/odishatv-khabar/media/post_attachments/uploadimage/library/16_9/16_9_0/BJD_Leader_1711809237.jpg)
BJD Leader
ପ୍ରତିଦିନ ମିଶ୍ରଣ ପର୍ବ । ୨୪ ନିର୍ବାଚନ ପୂର୍ବରୁ ନେତାଙ୍କ ଏତେ ଦଳ ଡିଆଁ ଓଡ଼ିଶା ରାଜନୀତିରେ ପ୍ରଥମ । ସବୁଠୁ ଅଧିକ ବିଜେଡି ହାତ ଛାଡୁଛନ୍ତି ନେତା । ଏଯାଏଁ ୨ ସାଂସଦ, ୪ ବିଧାୟକ ଆଉ ୭ରୁ ଅଧିକ ପୂର୍ବତନ ବିଧାୟକ ବିଜେଡିକୁ ବାୟ ବାୟ କରି ସାରିଲେଣି । ଆଉ ପ୍ରାୟ ସମସ୍ତେ ଏବେ ପଦ୍ମ କ୍ୟାମ୍ପରେ । କାରଣ ଏଥର ବିଜେଡି ଯେତେ ଚେଷ୍ଟା କଲେ ବି ଅସନ୍ତୁଷ୍ଟ ମ୍ୟାନେଜ୍ କରିବା ଏକ ପ୍ରକାର ଅସମ୍ଭବ ହୋଇ ଯାଇଛି।
ଆଉ ମ୍ୟାନେଜ୍ ମୁଡ୍ରେ ନାହାନ୍ତି ବିଦ୍ରୋହୀ ନେତା । କାମ କରୁନି ନବୀନ ଟ୍ରଷ୍ଟ । ଜଣଙ୍କ ପରେ ଜଣେ ଡିଆଁ ମାରୁଛନ୍ତି ପଦ୍ମ କ୍ୟାମ୍ପକୁ । ଆଜି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀ ନେତା ସନ୍ତୋଷ ଜେନା । ଉଭୟ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଅନ୍ୟପଟେ ଆଜି ବିଜେଡିକୁ ବାଏ ବାଏ କରିଛନ୍ତି ଓଲିଉଡ୍ର ଜଣାଶୁଣା ଚେହେରା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ
କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ସେହିପରି ଦିନକ ତଳେ ଇସ୍ତଫା ଦେଇଥିଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବୁରୁ ଶିଶା । ତଥ୍ୟ କହୁଛି, ଗଲା କିଛି ଦିନ ଭିତରେ ବିଜେଡି ହାତ ଛାଡିଲେଣି ୨ ସାଂସଦ, ୪ ବିଧାୟକ ଆଉ ଗଣ୍ଡା ଗଣ୍ଡା ପୂର୍ବତନ ବିଧାୟକ।
ନିକଟରେ ବିଜେପିରେ ସାମିଲ ହୋଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଆଉ ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ଅରବିନ୍ଦ ଢାଲି, ପ୍ରେମାନନ୍ଦ ନାୟକ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ବିଜେପିରେ ଯୋଗ ଦେଇଥିବା ବିଜେଡିର ପୂର୍ବତନ ବିଧାୟକଙ୍କ ଭିତରେ ଅଛନ୍ତି ନବୀନ ନନ୍ଦ, ଦେବାଶିଷ ନାୟକ, ଭାଦବ ହାଁସଦା, ରାଜୁ ଦାସ, ପୂର୍ଣ୍ଣଚନ୍ଦ୍ର ସେଠୀ, ମୁକୁନ୍ଦ ସୋଢି ପ୍ରମୁଖ । ଯାହା ସ୍ପଷ୍ଟ କରୁଛି ବିଜେଡି ଛିଡିବା ସହ ବଢୁଛି ବିଜେପି । ବିଜେପି ରାଜ୍ୟ ସଭାପତି କହିଛନ୍ତି ଏହା ବିଜେଡି ପାଇଁ ଟ୍ରାଞ୍ଜିଟ୍ ପିରିୟଡ୍ । ଏପଟେ ବିଜେଡି କହିଛି ଦଳବଦଳ କୌଣସି ପ୍ରଭାବ ପକାଇବନି ।
ନିର୍ବାଚନ ବେଳେ ଦଳ ବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ହେଲେ ୨୪ ନିର୍ବାଚନ ପୂର୍ବରୁ ଯେଉଁ ମାତ୍ରାରେ ବିଜେଡି ନେତା ଦଳ ଡିଆଁ କରୁଛନ୍ତି, ତାହା କିନ୍ତୁ ଓଡ଼ିଶା ରାଜନୀତିରେ ପ୍ରଥମ । ଏମିତି ନାହିଁ ଯେ ବିଜେଡି ପକ୍ଷରୁ ଏହାକୁ ରୋକିବାକୁ ଉଦ୍ୟମ ହେଉନି । ଦିନକ ତଳେ ପ୍ରିୟଦର୍ଶୀ ମିଶ୍ର ଏବଂ ଆକାଶ ଦାସ ନାୟକଙ୍କୁ ନବୀନ ନିବାସ ଡକାଇ ବୁଝାଇବାକୁ ଉଦ୍ୟମ କରିଥିଲେ ସୁପ୍ରିମୋ । ତା ସତ୍ତ୍ୱେ ଆଜି ଉଭୟେ ଦଳ ଛାଡିଛନ୍ତି । ଚର୍ଚ୍ଚା ହେଉଛି ଅନେକ ନେତାଙ୍କୁ ନବୀନ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବାରୁ ନେତାଙ୍କ ଭିତରେ ଆଉ ନବୀନ ଟ୍ରଷ୍ଟ କାମ କରୁନି ।
ଅନ୍ୟ ପଟେ ଦାୟିତ୍ୱରେ ଥିବା ନେତା କ୍ରାଇସିସ୍ ମ୍ୟାନେଜ କରିବାରେ ମଧ୍ୟ ବିଫଳ ହେଉଛନ୍ତି । ପ୍ୟାରୀମୋହନ ଏବଂ କଳ୍ପତରୁଙ୍କ ପରେ ଆଉ ଅନୁଭବୀ କ୍ରାଇସିସ୍ ମ୍ୟାନେଜର ଦଳ ତିଆରି କରିପାରିନି । ଚର୍ଚ୍ଚା ହେଉଛି ବିଜେଡି ଛାଡ଼ିଥିବା ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ମଧ୍ୟ ଖୁବ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି। ଏବେ ସୁଦ୍ଧା ବିଜେଡି ୭୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୁହାଯାଇଛି ବାକି ଥିବା ୭୫ ଆସନ ଘୋଷଣା ପରେ ଆହୁରି ବିଦ୍ରୋହ ଦେଖା ଦେଇପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)