• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? ଏହାକୁ ନେଇ ସବୁବେଳେ ଚର୍ଚ୍ଚା ଓ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ‘ଉତ୍ତରାଧିକାରୀ ନେଇ ବିଜେଡିର ନିର୍ଦ୍ଦିଷ୍ଟ ଯୋଜନା ରହିଛି । ଦଳ ଆଗକୁ ଦୀର୍ଘଦିନ ଧରି ଲୋକଙ୍କ ସେବା କରିବ’ । ନବୀନଙ୍କ ଏ ଉକ୍ତି ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ୍ । ତେବେ ଏ ଯୋଜନା କଣ  ? କିଏ ଓ କେବେ ନବୀନଙ୍କ ଉତ୍ତରାଧିକାରୀ, ତାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି ।

୨୨ ବର୍ଷ ଧରି  ବିଜେଡିର ନିରଙ୍କୁଶ ଶାସନ । ପ୍ରତ୍ୟେକ ନିର୍ବାଚନରେ ପୁଣି ଉପର ମୁହାଁ ଜନ ସମର୍ଥନ । ଓଡ଼ିଶା ରାଜନୀତିରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଚାଲିଛନ୍ତି ନବୀନ । ତେବେ ଆଗକୁ କେମିତି ଚାଲିବ ବିଜେଡି ? କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ? କିଏ ଧରିବ ବିଜେଡିର ମଙ୍ଗ ? ଏସବୁ ଚର୍ଚ୍ଚା ଭିତରେ ଏକ ଇଂରାଜୀ ପତ୍ରିକାକୁ ନବୀନ ଦେଇଥିବା ଏକ ସାକ୍ଷାତକାରରେ ଉତ୍ତରାଧିକାରୀ ନେଇ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ‘ଉତ୍ତରାଧିକାରୀ ନେଇ ବିଜେଡିର ନିର୍ଦ୍ଦିଷ୍ଟ ଯୋଜନା ରହିଛି । ଦଳ ଦୀର୍ଘଦିନ ଧରି ଲୋକଙ୍କ ସେବା କରିବ ।’

ତେବେ ଏହା ପୂର୍ବରୁ କିନ୍ତୁ ୨୦୧୯ରେ ନବୀନ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ କହିଥିଲେ, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ବାଛିବେ । ସେହିବର୍ଷ ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ କହିଥିଲେ ବିଜେଡି କେବଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ଆନ୍ଦୋଳନ । ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ । ଦଳ ଆଗକୁ ବଢିବ ଏବଂ ତିଷ୍ଠି ରହିବା ପାଇଁ କୌଣସି ନେତା କିମ୍ବା ମୋ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ ।

ହେଲେ ଏବେ ଇଂରାଜୀ ପତ୍ରିକାରେ ନବୀନଙ୍କ ସାକ୍ଷତାକାର ଆସିବାପରେ ଚର୍ଚ୍ଚା ହେଉଛି ଉତ୍ତରାଧିକାରୀ ପାଇଁ କଣ ରହିଛି ଦଳର ପ୍ଲାନ୍ ? କେମିତି କାର୍ଯ୍ୟକାରୀ ହେବ ଯୋଜନା । ତାକୁ ନେଇ ଲାଗି ରହିଛି ସସ୍‌ପେନ୍ସ । ସେପଟେ ଗତ ସେପ୍ଟେମ୍ବର ୨୯ ଓ ୩୦ରେ ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ପ୍ରତିନିଧି ସମ୍ମିଳନୀ । ସେହି ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗନଦେବା ଅନେକ କିଛି ସଙ୍କେତ ଦେଇଥିଲା । ଦଳର ନେତାମାନେ ମଧ୍ୟ ବିଜେଡିର ଭବିଷ୍ୟତ ନେଇ ନିଜ ନିଜ ଅନ୍ଦାଜରେ ମତ ରଖିଥିଲେ ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ବିଜେଡିର ପାଓ୍ୱାର ସୋ ! 

ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ୫ଟି ଉପନିର୍ବାଚନ ସହ ମୋଟ୍ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଲଢ଼େଇରେ ବିଜେଡିର ବାଜିମାତ୍ ହୋଇଛି । ସେହିପରି ଚଳିତ ବର୍ଷ ଅନୁଷ୍ଠିତ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ନବୀନ ପ୍ରତ୍ୟେକ୍ଷ ଭାବେ ପ୍ରଚାରକୁ ଓହ୍ଲାଇ ନଥିଲେ । ତଥାପି ଦଳକୁ ସଫଳତା ମିଳିଥିଲା । ପୂର୍ବରୁ ମଧ୍ୟ ଦଳୀୟ ନେତାମାନେ ବିଜେଡି ଆଗାମୀ ୫୦ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିବା ନେଇ ସଙ୍କେତ ଦେଇଥିଲେ ।

ସେଇ ଅନୁସାରେ ଦଳ ପ୍ରସ୍ତୁତିରେ ଲାଗି ପଡିଛି । ଯେମିତି କି ବିଜେଡି ର ନୂଆ ରାଜ୍ୟ କାର୍ଯ୍ୟାଳୟ ଓ ଜିଲ୍ଲା ସ୍ତରରେ ଅଫିସ୍ ନିର୍ମାଣ, ଓଡ଼ିଶା ପ୍ରତି ନବୀନଙ୍କ ୨୫ ବର୍ଷର ସେବା ନେଇ ପ୍ରଚାର ପ୍ରସାର, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହି କେବେଳ ଭିଡିଓ ମେସେଜ୍ ଦେବା ଓ ସାଂଗଠନିକ ସ୍ତରରେ ଯୁବ ଚେହେରାମାନଙ୍କୁ ପ୍ରାଧାନ୍ୟ ଦେବା ହିଁ ସଂକେତ ଦେଉଛି ବିଜେଡି ଲଙ୍ଗ ଇନିଂସ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ତେବେ ନବୀନଙ୍କ ପରିବାରରୁ କେହି ଉତ୍ତରାଧିକାରୀ ହେବେ ନା ଦଳରୁ କେହି ମଂଗ ଧରିବେ । ତାହା ହିଁ ଏବେ ସବୁଠୁ ବଡ଼ ପ୍ରଶ୍ନ ।

ଇଂରାଜୀ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ନବୀନ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ନେଇ ନିଜ କାର୍ଡ ଖୋଲିଛନ୍ତି । ବିଜେପି ସହ ରାଜ୍ୟରେ ଲଢ଼େଇ ଓ କେନ୍ଦ୍ରରେ ଏନ୍‌ଡିଏକୁ ସମର୍ଥନ ନେଇ କହିଛନ୍ତି ସରକାର ଓ ଦଳ ଭିନ୍ନ ଭିନ୍ନ । ଶାସନ ଓ ରାଜନୀତି ମଧ୍ୟ ଅଲଗା ଅଲଗା । ରାଜ୍ୟର ଉନ୍ନତି ଓ ଦେଶର ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି କାମ କରାଯାଏ ବୋଲି ନବୀନ ମତ ରଖିଛନ୍ତି ।  ତେବେ ପ୍ରଶ୍ନ ଉଠୁଛି, ଏହା ରାଜନୀତିର ଦୋମୁହାଁ ନୀତି ନୁହେଁ କି ?