• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୁରାଢିର ବେଣ୍ଟ ସାଜିଛନ୍ତି ବିଜେଡି ବିଦ୍ରୋହୀ । ଦଳ ପାଇଁ ସାବ୍ୟସ୍ତ ହୋଇପାରନ୍ତି ଘାତକ। ପ୍ରିୟଦର୍ଶୀଙ୍କ ପରେ ଭୁବନେଶ୍ବର ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ଆଶାୟୀ ଏବେ ନିଜ ସ୍ବରକୁ ଶାଣିତ କଲେଣି । ଚିନ୍ତାରେ ସୁପ୍ରିମୋ, ଆରମ୍ଭ ହେଲା ଡ୍ୟାମେଜ୍ କଣ୍ଟ୍ରୋଲ । ତେବେ ବିଜେଡିର ବିଦ୍ରୋହ ଲାଗି ରାଜଧାନୀରେ ଏଥର ଦେଖିବାକୁ ମିଳିପାରେ ରୋଚକ ଲଢେଇ ।

ରାଜଧାନୀ ଛୁଇଁଲା ବିଜେଡି ବିଦ୍ରୋହ। ଟିକଟ୍ ଆଶା ମଉଳିଥିବାରୁ ଦଳ ଛାଡିଲେ ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଯାହାକୁ ନେଇ ହଲଚଲ୍ ରାଜଧାନୀ ରାଜନୀତି । ପ୍ରିୟଦର୍ଶୀ ସାଜିବେନି ତ ଅନ୍ୟ ବିଜେଡି ବିଦ୍ରୋହୀଙ୍କ ପାଇଁ ବଳ ? କାରଣ ଜଣେ ଟାଣୁଆ ସଂଗଠକ ହିସାବରେ ପ୍ରିୟଙ୍କ ଦବ ଦବା ରହିଛି । ୨୦୧୯ରେ ଟିକେଟ କାଟିବା ସମୟରେ ଦଳ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲା ଯେ ୨୪ରେ ଟିକେଟ ନିଶ୍ଚିତ। ମାତ୍ର ୫ ବର୍ଷ ଅପେକ୍ଷା ପରେ ବି ଟିକେଟ ଆଶା ମଉଳିବାରୁ, ଦୁଇ ଦଶନ୍ଧିର ସମ୍ପର୍କକୁ କାଟି ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ।

 ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଟକ୍କର ଦେବା ଭଳି ସ୍ଥିତିରେ ବିରୋଧୀ ନାହାଁନ୍ତି । କିନ୍ତୁ ପ୍ରିୟଦର୍ଶୀ ବିଜେପିରେ ଯୋଗ ଦେବା ପରେ ମାହୋଲ ଯଥେଷ୍ଟ ବଦଳିବ । ଏହାରି ଭିତରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ସେ ବିଭିନ୍ନ ସମାବେଶ କରି ସଂଗଠନକୁ ଆହୁରି ମଜବୁତ କରିସାରିଛନ୍ତି । ବିଜେପିର ବଢୁଥିବା କ୍ରେଜ୍ ଓ ପ୍ରିୟଦର୍ଶୀଙ୍କ ନିଜସ୍ବ ଭୋଟ୍ ବିଜେଡିକୁ ନାକେଦମ୍ କରିପାରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ।

ସେପଟେ ଭୁବନେଶ୍ବର ମଧ୍ୟ ଓ ଏକାମ୍ରରେ ବି ସମାନ ସ୍ଥିତି । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସିଧାସଳଖ ବିରୋଧ କରୁଛନ୍ତି ଆଶାୟୀ ପ୍ରାର୍ଥୀ ତଥା ଚାରି ଚାରି ଥରର କର୍ପୋରେଟର୍ ଅମରେଶ ଜେନା।

ଅନ୍ୟପଟେ ଭୁବନେଶ୍ବର ଏକାମ୍ରରେ ତ ସ୍ଥିତି ଆହୁରି ଜଟିଳ । ତିନି ତିନ ଥରର ବିଧାୟକ ଅଶୋକ ପଣ୍ଡାକୁ ଚାଲେଞ୍ଜ ଦେଇ ଟିକେଟ୍‌ ରେସ୍‌ରେ ନିଜକୁ ସାମିଲ କରିଛନ୍ତି ଆଉ ଜଣେ ପୁରୁଖା କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର । ସେ ମଧ୍ୟ ଏକାଧିକ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଉଭୟ ବିରଞ୍ଚି ଓ ଅମରେଶ ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଇଛନ୍ତି । ଯେକୌଣସି ପରିସ୍ଥିତିରେ ଉଭୟ ନିର୍ବାଚନ ଲଢିବେ ବୋଲି ରୋକ୍ ଠୋକ୍ କହିସାରିଲେଣି । ଏଥିଲାଗି ଦଳକୁ ଘାରିଛି ଭୟ । ପ୍ରିୟଦର୍ଶୀଙ୍କ ଭଳି ବିଦ୍ରୋହୀ ଦଳ ଡିଆଁ ଦେଲେ ବିଜେଡିକୁ ମହଙ୍ଗା ପଡିପାରେ । 

ସେଥିଲାଗି ସୁପ୍ରିମୋ ବିଦ୍ରୋହୀଙ୍କୁ ଡାକି ବୁଝା ସୁଝା କରିବା ଆରମ୍ଭ କରିଦେଇଛନ୍ତି । ଗତକାଲି ବିଜେଡି ଖୋର୍ଦ୍ଧା ଅଙ୍କ ଛିଡ଼ାଇବା ଲାଗି ବୈଠକ କରିଥିଲେ। ମାତ୍ର ବିଦ୍ରୋହୀଙ୍କ ପାଇଁ ଅନନ୍ତ ଓ ଅଶୋକଙ୍କ ଟିକେଟ ଅଙ୍କ ଛିଡ଼ାଇପାରୁନି ଦଳ। ୨୦୦୯ରୁ ଭୁବନେଶ୍ବରରେ ତିନି ନିର୍ବାଚନ ମଣ୍ଡଳୀ ଗଠନ ହେଲା। ସେବେଠାରୁ ବିଜେଡିର କଡ଼ା ପ୍ରତିଦ୍ୱଦ୍ୱୀ କେହି ନଥିଲେ। କିନ୍ତୁ ଏଥର ରାଜଧାନୀ ରାଜନୀତିରେ ବିଦ୍ରୋହ, ବିଜେଡି ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

  • Reported by:
  • RASHMIRANJAN DAS , JAGDISH DAS