• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କାଣ୍ଟେ କି ଟକ୍କର । ସଭିଙ୍କ ହୋସ୍ ଉଡ଼ାଇଲା ନିର୍ବାଚନ ଫଳ । ହାରୁ ହାରୁ ଜିତିଗଲା ବିଜେଡି, ଜିତୁ ଜିତୁ ହାରିଗଲା ବିଜେପି । ସଜ ସଜ ସରିଛି ୨୦୨୪ ସାଧାରଣ ନିର୍ବାଚନ । ଯେଉଁଥିରେ ଓଡ଼ିଶାର ନିର୍ବାଚନ ଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ୨୫ବର୍ଷ ହେଲା ଶାସନ କରୁଥିବା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଓଡ଼ିଶାବାସୀ ।

ହେଲେ ସବୁ ଟ୍ୱିଷ୍ଟ ଭିତରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ରେଜଲ୍ଟ ଗୋଟିଏ ବଡ଼ ଟ୍ୱିଷ୍ଟ୍ ଆଣିଛି । ଅନନ୍ତ ନାରାୟଣ ଜେନା, ମଧ୍ୟ ନିର୍ବାଚନମଣ୍ଡଳୀର ନବନିର୍ବାଚିତ ବିଜେଡି ବିଧାୟକ । ତାଙ୍କ ପ୍ରତିଦ୍ୱନ୍ଦୀ ହେଉଛନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର ୩୭ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ଜଗା ପ୍ରଧାନ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ମାତ୍ ଦେଇ କଣ୍ଟାବାଞ୍ଜିର ରିୟଲ ହିରୋ ପାଲଟିଛନ୍ତି ଲକ୍ଷ୍ମଣ ବାଗ୍

ଏହି ପରାଜୟକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଫଳରେ ଚଞ୍ଚକତାର ଆଶଙ୍କା କରି ସେ ରିକାଉଣ୍ଟିଂ ପାଇଁ ଅପିଲ କରିଥିଲେ । ତଥାପି ଜନାଦେଶକୁ ମଥାନତ କରି ମାନି ନେଇଥିଲେ । ହେଲେ ମନ ନମାନିବାରୁ ଆଇନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଭୁବନେଶ୍ୱର ମଧ୍ୟ ଆସନରେ ଏଥର କଡା ମୁକାବିଲା ଦେଖିବାକୁ ମିଳିଥିଲା ।

ପ୍ରତି ରାଉଣ୍ଡରେ ବିଜେଡିର ଅନନ୍ତଙ୍କୁ ଜୋରଦାର ଟକ୍କର ଦେଉଥିଲେ ବିଜେପି ପ୍ରାର୍ଥୀ ଜଗା ପ୍ରଧାନ । ପ୍ରାରମ୍ଭିକ ରାଉଣ୍ଡରେ ଜଗା ପ୍ରଧାନ ଆଗରେ ଥିଲେ । ବିଜେପି ଉଡି ଉଡି ଆସୁଥିଲା । ସମସ୍ତେ ଭାବୁଥିଲେ ଭୁବନେଶ୍ୱର ମଧ୍ୟ ଆସନ ବି ପଦ୍ମ ଫୁଲକୁ ଯିବ । ହେଲେ ଶେଷ ବେଳକୁ ସବୁ ଓଲଟ ପାଲଟ ହେଇଗଲା ।

ଅନନ୍ତଙ୍କୁ ସମୁଦାୟ ୫୩,୭୫୯ ଖଣ୍ଡ ଭୋଟ ମିଳିଥିବା ବେଳେ ଜଗାଙ୍କୁ ମିଳିଥିଲା ୫୩,୭୨୨ ଖଣ୍ଡ ଭୋଟ୍ । ମାତ୍ର ୩୭ ଖଣ୍ଡ ଭୋଟରେ ହାରିଯାଇଥିଲେ ଜଗନ୍ନାଥ ପ୍ରଧାନ । ଏଥର ଏହି ନିର୍ବାଚନ ମଣ୍ଡଳୀ କିଏ ପ୍ରାର୍ଥୀ ହେବ ତାକୁ ନେଇ ଆରମ୍ଭ ହୋଇଥିଲା, ଟକରା ଟକରି । ବାଇଁଆ ଓରଫ୍ ଅମରେଶ ଜେନାଙ୍କ ଗୋଷ୍ଠୀ ଟିକେଟ ଆଶାୟୀ ଥିଲା ।

ସେମାନେ ଅନନ୍ତଙ୍କୁ ବିରୋଧ କରି ବିଜେଡି ଟିକେଟ ହାତେଇବା ଆଶାରେ ଥିଲେ । ହେଲେ ଶେଷ ବେଳକୁ ସ୍ଥିତି ଓଲଟି ଗଲା । ମଧ୍ୟ ଭୁବନେଶ୍ୱର ଆସନ ପାଇଁ ଶେଷ ମୁହୂର୍ତ୍ତରେ ବିଜେଡି ଅନନ୍ତ ଜେନାଙ୍କୁ ପ୍ରାର୍ଥୀ କରିଥିଲା । ଅନେକ କେଳେଙ୍କାରୀରେ ଫଶିଥିବା ଅନନ୍ତଙ୍କୁ ବିଜେଡି ଟିକେଟ୍ ଦେବା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଅଧିକ ପଢ଼ନ୍ତୁ: ୨୪ ଲଢେଇରେ ଚରମ ବିପର୍ଯ୍ୟୟ, ନବୀନଙ୍କ ଭାବମୂର୍ତ୍ତି ବଞ୍ଚାଇବାର ଚେଷ୍ଟାରେ ବିଜେଡି...

ସମସ୍ତେ ଭାବିଥିଲେ ବିଜେଡିର ଏହି ଗୋଷ୍ଠୀ କନ୍ଦଳ ହୁଏତ ଅନନ୍ତ ଓରଫ୍ ବୁନୁଙ୍କୁ ହରାଇଦେବ । ଏଣୁ ବିଜେପି ପ୍ରାର୍ଥୀ ଜଗା ପ୍ରଧାନଙ୍କ ବିଜୟ ସୁନିଶ୍ଚିତ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ହାରିଯାଇଥିଲେ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାରେ ବିପୁଳ ଜନ ସମର୍ଥନ ମିଳିଛି ।

ବିଜେପି ୨୧ ଲୋକସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିବା ବେଳେ ୧୪୭ ବିଧାସଭା ଆସନରୁ ୭୮ଟିରେ ଜିତି ବହୁମତରେ ସରକାର ଗଢିବାକୁ ଯାଉଛି । ସେହିପରି ୨୫ବର୍ଷ ଧରି ରାଜ୍ୟର ମଙ୍ଗ ଧରିଥିବା ବିଜେଡିକୁ ବିଧାନଭାରେ ୫୧ ଆସନ ମିଳିଥିବା ବେଳେ ଲୋକସଭାରେ ଖାତା ଖୋଲିପାରି ନାହିଁ ବିଜେଡି ।

OTV is now on Whatsapp

Join and get latest news update delivered to you via whatsapp

Join Now