ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ବିଧାନସଭାରେ ବାଜିଲା ଘଣ୍ଟ, ପେଁକାଳୀ । କଳା ପୋଷାକରେ ଗୃହ ଭିତରେ ଘଣ୍ଟ ବାଡ଼େଇଲେ କଂଗ୍ରେସ ସଦସ୍ୟ । ଫଳରେ ଆଜି ପୁଣି ଅଚଳ ହୋଇଛି ବିଧାନସଭା । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । କଳା ଡ୍ରେସ୍ ପିନ୍ଧି ବିଧାନସଭାକୁ ଆସିଲେ, ପ୍ରଶ୍ନକାଳ ଆରମ୍ଭରୁ ଘଣ୍ଟ ବାଡ଼େଇ ପ୍ରବଳ ହୋହଲ୍ଲା କଲେ । ଯାହାଫଳରେ ସାଢ଼େ ୧୧ ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢୀ ।
ଅଧିକ ପଢ଼ନ୍ତୁ: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ୭ ଦିନର ନିଲମ୍ବନ ଆଜି ଶେଷ ହୋଇଛି । ଆଜି ପୁଣିଥରେ ବିଧାନସଭାକୁ ଫେରିଥିଲେ ତାରା । ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କରିଥିଲେ । ହେଲେ ଗୃହ ଆରମ୍ଭରୁ ଦେଖାଯାଇଥିଲା ପ୍ରବଳ ହୋହଲ୍ଲା ହଟ୍ଟଗୋଳ । ତାରା ବାହିନୀପତିଙ୍କ ସମେତ କଂଗ୍ରେସ ସଦସ୍ୟାମାନେ ନାରୀ ସୁରକ୍ଷା ଏବଂ ନାବାଳିକା ଗର୍ଭବତୀ ହେବା ପ୍ରସଙ୍ଗରେ ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ । ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିବା ପରେ କଂଗ୍ରେସ ବିଧାୟକମାନେ ବିଧାନସଭାରୁ ବାହାରି ପ୍ରତିବାଦ ଜାରି ରଖିଛନ୍ତି ।
କଂଗ୍ରେସ ସଦସ୍ୟ କଳା ପୋଷାକ ପିନ୍ଧି ବିଧାନସଭା ପରିସରରେ ପରିକ୍ରମା କରିଛନ୍ତି । ଘଣ୍ଟଘଣ୍ଟା, ଗିନି, ପେଁକାଳୀ, ତୂରୀ ବଜାଇ ପ୍ରତିବାଦ କରୁଥିବା ଦେଖାଯାଇଛି । ତେବେ ବିଧାନସଭାରେ ଜୋରଦାର୍ ପ୍ରତିବାଦ ଆଜି ଦେଖିବେ ବୋଲି ନିଲମ୍ବନ ହଟିବା ପରେ ବିଧାନସଭାକୁ ପ୍ରବେଶ କରିବା ସମୟରେ କହିଥିଲେ କଂଗ୍ରେସ ନେତା ତାରା ବାହିନୀପତି ।