• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁରୀ ଜିଲ୍ଲାର ସବୁଠୁ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ନିମାପଡ଼ା । ଏଠି ଏଥର ବିଜେଡି ଟିକେଟକୁ ନେଇ ହୋଇପାରେ ଟଣାଓଟରା । ୩ ଥରର ବିଧାୟକ ସମୀର ଦାଶଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରନ୍ତି ବହୁ ଆଶାୟୀ । ସେପଟେ ନିର୍ବାଚନମଣ୍ଡଳୀରେ ଲଗାତର ଭାବେ ସଂଗଠନ ସଜାଡ଼ି ଆସୁଥିବା ବିଜେପି ବି ଶାସକ ଦଳକୁ ଟକ୍କର ଦେବାକୁ ପୁରା ତୟାର ।

ପୁରୀ ଜିଲ୍ଲାର ଚର୍ଚ୍ଚିତ, ରାଜନୈତିକ ଦୃଷ୍ଟିରୁ ଅଧିକ ଆଲୋଚିତ ବିଧାନସଭା କ୍ଷେତ୍ର ନିମାପଡ଼ା । ଏଠି ୨୦୦୯ରୁ ଉଡୁଛି ବିଜେଡି ପତାକା । ଶଂଖଦଳରୁ ୩ ଥର ବିଧାୟକ ନିର୍ବାଚିତ ହେଲେଣି ପୂର୍ବତନ ମନ୍ତ୍ରୀ ସମୀର ଦାଶ । ପୂର୍ବରୁ ସଂରକ୍ଷିତ ଥିବା ଏ ଆସନ ୨୦୦୯ରେ ଅଣସଂରକ୍ଷିତ ହେବା ପରେ ଏଠୁ ଜିତି ଆସୁଛନ୍ତି ସମୀର । କିନ୍ତୁ ୨୦୨୪ରେ ସମୀରଙ୍କ ଟିକେଟ ପାଇବା ରାସ୍ତା ଏତେ ସହଜ ନୁହେଁ ବୋଲି ଚର୍ଚ୍ଚା । କାରଣ ନିମାପଡ଼ା ଉପରେ ଏବେ ବହୁ ଆଶାୟୀଙ୍କ ଆଖି ବୋଲି କୁହାଯାଉଛି । ବିଜେଡି ଟିକେଟ ପାଇଁ ପ୍ରମୁଖ ଦାବିଦାରଙ୍କ ଭିତରୁ ସବା ଆଗରେ ଅଛନ୍ତି କଂଗ୍ରେସରୁ ଆସି ଏବେ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଥିବା ସତ୍ୟବ୍ରତ ପାତ୍ର ।

ଅଧିକ ପଢ଼ନ୍ତୁ: ଆଠଗଡ଼ରେ ୧୯୯୦ରୁ ଜିତି ଆସୁଛନ୍ତି ରେଣେନ୍ଦ୍ର ପ୍ରତାପ, ହେଲେ ଏବେ...?

ସେହିଭଳି ବିଜେଡି ଆଇଟି ସେଲର ପ୍ରମୁଖ କର୍ମକର୍ତ୍ତା ସୁବ୍ରତ ଛାଟୋଇଙ୍କ ନାଁକୁ ନେଇ ବି ଖୁବ ଚର୍ଚ୍ଚା । ସେପଟେ ଜାତୀୟ ସ୍ତରରେ ଏକ କର୍ପୋରେଟ୍ ହାଉସରେ କାମ କରି ନିମାପଡ଼ାରେ ସଂଗଠନ କରୁଥିବା ଯୁବନେତା ଜିତୁ ମହାନ୍ତି ବି ବିଜେଡି ଟିକେଟ୍ ରେସରେ ଥିବା ଚର୍ଚ୍ଚା ହେଉଛି । ଏପଟେ ନିମାପଡ଼ାରେ ବିଜେଡିରୁ ଏକାଧିକ ଆଶାୟୀ ତାଲିକାରେ ଯୋଡ଼ି ହୋଇଛି ରୋଜାଲିନ୍ ନାୟକଙ୍କ ନାଁ । ପାଇଲଟ ଟ୍ରେନିଂ ନେଇଥିବା ଏ ଉଚ୍ଚଶିକ୍ଷିତା ଝିଅ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରୁ ରାଜନୀତିକୁ ଆସିବାକୁ ଗୋଟିଚାଳନା କରୁଥିବାରୁ ତାଙ୍କ ଏଣ୍ଟ୍ରିକୁ ନେଇ ବି ନିମାପଡ଼ା ରାଜନୀତିରେ ଆରମ୍ଭ ହୋଇଛି କମ୍ପନ ।

