/odishatv-khabar/media/post_attachments/uploadimage/library/16_9/16_9_0/No_Vote_1711813027.jpg)
No Vote
ଗାଁ ମୁଣ୍ଡରେ ଲେଖାଯାଇଛି ଚରମବାଣୀ...ପୋଷ୍ଟର ସହ ବ୍ୟାନର ବି ଲାଗିଛି...ଅଧପନ୍ତରିଆ ରାସ୍ତାର ସଂପୂର୍ଣ୍ଣ ନିର୍ମାଣ, ବିଜୁଳି ସଂଯୋଗ,
ମୋବାଇଲ୍ ଟାୱାର ସ୍ଥାପନ ସହ ପାନୀୟ ଜଳ ଯୋଗାଣ...ଏସବୁ ଯଦି ପୂରଣ ନହେବ, ନା କୌଣସି ନେତାଙ୍କୁ ଗାଁକୁ ପୂରାଇ ଦିଆଯିବ...ନା କୌଣସି ରାଜନୈତିକ ଦଳର ହେବ ଏଣ୍ଟ୍ରି । ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଦେବଗଡ଼ ତିଲେଇବଣି ବ୍ଲକ କଂସର ପଞ୍ଚାୟତ ବାସିନ୍ଦା । ପଞ୍ଚାୟତର ୮ଟି ଗାଁର ଲୋକେ ଏଯାଏଁ ଜୀଉଁଛନ୍ତି ଅନ୍ଧାରୀ ଜୀବନ । ଆଜିଯାଏ ବିଜୁଳି ପହଞ୍ଚିନି ଗାଁରେ । ଆଲୋକ ପାଇଁ ଯେଉଁ ସୋଲାର ସିଷ୍ଟମ ଦିଆଯାଇଥିଲା ସେସବୁ ଅଚଳ । ମୋବାଇଲ୍ ନେଟୱାର୍କ ସହ ପାନୀୟ ଜଳ ସମସ୍ୟା କଥା ତ ନ କହିବା ଭଲ । ତେଣୁ ପଞ୍ଚାୟତବାସୀ ପଣ କରିଛନ୍ତି, ନିର୍ବାଚନ ଆସିଲେ ଅଭିଯୋଗ ଶୁଣି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ଗାଁକୁ ପୂରାଇ ଦିଆଯିବ ନାହିଁ ।
ଏଭଳି ଦେଖିବାକୁ ମିଳିଛି କେନ୍ଦୁଝର ତେଲକୋଇ ବ୍ଲକ ଦାମୋଦରଗୋଣୀ ଗାଁରେ । ଗୋଟିଏ ପଟେ ଗାଁ, ଆର ପଟେ ବୋହିଯାଉଛି ନାଳ । ନିଇତି ନାଳପାରି ହୋଇ ଚାଷଜମିକୁ ଯିବାକୁ ପଡୁଥିବାରୁ ଗାଁ ଲୋକେ ପୋଲ ଖଣ୍ଡେ ପାଇଁ ଜନପ୍ରତିନିଧି ଏବଂ ପ୍ରଶାସନକୁ କେତେ ଗୁହାରି କରିଛନ୍ତି। କିନ୍ତୁ କେହି ନ ଶୁଣିବାରୁ ୨ ବର୍ଷ ତଳେ ଗାଁରେ ଚାନ୍ଦା ଆଦାୟ ସହ ଶ୍ରମଦାନ କରି ତିଆରି କଲେ ଅସ୍ଥାୟୀ କାଠପୋଲ। ଏହାପରେ ପୋଲ ଓ ରାସ୍ତାନିର୍ମାଣ ପାଇଁ ୬ କୋଟି ୧୯ ଲକ୍ଷ ଟଙ୍କା ମଞ୍ଜୁରୀ ବି ହୋଇଛି । କିନ୍ତୁ, ଅନ୍ୟତ୍ର କାମ ହେଉଥିବାରୁ ଅସନ୍ତୁଷ୍ଟ ଦାମୋଦରଗୋଣୀବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏଠି ତ ପିନକୋଡ୍ କୋରାପୁଟର, ଜିଲ୍ଲା କିନ୍ତୁ ରାୟଗଡ଼ା। ଆଜିକୁ ଦୀର୍ଘବର୍ଷ ହେଲା ବିଚିତ୍ର ସ୍ଥିତି ଦେଖାଦେଇଛି କୋରାପୁଟ ଅଞ୍ଚଳରେ ଥିବା ଗମ୍ଭାରୀଗୁଡ଼ା ଗାଁରେ । ତତ୍କାଳୀନ ଜୟପୁର ମହାରାଜା ଗଡ଼ଜାତର ଗମ୍ଭାରୀଗୁଡ଼ା ଗାଁକୁ କାଶିପୁର ରାଜାଙ୍କୁ ପ୍ରଦାନ କରିଥିଲେ । ଯେଉଁ ଗାଁର ପୋଷ୍ଟାଲ କୋଡ୍ କୋରାପୁଟ ଜିଲ୍ଲା ଅଧିନରେ ରହିଛି । କିନ୍ତୁ ସରକାରୀ କାଗଜପତ୍ରରେ ଠିକଣା ରହିଛି ରାୟଗଡ଼ା ଜିଲ୍ଲା । ପରିଣାମ ସ୍ୱରୂପ ଜିଲ୍ଲା ବିଭାଜନ ହେବାର ୩୧ ବର୍ଷ ପରେ ବି ସରକାରୀ ସୁବିଧା କ୍ଷେତ୍ରରେ ନାନା ସମସ୍ୟା ଭୋଗୁଛନ୍ତି ଲୋକେ । ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର । ଅଥଚ ଆଜି ଯାଏଁ ପଦକ୍ଷେପ ନିଆ ନ ଯିବାରୁ ଗମ୍ଭାରୀଗୁଡ଼ାବାସୀ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)