• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଥମ ଦଫାରେ ଟିକେଟ୍ ପାଇଥିବା ବିଜେଡି ନେତାଙ୍କୁ ଆଶ୍ୱସ୍ତି । କିନ୍ତୁ ତାଲିକାରେ ନାଁ ନଥିବା ନେତାଙ୍କର ନିଦ ହଜିଯାଇଛି । ଏଭଳି ସ୍ଥଳେ କିଏ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରି ଟିକଟ୍ ଲବି କରୁଛି ତ ଆଉ କିଏ ଟିକଟ୍ ପାଇଁ ସୁପ୍ରିମୋଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି । ବିଜେଡିର ପ୍ରଥମ ତାଲିକାରେ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।

ଅନ୍ୟପଟେ ଅଘୋଷିତ ସିଟ୍ ପାଇଁ ନେତାଙ୍କ ଛାତି ଧଡ ଧଡ । ଟିକେଟ ରହିବ ନା ନାହିଁ, ତାକୁ ନେଇ ଆଶା ଆଶଙ୍କା ଭିତରେ ନେତା, ବିଧାୟକ । ଅବଶ୍ୟ ୭୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୬ ଜଣଙ୍କୁ ଦଳ ରିପିଟ୍ କରିଛି । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ନୂଆ ମୁହଁକୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କୁ ଏଥର ଦଳ ଟିକେଟ ଦେଉଛି ନା ନାହିଁ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ସେହିପରି ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ବି ନିଜ ଆସନକୁ ନେଇ ସନ୍ଦିହାନ । ଉଭୟ ଅମର ଓ ଭାଗୀରଥି ଆଜି ନବୀନ ନିବାସ ଯାଇ ସୁପ୍ରିମୋଙ୍କୁ ଭେଟିଛନ୍ତି । ସେପଟେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଲୋକସଭା ଟିକେଟ କଟିବା ପରେ ଦଳ ତାଙ୍କୁ ବିଧାନସଭା ନିର୍ବାଚନରେ ଲଢିବାକୁ ସୁଯୋଗ ଦେଉଛି କି ନାହିଁ ତାକୁ ନେଇ ଢେଙ୍କାନାଳ ରାଜନୀତିରେ ଚର୍ଚ୍ଚା ।

ଏଣେ ଭୁବନେଶ୍ୱରର ତିନି ଆସନ ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ତୀବ୍ର । ଯେଉଁଥି ପାଇଁ ନିଜ ସିଟ୍ କୁ ନେଇ ଦ୍ୱନ୍ଦ୍ୱରେ ତିନି ବିଧାୟକ । ଅନ୍ୟପଟେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ଯୋଗ ଦେବା ପରେ ପାରାଦ୍ୱୀପ ରାଜନୀତି ବି ସରଗରମ । ଗତକାଲି ଶଙ୍ଖ ଭବନରେ ବାପି ସର୍ଖେଲ ନିଜ ସମର୍ଥକଙ୍କ ସହ ବୈଠକ କରିଛନ୍ତି ।

ପାରାଦ୍ୱୀପ ବିଧାୟକଙ୍କ ବିରୋଧରେ ମେଳି ମଧ୍ୟ ହୋଇଛି । ଏପଟେ ନବୀନ ନିବାସରେ ଟିକଟ୍ ପାଇଥିବା ନେତାଙ୍କ ଗହଳି । ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇବା ପାଇଁ ପହଞ୍ଚିଥିଲେ ନେତା । ଅନ୍ୟପଟେ ଟିକଟ୍ ଆଶାରେ ଥିବା ପ୍ରିୟଦର୍ଶୀ ମିଶ୍ର, ଆକାଶ ଦାସନାୟକ ଓ ଚିନ୍ମୟ ସାହୁଙ୍କୁ ବି ଆଜି ନବୀନ ନିବାସ ଡକରା ହୋଇଥିଲା । କେହି କିଛି ପ୍ରତିକ୍ରିୟା ଦେଇନଥିଲେ ବି ଟିକଟ୍ ପାଇଁ ଲବିକୁ ଏହି ତିନି ଆଶାୟୀ ଜୋରଦାର କରିଛନ୍ତି ।

ଗୋଟିଏ ପଟେ ଲବି, ଆଉ ଅନ୍ୟପଟେ ଶକ୍ତି ପ୍ରଦର୍ଶନ । କଂଗ୍ରେସ ନେତା ଜୟରାମ ପାଙ୍ଗୀଙ୍କ ପୁଅ ଅଶୋକ ପାଙ୍ଗୀ ଆଜି ନିଜ ସମର୍ଥକଙ୍କୁ ଧରି ନବୀନ ନିବାସରେ ପହଞ୍ଚିଥିଲେ । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ପାଇଁ ଅଶୋକ, ଦଳପତିଙ୍କ ପାଖରେ ଲବି କରିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଦ୍ରୋହକୁ ଦମନ କରିବାକୁ ଦଳ ଅଧିକ ପ୍ରାର୍ଥୀଙ୍କୁ ରିପିଟ୍ କରିଛି ।

କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ଟିକଟ କଟିବାର ଯଥେଷ୍ଟ ଆଶଙ୍କା ରହିଛି । ଏବେ ଅପେକ୍ଷା ବିଜେଡି ତାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା କେବେ ପ୍ରକାଶ କରୁଛି ଓ କେତେ ଜଣଙ୍କର ଟିକଟ କଟୁଛି ?

  • Reported by:
  • RASHMIRANJAN DAS , JAGDISH DAS , ARACHANA SATPATHY