୨୦୦୯ରୁ ନିମାପଡ଼ା ବିଜେଡି ଦଖଲରେ ଥିଲେ ବି ତା ପୂର୍ବରୁ ଦୁଇଥର ଏ ଆସନକୁ କବଜା କରିଥିଲା ବିଜେପି । ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଏଇ ଆସନରୁ ୨୦୦୦ ଓ ୨୦୦୪ରେ ବିଜେପିରୁ ବାଇଧର ମଲ୍ଲିକ ବିଧାୟକ ହୋଇଥିଲେ । କିନ୍ତୁ ତା ପରେ ଆଉ ବିଜେପି 
କ୍ଷମତାକୁ ଫେରି ନଥିଲେ ବି ୨୦୧୪ ଏବଂ ୨୦୧୯ରେ ଏଠି ବିଜେଡିକୁ ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହି ଆସୁଛି ଦଳ । ରାଜ୍ୟ ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ସାମୀରଙ୍କ ବିରୋଧରେ ଲଗାତର ଦୁଇଥର ଲଢେଇ କରି ପରାଜୟର ସାମ୍ନା କରିଛନ୍ତି । ଏଥର ପ୍ରଭାତୀଙ୍କ ସହ ହାତ ମିଳାଇଛନ୍ତି ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକ । ସେ ବିଜେପିରେ ସାମିଲ ହେବା ପରେ ତାଙ୍କ ସଂଗଠନ ଓ ଅନୁଗତ ସକ୍ରିୟ ଅଛନ୍ତି । ତେବେ ୨୦୧୪ରେ ନିମାପଡ଼ା ବିଜେପିରୁ ପ୍ରାର୍ଥୀ ପ୍ରଭାତୀ ହେବେ ନା ଦିଲ୍ଲୀପ ତାକୁ ନେଇ କର୍ମୀ ମହଲରେ ଦ୍ବନ୍ଦ୍ବ ।

ନିମାପଡ଼ାରେ ଆଗରୁ ଭଲ ଟ୍ରାକ୍ ରେକର୍ଡ ରଖିଥିବା କଂଗ୍ରେସର ସ୍ଥିତି ଏବେକା ସମୟରେ ଆଉ ସେତେଟା ସୁଦୃଢ଼ ନାହିଁ । ବିଗତ ୨ଟି ନିର୍ବାଚନରେ ଦଳର ଭୋଟ୍ ପରିମାଣରୁ ଏ ପ୍ରମାଣ ମିଳିଛି । ଏକଦା ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର କୁମାର ସେଠୀ, ଏଠୁ ୩ ଥର ବିଧାୟକ ହୋଇଛନ୍ତି । ହେଲେ ୧୯୯୫ ପରଠୁ ଆଉ କ୍ଷମତାକୁ ଆସିନି କଂଗ୍ରେସ । ହେଲେ ଏଥର ନିମାପଡ଼ା କଂଗ୍ରେସକୁ ସଂଜବନୀ ଦେବାକୁ ଆବିର୍ଭାବ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ୨୦୨୪ରେ ସେ ନିମାପଡ଼ାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର । ଏଥିପାଇଁ ଘର ଘର ବୁଲି ଜନସାଧାରଣଙ୍କ ସମସ୍ୟା ବୁଝୁଛନ୍ତି ସିଦ୍ଧାର୍ଥ । ସେପଟେ କଂଗ୍ରେସରୁ କ୍ୟାମ୍ପରେ ଥିବା ନିମାପଡ଼ା କଲେଜର ପୂର୍ବତନ ଅଧ୍ୟାପକ ନିରଦ ବରଣ ଖୁଣ୍ଟିଆ ବି ହାତ ଦଳରୁ ଆଶାୟୀ ବୋଲି କୁହାଯାଉଛି ।

ସତ୍ତାର ସତରଞ୍ଜ ପାଇଁ ନିମାପଡାରୁ ସଞ୍ଜୟ ପତିଙ୍କ ରିପୋର୍ଟ, ଓଟିଭି