• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ୨୪ଦିନ ହେଲା, ଅନ୍ଧାରରେ ରହିଛନ୍ତି ସମସ୍ତେ । କିନ୍ତୁ କେମିତି ମାରିଲା ଗୋପାଳ, ନିଇତି ନୂଆ ନୂଆ ଚିତ୍ର ସବୁ ଭାଇରାଲ ହେଉଛି।ବିଧାନସଭା ଆରମ୍ଭ ହେବା କ୍ଷଣି ସୋସିଆଲ୍ ମିଡିଆ ଠୁ ମେନଷ୍ଟ୍ରିମ୍ ମିଡିଆ ଯାଏଁ ଚିତ୍ରସବୁ ପ୍ରସାରଣ କରୁଛନ୍ତି ।

ତେବେ ହତ୍ୟାକାଣ୍ଡର ଏତେଦିନ ପରେ ହଠାତ୍ ଏଭଳି ଚିତ୍ର ଭାଇରାଲ୍ ହେବା ଭାଇରାଲ୍ ପଛରେ କିଏ ଓ ଉଦ୍ଦେଶ୍ୟ କ’ଣ ? ତାକୁ ନେଇ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇ କହିଛନ୍ତି ପ୍ରାୟୋଜିତ । ସେପଟେ ଗୋପାଳର ମାନସିକ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ କୋର୍ଟଙ୍କ ଖାରଜ ପରେ କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ନବ ହତ୍ୟାକାଣ୍ଡ ନେଇ ଜୟଙ୍କ ବଡ଼ ବୟାନ !

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି। ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା ।

କିନ୍ତୁ ଗୋପାଳ ବନ୍ଧୁକ ଧରିଛି ନା ନାହିଁ, ଫଟୋରେ ସ୍ପଷ୍ଟତା ଦେଖାଯାଇନଥିଲା । ହେଲେ ଆଜି ଭାଇରାଲ ହୋଇଛି ସେହି ଭିଡ଼ିଓ । ଯେଉଁଥିରେ କର୍ମୀଙ୍କ ଗହଣରେ ନବ ଦାସଙ୍କ ପାଖକୁ ସ୍ୱାଭାବିକ ଢଙ୍ଗରେ ଚାଲି ଚାଲି ଆସୁଛି ଗୋପାଳ ଦାସ । ବାମ ଅଣ୍ଟାରେ ପିସ୍ତଲ ଥିବା ସ୍ପଷ୍ଟ ଭାବେ ଦେଖାଯାଉଛି । କିନ୍ତୁ ନବଙ୍କ ପାଖକୁ ପହଞ୍ଚିଲା କ୍ଷଣି କେମିତି ଗୁଳି କଲା, ତାହା ଚିତ୍ରରେ ସ୍ପଷ୍ଟ ଜଣାପଡ଼ୁନାହିଁ ।

ସେ ଯାହା ବି ହେଉ ହତ୍ୟାର ୨୪ ଦିନ ପରେ ଏଭଳି ଫଟୋ ଓ ଭିଡ଼ିଓ ହଠାତ୍ ସାମ୍ନାକୁ ଆସିଲା କାହିଁକି ? ବିଧାନସଭା ଆରମ୍ଭ ହେବା କ୍ଷଣି ଏଭଳି ଚିତ୍ର ସବୁ ଭାଇରାଲ୍ କରାଇବା ପଛର ଉଦ୍ଦେଶ୍ୟ କ’ଣ ? କାହା ଇଙ୍ଗିତରେ କରାଯାଉଛି ଭାଇରାଲ ? ତାକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ବିଜେପି ଓ କଂଗ୍ରେସ କହିଛନ୍ତି ଏହା ପ୍ରୟୋଜିତ । ହତ୍ୟାକାଣ୍ଡରେ ଅନେକ ଲୋକଙ୍କ ହାତ ରହିଛି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

ସେପଟେ କ୍ରାଇମବ୍ରାଞ୍ଚ ତଣ୍ଟିରେ ଲାଗିଛି ଗୋପାଳ କଣ୍ଟା । କେବଳ ଗୋପାଳକୁ ହିଁ ଅଭିଯୁକ୍ତ ବୋଲି ଦର୍ଶାଉଥିବା କ୍ରାଇମବ୍ରାଞ୍ଚର ଫୋକସ ରହିଛି ତାର ମାନସିକ ରୋଗ ଉପରେ । ଯାହାର ଯାଞ୍ଚ ଲାଗି ବେଙ୍ଗାଲୁରୁ ସ୍ଥିତ ନିମ୍‌ହାନ୍ସକୁ ନେଇ ପରୀକ୍ଷା ପାଇଁ ଝାରସୁଗୁଡ଼ା JMFCରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଆବେଦନକୁ ଖାରଜ କରି ଚୌଦ୍ୱାର ଜେଲରେ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଯାହାକୁ ନେଇ ଏବେ ଅକଳରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଉପର କୋର୍ଟ ଯିବାକୁ ଚିନ୍ତା କରିଛି । ପୂର୍ବରୁ ଗୋପାଳର ମାନସିକ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ବି କରିଥିଲା ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ । ତେବେ ବାରମ୍ବାର ଗୋପାଳର ମାନସିକ ସ୍ଥିତି ଓ ରୋଗ ସଂପର୍କରେ ବିଶେଷଜ୍ଞ ଟିମ୍ ଦ୍ୱାରା ଯାଞ୍ଚ କରି କ’ଣ ପ୍ରମାଣିତ କରିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ?

ଗୋପାଳ ଯଦି ସୁସ୍ଥ ମସ୍ତିଷ୍କ ବୋଲି ପ୍ରମାଣିତ ହୁଏ, ତେବେ ହତ୍ୟା ପଛର ମୋଟିଭ୍ ସାମ୍ନାକୁ ଆଣିବ ତ କ୍ରାଇମବ୍ରାଞ୍ଚ ? ସେ ଯଦି ମାନସିକ ରୋଗୀ ହୋଇଥିବ, ତେବେ ଏହି ଲୋମଟାଙ୍କୁରା ହତ୍ୟା ମାମଲାରୁ ଖସିଯିବନି ତ ଗୋପାଳ ? ହତ୍ୟା ପଛର ଅସଲ ଉଦ୍ଦେଶ୍ୟ ଏବଂ ବିରୋଧୀ ଉଠାଉଥିବା ଅଭିଯୋଗ ସବୁ ଫସର ଫାଟିଯିବ କି ? ବିଭିନ୍ନ ମହଲରେ ଏବେ ଏଭଳି ସନ୍ଦେହ ପ୍ରକାଶ ପାଉଛି। ତେବେ ହତ୍ୟାକାଣ୍ଡର ମୋଟିଭ୍ ସଂପର୍କରେ ମୁହଁ ଖୋଲୁନଥିବା କ୍ରାଇମବ୍ରାଞ୍ଚ ଆଗକୁ କି ସତ ସାମ୍ନାକୁ ଆଣୁଛି, ତାକୁ ଅପେକ୍ଷା।