/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715327599.jpg)
Baijayant Panda
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବୈଜୟନ୍ତ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ସେ ନାମାଙ୍କନ ଦାଖଲ କଲେ ।
ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୈଜୟନ୍ତ ପଣ୍ଡା ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ସେ ପ୍ରଥମେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ତିନି ମୁହାଣିରୁ ଶୁଭେଛୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ। ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା ଲ’ କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍ଷ୍ଟାଣ୍ଡ, ବଡ଼ ହାଟ ଓ ପୁରୁଣା ବସ୍ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ତା’ପରେ ସେ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।
ଗତକାଲି କେନ୍ଦ୍ରାପଡା ଜିଲ୍ଲା ଆଳିରେ ବିରାଟ ରୋଡ଼ ଶୋ କରିଥିଲେଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ଆରମ୍ଭ ହୋଇ ସିଦ୍ଧବାଲି ଠାରେ ଶେଷ ହୋଇଥିଲା। ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା।
ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି ? ଜାଣନ୍ତୁ କେବେ ଦେବେ ଭୋଟ୍...
ଆଖି ସର୍ଜରୀ ପାଇଁ କିଛିଦିନ ପ୍ରଚାରରୁ ବିରତି ନେଇଥିଲେ ବୈଜୟନ୍ତ। ନିର୍ବାଚନୀ ପ୍ରଚାର ବେଳେ ଆଖିରେ ଆଘାତ ଲାଗିବା କାରଣରୁ ତାଙ୍କର ଆଖି ସର୍ଜରୀ ହୋଇଥିଲା। ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବୈଜୟନ୍ତଙ୍କ ବିଶାଳ ମୋଟର ସାଇକେଲ ରାଲି ହୋଇଥିଲା। ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଥିଲେ। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଥିଲେ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟିକୁ ଭରସା କରି ଏଥର ଜନତା କେନ୍ଦ୍ରାପଡା ସମେତ ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ଆଣିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ । ନିକଟରେ ଭିକେ ପାଣ୍ତିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ନାମ ନନେଇ ତେରଚ୍ଛା ତୀର ମାରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି।
ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି ବୋଲି ସେ କହିଥିଲେ। ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର। ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି। ସାରା ଓଡ଼ିଶାବାସୀଙ୍କୁ ସରକାର ଗଠନ ନେଇ ମୋଦି ନମ୍ର ନିମନ୍ତ୍ରଣ ଦେଇଛନ୍ତି। ସେହିପରି ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଚାର ପ୍ରସଙ୍ଗରେ ମୁହଁ ଖୋଲିଥିଲେ ବୈଜୟନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)