବା ସ୍ପଷ୍ଟ ହେବାରେ ଲାଗିଛି। ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ବିଜେପିରେ ସାମିଲ ହୋଇଥିବା ଦିଗପହଣ୍ଡିର ଏହି ଚର୍ଚ୍ଚିତ ନେତା ବିପିନ ପ୍ରଧାନ, ଗତ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଚ୍ୟାଲେଞ୍ଜ ଦେଇ ନିଜ ଗୋଷ୍ଠୀର ପ୍ରାର୍ଥୀଙ୍କୁ ଜିତାଇଥିଲେ। ତାପରେ ବିପିନଙ୍କୁ ବହିଷ୍କାର କରିଥିଲା ବିଜେଡି। ଏହାପରେ ତାଙ୍କ ରାଜନୈତିକ ଗତି କୁଆଡ଼େ ବୋଲି ଚର୍ଚ୍ଚା ଆଲୋଚନା ଚାଲିଥିଲା। ଏମିତିକି ତାଙ୍କୁ ଏଥର ବିଜେଡି ଟିକଟ୍ ନ ମିଳିଲେ ସେ ବିଜେପିକୁ ଯିବା ଫାଇନାଲ୍ ବୋଲି ବିପିନ୍ କର୍ମୀମାନଙ୍କୁ କହୁଥିବାର ଏକ ଭିଡିଓ ନିକଟରେ ଭାଇରାଲ୍ ହୋଇଥିଲା। ଯାହା ଆଜି ସତ ପ୍ରମାଣିତ ହୋଇଛି।

Advertisment

ସେପଟେ ଗଂଜାମ ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ ବି ସୀମା ଡେଇଁଲାଣି। ଖଲ୍ଲିକୋଟ, ପୋଲସରା, ଛତ୍ରପୁର ଓ ଆସ୍କା ଭଳି ଅଧିକାଂଶ ନିର୍ବାଚନମଣ୍ଡଳୀରୁ ନିଇତି ଆସୁଛି ସେଠିକାର ବିଧାୟକଙ୍କ ବିରୋଧରେ ବିଜେଡି କର୍ମୀଙ୍କ ଅସନ୍ତୋଷର ନିଆଁ। ଗତ ୨୯ ତାରିଖରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ହଟାଇବା ଦାବିରେ ନବୀନ ନିବାସ ଯାଇ ଖୋଦ୍ ଦଳ ସୁପ୍ରିମୋ ଓ ମନ୍ତ୍ରୀ ଉଷା ଦେବୀଙ୍କୁ ଦାବିପତ୍ର ଦେଇଥିଲେ ସେଠିକାର ଛାମୁଆ ନେତା।

ସେମିତି ପୋଲସରା ନିର୍ବାଚନମଣ୍ଡଳୀରେ ବି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମେଳି ବାନ୍ଧି ମନ୍ତ୍ରଣା କଲେଣି ବିଜେଡି କର୍ମୀ। ଶ୍ରୀକାନ୍ତ, ଜଣେ ମହିଳାଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଛନ୍ଦି ହେବା ପରଠୁ ତାଙ୍କ ପତିଆରା ମଳିନ ପଡ଼ିଛି। ଯାହାର ସୁଯୋଗ ନେଇ ଲୋକ ସଂପର୍କ ବଢାଇଲେଣି ଅନ୍ୟ ନେତା। ଢୁଙ୍କାପଡ଼ା ସରପଞ୍ଚ ଆରତୀ ଦେବୀ ଆଶୀର୍ବାଦ ଅଭିଯାନ ନାଁରେ ଗାଁ ଗାଁ ବୁଲି ଲୋକଙ୍କ ସହ ମିଶୁଛନ୍ତି। ଏଭଳି ସ୍ଥିତିରେ ଗଂଜାମ ଜିଲ୍ଲା ବିଜେଡି ସଭାପତି କହୁଛନ୍ତି- ଆମ ଜିଲ୍ଲାରେ ଦଳରେ କେଉଁଠି ଗୋଷ୍ଠୀ କନ୍ଦଳ ନାହିଁ। ଯେଉଁମାନେ ଦଳ ଛାଡ଼ିଛନ୍ତି ବିଜେଡି ଉପରେ ତାର କୌଣସି ପ୍ରଭାବ ପଡ଼ିବନି। ଟାଣୁଆ ନେତାଙ୍କ ଦଳ ତ୍ୟାଗ ହେଉ କି ତୃଣମୂଳ ସ୍ତରର କର୍ମୀଙ୍କ କୁହୁଳୁଥିବା ଅସନ୍ତୋଷ, ଗଂଜାମ ବିଜେଡିରେ ସ୍ଥିତି ଗମ୍ଭୀର ବୋଲି ସୂଚାଇ ଦେଉଛି।

Advertisment

Naveen Patnaik BJD Ganjam
Advertisment
Advertisment