/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752052253.jpg)
ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ
ଭୁବନେଶ୍ୱର; ଖୁବଶୀଘ୍ର ମୋହନ ମାଝୀ ସରକାରର ରୂପରେଖ ବଦଳିବ । ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦ ପୁରଣ ହେବ । ଏନେଇ ଆଜି ଇଶାରା ଦେଇଛନ୍ତି ନବନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହା ସହ ଖୁବ୍ ଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ପଦ ପୁରଣ ହେବ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ । ଯେଉଁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନକୁ ହଟାଇ ବିଜେପି କ୍ଷମତାକୁ ଆସିଛି ସେମାନଙ୍କୁ ବିଭିନ୍ନ ବୋର୍ଡରେ ଥଇଥାନ କେବେ ବୋଲି ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ମନମୋହନ । ଗତକାଲି ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା କରିଥିଲା ବିଜେପି । ଆଜି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଦଳର ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶୀବାଦ ନେଇ ଦଳୀୟ ସଂଗଠନ, ମନ୍ତିମଣ୍ଡଳ ସଂପ୍ରସାରଣ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେପଟେ ନୂଆ ଟିମ ସହ କାମ କରି ସଂଗଠନକୁ ସୁଦୃଢ଼ କରିବାକୁ ହେବ ବୋଲି କହିଛନ୍ତି ମନମୋହନ । ଆଗକୁ ଚ୍ୟାଲେଞ୍ଜ ଭାବେ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି ଏଣୁ ଦଳକୁ ବଳ ଦରକାର ଏଣୁ ଜି ଜାନ୍ ଲଗାଇ ପ୍ରୟାସ କରୁଛି ବିଜେପି । ଏଠାରେ କହି ରଖୁଛୁ ଯେ, ଶାସକ ଦଳ ଭାବେ ଯଦିଓ ଏଯାଏଁ ସେତେଟା ଗୋଷ୍ଠୀ କନ୍ଦଳ ଦେଖା ଯାଇନି, ତଥାପି ଯେ ସଂଗଠନ ଭିତରେ ଥିବା କିଛିଟା ଗୋଷ୍ଠୀ ବିବାଦ ଯେମିତି ତୀବ୍ର ନହୁଏ ସେଥିପ୍ରତି ବି ଗୁରୁତ୍ବ ଦେବାକୁ ହେବ ବୋଲି ଗତକାଲି ନିଜ ସମ୍ବର୍ଦ୍ଧନା ସଭା ଉଦବୋଧନରେ କହିଥିଲେ ମନମୋହନ ।
ଆଗାମୀ ଦିନରେ ମୁଁ ନିଜକୁ ପରିବର୍ତ୍ତନ କରିବି କହି ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡେଡ୍ ୱି ଫଲ୍ ଉକ୍ତିକୁ ନିଜ ସଭାପତି ଭାଷଣରେ ଉଦ୍ଧାର କରିଛନ୍ତି ମନମୋହନ। ସେହିପରି ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ସରକାର ଆଉ ଦଳର ସଭାପତିଙ୍କଠାରୁ ବି ଢେର ଆଶା ରଖିଛନ୍ତି ଉଭୟ କର୍ମୀ ଏବଂ ରାଜ୍ୟବାସୀ। କାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଓଡିଶାକୁ ଏକ ନମ୍ବର କରିବାକୁ ପ୍ରତିଶ୍ରୁତି ଦେବା ସହ ଡବଲ ଇଂଜିନ୍ କଥା କହି ଲୋକଙ୍କୁ ପ୍ରଭାବିତ କରିଥିଲେ। ତେଣୁ ଡବଲ ଇଂଜିନର ଉପଲବ୍ଧି କଣ ଆଉ ସିଙ୍ଗଲ ଇଂଜିନ ଭିତରେ ଫରକ କଣ ସେକଥା ଲୋକଙ୍କ ପାଖରେ ରଖିବାକୁ ପଡିବ। ବାଦ ବିବାଦରେ ଯେତେବେଳେ ସରକାର ଛନ୍ଦି ହେଉଛନ୍ତି ସେତେବେଳେ ଦଳ ମଜଭୁତ୍ ଭାବେ ପଛରେ ଖୁଣ୍ଟ ଭଳି ଠିଆ ହୋଇ ସରକାରକୁ ସୁରକ୍ଷା ବି ଯୋଗାଇବାକୁ ହେବ। ଏସବୁ ଆହ୍ବାନକୁ ମନମୋହନ କେମିତି ଓଭରକମ୍ କରୁଛନ୍ତି ତା ଉପରେ ଆଗାମୀ ଦିନରେ ନଜର ନିଶ୍ଚୟ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)