• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତରେ ରାସନକାର୍ଡ ଧରିଛନ୍ତି, ସମସ୍ତେ ଏକ ହୋଇ ଆନ୍ଦୋଳନ କରୁଛନ୍ତି । ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ କିଏ ୩ ମାସ ହେଲାଣି ତ ଆଉ କିଏ ୪ ମାସ ହେଲାଣି ପାଇନାହାନ୍ତି ରାସନ ସାମଗ୍ରୀ । ସରକାରୀ ରାସନ ନପାଇବାରୁ ଆନ୍ଦୋଳନ କରୁଛନ୍ତି ରାସନକାର୍ଡଧାରୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ନୂଆଗାଁରେ ।

ଖାଉଟିଙ୍କ ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ମାସରୁ କଂଟ୍ରୋଲରୁ ସେମାନଙ୍କୁ ଦିଆଯାଉନି ସାମଗ୍ରୀ । ପ୍ରତି ମାସରେ ମିଳୁଥିବା ଜିନିଷ ୩ ମାସ ହେଲାଣି ପାଉନଥିବାରୁ ବାରମ୍ବାର ରିଟେଲରଙ୍କ ପାଖରେ ପହଞ୍ଚୁଥିଲେ ରାସନକାର୍ଡଧାରୀ । ହେଲେ ଜିନିଷ ଆସୁନଥିବା କହି ବାରମ୍ବାର ହିତାଧିକାରୀଙ୍କୁ କୁଆଡେ ଫେରାଇ ଦେଉଥିଲେ ରିଟେଲର । ଅଭିଯୋଗ ଏତିକିରେ ସରିନି ଅନେକ ହିତାଧିକାରୀ କରୋନା ସମୟରେ ଦିଆଯାଉଥିବା ମାଗଣା ଚାଉଳ ବି ପାଇନାହାନ୍ତି । ଯାହାକୁ ନେଇ ରିଟେଲରଙ୍କ ଘର ସାମ୍ନାରେ ପ୍ରତିବାଦ କରିଛନ୍ତି ଖାଉଟି ।

ଅଧିକ ପଢ଼ନ୍ତୁ: ୬ ଟଙ୍କା ଘୋଡ଼ାକୁ ନଅ ଟଙ୍କାର ଦାନା.. ୧୫ କିମି ଦୁରରେ ମିଳୁଛି ଚାଉଳ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିମାନେ ଚାଉଳ ନପାଇଥିବା ବେଳେ ରିଟେଲର ସେମାନଙ୍କ ଦସ୍ତଖତ କିନ୍ତୁ ଖାତାରେ କରାଇଛନ୍ତି । ଯାହାକୁ ନେଇ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ । ତେବେ ଜଣେ ରିଟେଲରଙ୍କ ମୃତ୍ୟୁ ହେବା ପରେ ଆଉ ଜଣେ ରିଟେଲରଙ୍କୁ ଚାଉଳ ଦେବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ହେଲେ ଠିକ୍‌ରେ ଚାଉଲ ପାଇପାରିଲେ ନାହିଁ ଲୋକେ ।

ଆମ ଚାଉଳ କିଏ ଖାଇଲା, ଏହାର ତଦନ୍ତ ପୂର୍ବକ ଆମକୁ ଚାଉଳ ଦିଆଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ l ପୂର୍ବ କୋଟାର ସାମଗ୍ରୀ ନଦେଇ ନୂଆ ସାମଗ୍ରୀ କାହିଁକି ଦିଆଯାଉଛି ? ପ୍ରଥମେ ବକେୟା ଚାଉଳକୁ ଦିଆଯାଉ ବୋଲି ଖାଉଟିମାନେ ଦାବି କରିଛନ୍ତି l ତେବେ ଖାଉଟିଙ୍କ ଅଭିଯୋଗ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅବଗତ ଅଛନ୍ତି । ଜଣେ ରିଟେଲରଙ୍କ ଦେହାନ୍ତ ହେବା ପରେ ଚାଉଳ ଦେବାରେ ସମସ୍ୟା ହୋଇଛି । ଆଉ ଯେଉଁମାନେ ଅଧିକ ଦିନ ହେଲାଣି ଚାଉଳ ପାଇନାହାନ୍ତି ସେନେଇ ତଦନ୍ତ ହେବ କହିଛନ୍ତି ସରପଂଚ । ଏପଟେ ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି, ମୋ ଜାଣିବାରେ ଗୋଟିଏ ମାସର ଚାଉଳ ପାଇନାହାନ୍ତି ଲୋକେ । କେମିତି ସେମାନେ ଚାଉଳ ପାଇବେ ସେନେଇ ବ୍ୟବସ୍ଥା କରାଯାଉଛି ।

ଗରିବ ଲୋକଙ୍କ ପାଇଁ ରାସନ କାର୍ଡରେ ମାତ୍ର ୧ ଟଙ୍କାରେ ଚାଉଳ ଦେଉଛନ୍ତି ସରକାର । ହେଲେ ଠିକ୍‌ ସମୟରେ ଚାଉଳ ପାଇପାରୁନାହାନ୍ତି ଲୋକେ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

(ରିପୋର୍ଟ- କିରୀଟ ଦାସ, ବାସୁଦେବପୁର)