• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋଦି ଚାଉଳ ବନାମ୍ ନବୀନ ଚାଉଳ । କେନ୍ଦ୍ରର ମାଗଣା ଚାଉଳ ବନାମ୍ ରାଜ୍ୟର ମାଗଣା ଚାଉଳ । କେନ୍ଦ୍ର ସରକାର ମାଗଣା ଚାଉଳ ସ୍କିମ୍ ଲାଗୁ କରିବା ପରେ ଚେତିଲେ ରାଜ୍ୟ ସରକାର । ଏଣିକି ହିତାଧିକାରୀଙ୍କୁ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବନି ଟଙ୍କା । ଚାଉଳ କିଲୋ ପିଛା ୧ ଟଙ୍କା ଦେବାକୁ ପଡୁଥିଲା । ଏବେ ସେତକ ବି ଦେବାକୁ ପଡ଼ିବ ନାହିଁ । ପୁରା ମାଗଣାରେ ବର୍ଷେ ପର୍ଯ୍ୟନ୍ତ ମିଳିବ ଚାଉଳ । ଏହାକୁ ନେଇ ତେଜିଲା ରାଜନୀତି ।

କେନ୍ଦ୍ର ସରକାର ଜାନୁୟାରୀ ୧ ତାରିଖରୁ ଆରମ୍ଭ କରିଛନ୍ତି ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା । ଦେଶର ୮୧ କୋଟି ୩୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇବା ପାଇଁ ଘୋଷଣା କରିଛନ୍ତି । ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଓ୍ୱାନ୍ ନେସନ୍, ଓ୍ୱାନ୍ ପ୍ରାଇସ୍ , ଓ୍ୱାନ୍ ରାସନ୍ ପୂରଣ ପାଇଁ ଆଣିଛନ୍ତି ଏଭଳି ଯୋଜନା । ଯାହା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବ ।

କେନ୍ଦ୍ର ଏହି ମାଗଣା ଚାଉଳ ସ୍କିମ୍ ଲଗୁ କରିବାର ଦୁଇ ଦିନ ପରେ ରାଜ୍ୟ ସରକାର ଆଣିଛନ୍ତି ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ । ଏହା ମାଧ୍ୟମରେ ମୁଣ୍ଡ ପିଛା ମାସକୁ ୫ କିଲୋ ହିସାବରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଚାଉଳ ବାଣ୍ଟିବେ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । ତେବେ ଏହାପରେ ତେଜିଛି ଚାଉଳ ରାଜନୀତି । ଶ୍ରେୟ ନେବାକୁ ଭରପୁର ଉଦ୍ୟମ, କାଳେ ବିଜେପି ସରକାର ମାଗଣା ଚାଉଳ ଦେଲେ ମାଇଲେଜ୍ ନେଇଯିବେ, ସେହି ଡରରେ ରାଜ୍ୟ ସରକାର ତରବରିଆ ଭାବେ ଏଭଳି ଘୋଷଣା କରିଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ବଳରେ ରାଜ୍ୟର ପ୍ରାୟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ୧ ଟଙ୍କାରେ ଚାଉଳ ପାଉଥିଲେ । ସେଥିରୁ ବଞ୍ଚିତ ପାଖାପାଖି ୯ ଲକ୍ଷ ଅନ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଯୋଜନାରୁ ଚାଉଳ ବାଣ୍ଟୁଥିଲେ । ଏବେ ସେହି ହିତାଧିକାରୀମାନେ ମାଗଣାରେ ଚାଉଳ ପାଇବେ । ଏହା ପୂର୍ବରୁ କୋଭିଡ୍ ସମୟରେ ମାଗଣାରେ ଚାଉଳ ମିଳୁଥିଲା ।

୨୦୦୯ ନିର୍ବାଚନ ପୂର୍ବରୁ ନବୀନ ୨ ଟଙ୍କିଆ ଚାଉଳ ସ୍କିମ୍ ଘୋଷଣା କରି ବେଶ୍ ଚର୍ଚ୍ଚାରେ ରହିଥିଲେ । ସେହିପରି ୨୦୧୪ ନିର୍ବାଚନ ପୂର୍ବରୁ ୨୦୧୩ରେ ଟଙ୍କିକିଆ ଚାଉଳ ସ୍କିମ୍ ଲାଗୁ କରି ନିର୍ବାଚନୀ ବୈତରଣୀ ପାର ହୋଇଥିଲେ । ଆଉ ଏବେ କେନ୍ଦ୍ର ସରକାର ମାଗଣା ଚାଉଳ ସ୍କିମ୍ ଘୋଷଣା କରିବା ପରେ ରାଜ୍ୟ ସରକାର ସେହି ରାସ୍ତାରେ ଯାଇଛନ୍ତି । ତେବେ ଏ ସଂପର୍କରେ ବିଜେପି କେତେ ଦୂର ଲୋକଙ୍କୁ ବୁଝାଇ ପାରୁଛି ଓ ଏଥିରୁ କେତେ ଫାଇଦା ପାଇପାରୁଛି ତା ଉପରେ ନଜର ରହିବ ।