• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନ ର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡି ର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି । ଗୃହ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ । କେବଳ ବିଧାୟକ ନୁହଁନ୍ତି ଅଧିକାଂଶ ମନ୍ତ୍ରୀମାନଙ୍କର ବି ଆଜି ଦେଖାନଥିଲା ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ବିଧାନସଭାରେ ପ୍ରମୁଖ ଭୂମିକା ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ ବି ଆଜି ଅନୁପସ୍ଥିତ ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିରଂଜନ ଅର୍ଥ ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ପଂଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

ସେହିଭଳି ପଶ୍ଚିମ ଓଡିଶାର ଅଧିଂକାଶ ମନ୍ତ୍ରୀ ଓ ବିଧାୟକ ଆଜି ଅନୁପସ୍ଥିତ ଥିଲେ । ମନ୍ତ୍ରୀ ନବ ଦାସ, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରୀତା ସାହୁ, ପ୍ରତାପ ଦେବ, ସମୀର ଦାଶ ପ୍ରମୁଖ ଗୃହକୁ ଆସିନଥିଲେ । ବିଧାୟକ ସୂଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସୁଧିର ସାମଲ ପ୍ରମୁଖ ମଧ୍ୟ ଅନୁପସ୍ଥିତ ଥିଲେ ।

ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ସେଠାରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଥିଲେ ବି ଅଧିକାଂଶ ଯୋଗ ଦେଇନଥିଲେ । ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ନିର୍ବାଚନ ହାରିଯିବା ଭୟରେ ପୁରା ଶାସକ ଦଳ ପଦ୍ମପୁରେ ଡେରା ପକାଇଛନ୍ତି । ବିଧାନସଭାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିରୋଧୀ କହିଛନ୍ତି ।

ସେପଟେ ପଦ୍ମପୁର ଉପନିର୍ବାଚନରେ ସରକାରୀ କର୍ମଚାରୀଙ୍କୁ ଶାସକ ଦଳ ବ୍ୟବହାର କରୁଥିବା ବାରମ୍ବାର ଅଭିଯୋଗ ହୋଇଛି । ଯାହାର ପ୍ରମାଣ ଆସିବାପରେ ୧୬ ଜଣ ଗ୍ରାମରୋଜଗାର ସେବକଙ୍କୁ ବଦଳି କରିଛନ୍ତି ବରଗଡ଼ ଜିଲ୍ଲାପାଳ । ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଆୟୋଜିତ ରାଜୈନତିକ କାର୍ଯ୍ୟକ୍ରମରେ ଏହି ଜିଆର୍‌ଏସ୍‌ ମାନେ ଯୋଗଦେଇଥିଲେ ।

ଅଧିକ ପଢ଼ନ୍ତୁ: ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଏହା ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ ବିଭିନ୍ନ କଲେଜ୍‌ରେ ଅଧ୍ୟାପକଙ୍କ ସହ ବୈଠକ କରିଥିବାରୁ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସୁପାରିଶ କରିଥିଲେ । ଏ ସଂପର୍କରେ ମୁଖ୍ୟ ନିର୍ବାନ ଅଧିକାରୀ ରାଜ୍ୟ ସରକାରଙ୍କୁ ଅବତ କରାଇଛନ୍ତି ।

ଧାମନଗର ହାରିବା ପରେ ପଦ୍ମପୁର ଉପନିର୍ବାଚନ ଏବେ ଶାସକ ପାଇଁ କର ବା ମର ସ୍ଥିତି ଆଣିଛି । ଏଥିପାଇଁ ଡିସେମ୍ବର ୫ରେ ଭୋଟ୍ ଗ୍ରହଣ ହେବ । ତେଣୁ ଶୀତ ଅଧିବେଶନର ପ୍ରଥମ ପର୍ଯ୍ୟାରେ ଏଭଳି ଏମ୍ଏଲ୍ଏ ମରୁଡ଼ି ଦେଖିବାକୁ ମିଳିବ ବୋଲି କୁହାଯାଉଛି ।