• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ତୁତୀୟ ସାମ୍ମୁଖ୍ୟରେ ନାହିଁ ବିଜେଡି । ଆଗାମୀ ନିର୍ବାଚନରେ ଏକା ଲଢ଼ିବ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । କେବଳ ପୁରୀରେ ବିମାନବନ୍ଦର ପାଇଁ ଆଲୋଚନା କରାଯାଇଛି । ଏହାସହ ଭୁବନେଶ୍ୱରରେ ହେଉଥିବା ଟ୍ରାପିକ୍‌ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରାଯାଇଛି । ଓଡ଼ିଶାରୁ ସ୍ୱାର୍ଥ ତଥା ଓଡ଼ିଶାର ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୃତୀୟ ସାମ୍ମୁଖ୍ୟରେ ସେ ନାହାନ୍ତି ବୋଲି ଆଜି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ୯ ତାରିଖ ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓଡ଼ିଶା ଆସି ନବୀନଙ୍କୁ ଭେଟିବା ପରେ ନବୀନ ତୃତୀୟ ସାମ୍ମୁଖ୍ୟ ବା ନୀତୀଶଙ୍କ ମୋଦି ବିରୋଧୀ ମେଣ୍ଟରେ ସେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ନୀତୀଶ ଏବେ ସାରା ଦେଶରେ ବୁଲି ବୁଲି ବିଜେପି ବିରୋଧୀ ନେତାଙ୍କୁ ଏକାଠି କରୁଛନ୍ତି । ତେବେ ନବୀନଙ୍କ ପୂର୍ବରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ସାରିଥିଲେ । ସମସ୍ତେ ମୋଦି ବିରୋଧୀ ମେଣ୍ଟରେ ସାମିଲ ହେବେ ବୋଲି ପ୍ରତ୍ୟକ୍ଷ ତଥା ପରୋକ୍ଷରେ ସଂକେତ ଦେଇଛନ୍ତି ।

ହେଲେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ଏନେଇ କିଛି ବି ସଙ୍କେତ ଦେଇନଥିଲେ । ନୀତୀଶଙ୍କୁ ଭେଟିବା ପରେ ନବୀନ ଗଣମାଧ୍ୟମ ଆଗରେ କହିଥିଲେ ଯେ ‘ପୁରୀରେ ବିହାର ଭବନ ନିର୍ମାଣ ପାଇଁ ନୀତୀଶଙ୍କ ସହ ଆଲୋଚନା ହୋଇଛି । ଅନ୍ୟ କୌଣସି ରାଜନୀତି ଆଲୋଚନା ହୋଇନାହିଁ ।’ କିନ୍ତୁ ଏହି ଭେଟଘାଟକୁ ନେଇ ସେତେବେଳେ ଟ୍ୱିଷ୍ଟ ଆସିଥିଲା ଯେତେବେଳେ ନୀତୀଶଙ୍କ ଦଳ ଜେଡିୟୁ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା । ଆଉ ସେଥିରେ ନବୀନ ନୀତୀଶଙ୍କ ଫଟୋ ଲଗାଇ ଲେଖାଯାଇଥିଲା ଯେ ସାରା ଦେଶରେ ମୋଦି ବିରୋଧୀଙ୍କୁ ଏକାଠି କରୁଛନ୍ତି ନୀତୀଶ । 

ତେବେ ଏହି ପୋଷ୍ଟ ପରେ ଓଡ଼ିଶାରେ ରାଜନୀତି ତେଜିବାରେ ଲାଗିଲା । ନୀତୀଶଙ୍କୁ ଭେଟିବାର ପର ଦିନ ହିଁ ନବୀନ ଦିଲ୍ଲୀ ଅଭିମୁଖେ ବାହାରି ଯାଇଥିଲେ । ଯାହାକି ରାଜନୀତି ବିଶେଷଜ୍ଞଙ୍କୁ ଚମକାଇ ଦେଇଥିଲା । ଏହାସହ ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଥିଲା । ନୀତୀଶଙ୍କ ସହ ଭେଟଘାଟ ପରେ ଅଚାନକ ନବୀନଙ୍କ ଦିଲ୍ଲୀ ଗସ୍ତକୁ ସହଜରେ ହଜମ କରିପାରିନଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ।

ନୀତୀଶଙ୍କୁ ଭେଟିଥିବାରୁ କାଳେ ମୋଦି-ଶାହ ରାଗିଥିବେ, ତେଣୁ ସେମାନଙ୍କୁ ବୁଝାଇବାକୁ ନବୀନ ଦିଲ୍ଲୀ ଯାଇଥିବା ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ତେବେ ଆଜି ମୋଦିଙ୍କୁ ଭେଟିବା ପରେ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ହେଲେ ନବୀନଙ୍କ ଅଚାନକ ଗସ୍ତକୁ ବିରୋଧୀ କିମ୍ବା ରାଜ୍ୟବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।