ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି । ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ସଂଧ୍ୟାରେ ଯାଜପୁର ଧର୍ମଶାଳା ମହୋତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । କିଛି ତଥାକଥିତ ନେତାଙ୍କର ଭ୍ରାନ୍ତ ଧାରଣା ଥିଲା ସେମାନେ ଏ ଜିଲ୍ଲାରେ ଅପରାଜେୟ । ମାତ୍ର ସେ ଗର୍ବ ଓ ଅହଂକାରକୁ ଆପଣମାନେ ଚୂରମାର କରି ଦେଇଛନ୍ତି ।
ଏଇ ମହତକାର୍ଯ୍ୟ କରିଥିବାରୁ ଆପଣମାନେ ଆଜି ଧନ୍ୟବାଦର ପାତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଯାଜପୁର ଜିଲ୍ଲାରେ ପରିବାରବାଦର ଅନ୍ତ ଘଟିଛି । ଏଠି ଦୁଇଟି ପରିବାର ସେମାନେ ନିଜର ଜାଗିର ଜମି ବୋଲି ଭାବୁଥିଲେ । ଏ ମାନସିକତାରେ ପରମାନେଣ୍ଟଲି ଦ ଏଣ୍ଡ୍ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅଧିକ ପଢ଼ନ୍ତୁ: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା
Also Read
ସେହିପରି ଖଣି ଲୁଟ୍ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରିଛନ୍ତି । କିଛି ଭୋକିଲା ନେତା ଏତେ ଭୋକିଲା ଥିଲେ ଯେ ଏ ଜିଲ୍ଲାର ବାଲି ଗୋଡି ବି ଖାଇଯାଉଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ନେଇ ଯାଜପୁର ଜିଲ୍ଲା ବିଜେଜଡି ସଭାପତି କହିଛନ୍ତି ଲୋକେ ଯାହା ଚାହିଁବେ ତାହା କରିବେ । ମାତ୍ର ପରକୁ କହିବା ପୂର୍ବରୁ ନିଜକୁ ଦେଖିବା ଉଚିତ ବୋଲି ଜିଲ୍ଲା ବିଜେଡି ସଭାପତି କହିଛନ୍ତି ।
ବିଜେଡିରେ ପୁଣି ମୂଷା ଉପାଖ୍ୟାନ । ମୂଷା ଉପାଖ୍ୟାନ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ କହିଛନ୍ତି ବିଜେଡିର କିଛି ମୂଷା ଅନ୍ୟ କିଆରିକୁ ପଳାଇଲେଣି । ସମ୍ପୂର୍ଣ୍ଣ ମୂଷା ବଂଶକୁ ନିପାତ କରି ହେବନି କିନ୍ତୁ ପ୍ରତିକାର କରିବାକୁ ପଡ଼ିବ । ମୂଷାକୁ ଫସଲ ଠାରୁ ଦୂରେଇବାକୁ ପଡ଼ିବ । ପୂର୍ବରୁ ନିର୍ବାଚନ ପରାଜୟ ବାବଦରେ ମୂଷା ଉପାଖ୍ୟାନ କହିଥିଲେ ସମ୍ବିତ । ସମ୍ବିତ କହିଥିଲେ, ଢୋଲ ଭିତରେ ମୂଷା ରହିଲେ । ଯେଉଁଥିପାଇଁ ବିଜେଡି ହାରିଲା ।
ସେପଟେ ଗଞ୍ଜାମ ଓ ଯାଜପୁର ପରେ ଏବେ କଟକ ବିଜେଡିରେ କନ୍ଦଳ ତୀବ୍ର । ବିପର୍ଯ୍ୟୟ ପରେ ସେଇ ପୁରୁଣା ନେତାଙ୍କୁ ପୁଣି ଦାୟିତ୍ୱକୁ ସହଜରେ ହଜମ କରିପାରୁ ନାହାନ୍ତି ନେତା । ଗୋଟିଏ ପଟେ ଦଳ ଆସନ୍ତା ୬ ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ବିଶାଳ ସମାବେଶ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରୁଛି, ଅନ୍ୟପଟେ ନେତା ନେତାଙ୍କ ଭିତରେ ଗୋହି ଖୋଳାଖୋଳି ।
ବିଶେଷ କରି ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ରାଜା ସ୍ୱାଇଁ, ଚନ୍ଦ୍ରସାରଥୀ ବେହେରାଙ୍କ ଭଳି ବରିଷ୍ଠ କଟକିଆ ନେତା ଦଳୀୟ ପରିଚାଳନା ଦାୟିତ୍ୱକୁ ନେଇ ନାଖୁସ୍ ଅଛନ୍ତି । ଯେଉଁଥିପାଇଁ ଦଳରେ ବିଭାଜନ ଜଳ ଜଳ ଦେଖାଦେଲାଣି । କିନ୍ତୁ ଦଳ କହୁଛି ଆମେ ସଂଗଠିତ ଅଛୁ । କଟକ ବିଜେଡିରେ ଫାଟ ବଢୁଥିବା ବେଳେ ମୁଖିଆ କେମିତି ଏହାକୁ ମ୍ୟାନେଜ କରିବେ ତାହା ବଡ଼ ଚାଲେଞ୍ଜ ।