• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଜେଡିରେ ହେବ ବଡ଼ ବିସ୍ଫୋରଣ । ଓଡ଼ିଶା ରାଜନୀତିରେ ଆସିବ ବଡ଼ ଭୂମିକଂପ । କେନ୍ଦ୍ରାପଡ଼ା ସଭାମଂଚରୁ ବିଜେଡି ଉପରେ ଏଭଳି ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ୨୫ ବର୍ଷ ପରେ ଓଡ଼ିଶାବାସୀ ପରିବର୍ତ୍ତନ ପାଇଁ ଭୋଟ୍ କରିଛନ୍ତି । ଦାଦନ ସରକାର ହଟାଇବା ପାଇଁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଭୋଟ୍ ଦେଇଛି ଓଡ଼ିଶା । ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି । ବିଜେଡିରେ ଯେଉଁଭଳି ଭାବେ ରାଜନୀତି ଚାଲିଛି, ସେହି ଦଳରେ ବିସ୍ଫୋରଣ ହେବ ବୋଲି କହିଛନ୍ତି ମୋଦି ।

ବାରିପଦା ଓ ବାଲେଶ୍ୱର ସଭାରେ ବି ବିଜେଡି ଉପରେ ବର୍ଷିଛନ୍ତି ମୋଦି । ଖଣି, ଚାଷୀ ଓ ଆଦିବାସୀଙ୍କ ପ୍ରସଙ୍ଗରେ ସିଧା ନବୀନ ସରକାରକୁ କରିଛନ୍ତି ଟାର୍ଗେଟ୍ । କହିଛନ୍ତି, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ହଜାର ହଜାର କୋଟି ଦେଇଛୁ ହେଲେ ବିଜେଡି ଘୋଟାଲା କରିଛି । ଲୁଟ୍ ମାଲ୍ ବିଦେଶକୁ ଯାଇଥିବା ଚର୍ଚ୍ଚା ହେଉଛି । ଗୋଟି ଗୋଟି କରି ଲୁଟ୍ ମାଲ୍ ଆଦାୟ ହେବ । ଜନତାଙ୍କ ଲୁଟେରା ସାରା ଜୀବନ ଜେଲରେ ରହିବେ।

ଅଧିକ ପଢ଼ନ୍ତୁ: 'କାହିଁକି ବର୍ଷେ ହେଲା ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡି ଚାଲିଛି, ନିର୍ଦ୍ଦିଷ୍ଟ ଗୋଷ୍ଠୀର ରହିଛି କି ଷଡ଼ଯନ୍ତ୍ର'

ଆଦିବାସୀ ପ୍ରସଙ୍ଗରେ ବି ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ମୋଦି । କହିଛନ୍ତି, ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା ବିଜେଡି ସରକାର । ହେଲେ ବିଜେପି ଚାପରେ ସେ ଆଇନ ପ୍ରତ୍ୟାହାର କରିଥିଲା । ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ ମୌକା ଛାଡ଼ିବନି ବୋଲି ସଭାମଂଚରୁ ଚେତାଇ ଦେଇଛନ୍ତି ମୋଦି । ବାଲେଶ୍ୱର ସଭାରେ ତ ମୋଦି, ସିଧା ନିଶାନା କରିଛନ୍ତି ବିଜେଡି ନେତାଙ୍କୁ । କହିଛନ୍ତି, ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକଲ୍ ନଥିଲା, ଏବେ ବଡ଼ ଗାଡ଼ି ଚଢୁଛନ୍ତି । ବିଜେଡି ନେତା ଚାଷୀଙ୍କ ନାଁରେ ନକଲି କାଗଜାତ ଦେଇ ଋଣ ଉଠାଇ ନେଇଛନ୍ତି । ଆପଣଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି । ବିଜେପି ସରକାର ଏ ସବୁ ଖେଳ ବନ୍ଦ କରିବ ବୋଲି ଦୃଢ ସ୍ୱରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

କେନ୍ଦ୍ରାପଡ଼ା ସଭାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡି ଉପରେ ବର୍ଷି, କହିଛନ୍ତି- ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ଉପରେ ଆଘାତ ଲାଗିଛି। ବିଜେଡି ନେତାମାନେ ଗୁଣ୍ଡାରାଜ ଓ ଦୁର୍ନୀତିରେ ଲିପ୍ତ । ଏହି ସ୍ଥିତିରୁ ଓଡ଼ିଶାକୁ ମୁକୁଳାଇବାକୁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।

ମେ ୬, ୧୦, ୧୯, ୨୯ । ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଚାରି ଚାରି ଥର ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୨ ସଂସଦୀୟ କ୍ଷେତ୍ରକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର । ପୁରୀ ଓ ଭୁବନେଶ୍ୱରରେ ମୋଦି, ମେଗା ରୋଡ୍ ସୋ କରିଥିବା ବେଳେ ୧୦ଟି ସ୍ଥାନରେ ନିର୍ବାଚନୀ ଜନସଭା କରିଛନ୍ତି । ମେ ୬ ବ୍ରହ୍ମପୁରରେ ପ୍ରଥମ ସଭାରୁ ଆଜି କେନ୍ଦ୍ରାପଡ଼ାରେ ଶେଷ ସଭା ଯାଏଁ, ଗୋଟିଏ କଥା ଦୋହରାଇଛନ୍ତି ଜୁନ୍ ୪ ତାରିଖରେ ବିଜେଡିର ୨୫ ବର୍ଷର ଶାସନରେ ଲାଗିବ ଫୁଲଷ୍ଟପ୍ । ଜୁନ୍ ୧୦ ତାରିଖରେ ରାଜ୍ୟରେ ବିଜେପି ସରକାରର ହେବ ଶପଥ ଗ୍ରହଣ ଉତ୍ସବ।

ଅଧିକ ପଢ଼ନ୍ତୁ: ବିଜେଡିର 'ରତ୍ନଭଣ୍ଡାର' ସ୍ପଷ୍ଟୀକରଣ ଚେଷ୍ଟା; ପୁଣି ଟାର୍ଗେଟ୍ କଲା ବିଜେପି

OTV is now on Whatsapp

Join and get latest news update delivered to you via whatsapp

Join Now