Naba Das Murder Mystery: ନବ ଦାସ ହତ୍ୟା ରହସ୍ୟ, ସିବିଆଇ ତଦନ୍ତ ଦାବି ପରେ ପୁଣି ରାଜନୈତିକ ଉଷ୍ଣତା

ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।

ନବ ଦାସ ହତ୍ୟା ନେଇ ପୁଣି ରାଜନୈତିକ ଉଷ୍ଣତା

ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ କିଶୋର ଦାସଙ୍କ ମୃତ୍ୟୁ ଏହା ମଧ୍ୟରେ ଅନେକ ଦିନ ବିତି ସାରିଲାଣି ରାଜ୍ୟ ପୋଲିସ ବିଭାଗର କ୍ରାଇମବ୍ରାଂଚ୍ ଏହାର ତଦନ୍ତ କରୁଛି । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଭାବେ ଆସିଷ୍ଟାଣ୍ଟ ପୋଲିସ୍ ସବ୍‌ଇନିସ୍ପେକ୍ଟର ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ଏବଂ ଏ ନେଇ ଏକ ହତ୍ୟା ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଅଛି ।

ହେଲେ ଏହାରି ମଧ୍ୟରେ ରାଜ୍ୟ ରାଜନୀତି ହଠାତ୍ ଉଷ୍ମ ହୋଇଉଠିଛି । ଏହାର କାରଣ ହେଲା ଯେ ନିକଟରେ ଏକ ଟେଲିଭିଜନ ସ।କ୍ଷାତକାରରେ ନବ ଦାସଙ୍କ ପୂତ୍ର ବିଶାଳ ଦାସ ଓ ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳୀ ଦାସ ବାପାଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ ବା ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଯେ କୌଣସି ସନ୍ତାନ ପାଇଁ ତା’ର ପିତା ବା ମାତାଙ୍କ ମୃତ୍ୟୁ ଅକଳ୍ପନୀୟ ଓ ଅବର୍ଣ୍ଣନୀୟ ଭାବେ ବେଶ୍ ପୀଡାଦାୟକ । ବିଶାଳ ଓ ଦୀପାଳୀଙ୍କ ପାଇଁ ତାଙ୍କ ପିତାଙ୍କ ମୃତ୍ୟୁ ଅତ୍ୟନ୍ତ ବେଦନାପୂର୍ଣ୍ଣ । ଯେଉଁ ସମୟରେ ପିତାଙ୍କ ଦୂରଦୃଷ୍ଟି ନେଇ ସେମାନେ ଆଗକୁ ବଢିବାର ଥିଲା, ସେହି ସମୟରେ ସେମାନେ ତାଙ୍କର ସ୍ନେହ ଓ ଦୂରଦର୍ଶିତାର ବଂଚିତ ହେଲେ । ସେମାନଙ୍କ ଜୀବନରେ ସବୁଦିନ ପାଇଁ ସୃଷ୍ଟି ହୋଇଗଲା ଏକ ଅପୂରଣୀୟ କ୍ଷତି । ମାନସିକ ଭାବେ ସେମାନେ ସବୁଦିନ ଯନ୍ତ୍ରଣା ଜର୍ଜରିତ ହୋଇ ରହିବେ । ଭଗବାନ ଏଭଳି ଦୁଃଖ କାହାକୁ ନଦିଅନ୍ତୁ ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

ଯେଉଁ ରହସ୍ୟଜନକ ପରିସ୍ଥିତିରେ ନବ ଦାସଙ୍କ ମୃତ୍ୟୁ ହେଲା, ତାହାକୁ ଆଜି ବି ରାଜ୍ୟର ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଜଣେ ସାଧାରଣ ଆସିଷ୍ଟାଣ୍ଟ ପୋଲିସ ସବ୍‌ଇନିସ୍ପେକ୍ଟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରିପାରିବା ଲାଗି ସହଜରେ ଯେ ସାହସ କରିପାରିବ,ଏକଥା ଅନେକଙ୍କ ବିଶ୍ୱାସ ଓ ବୋଧଗମ୍ୟତାର ବାହାରେ । ନବ ଦାସଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ରାଜ୍ୟର ଆଇନ୍‌ଶୃଙ୍ଖଳା ନେଇ ବେଶ୍ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏଠାରେ ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦିପ୍ରହରରେ ହତ୍ୟା କରାଯାଉଛି, ତେବେ ସାଧାରଣ ଜନତାର ଧନଜୀବନ କେତେ ସୁୁରକ୍ଷିତ ସେ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା ।

ନବ ଦାସଙ୍କ ହତ୍ୟା ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି)ଜାତୀୟ କଂଗ୍ରେସ ଲାଗି ଏକ ତତ୍‌କ୍ଷାଣିକ ରାଜନୈତିକ ଅସ୍ତ୍ର ରୂପେ ଉପଲବ୍‌ଧ ହୋଇଥିଲା । ସେମାନେ ନବୀନ ପଟ୍ଟନାୟକ ସରକାରଙ୍କୁ ଏହି ପ୍ରସଙ୍ଗ ଉପରେ ଉଭୟ ବିଧାନସଭା ଓ ବିଧାନସଭା ବାହାରେ ସଣ୍ଢୁଆସୀ ଆକ୍ରମଣ କରିଥିଲେ । ଅଭିଯୋଗ କରିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନାହାଁନ୍ତି, ତେବେ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେବେ ।

ବିଧାନସଭାର ଯେତେବେଳେ ନବୀନ ସରକାରଙ୍କୁ ବିରୋଧୀମାନେ ଘେରିଲେ, ସେତେବେଳେ ନବୀନ ଏ ଚାପରୁ ମୁକ୍ତି ପାଇଁ ଏକ ଅଭିନବ ଉପାୟ ବାହାର କଲେ । ଫେବୃଆରୀ ୨୩ ତାରିଖ ୨୦୨୩ ମସିହାରେ ବିଧାନସଭାରେ ନବୀନ ଅତି ଆଶ୍ଚର୍ଯ୍ୟଜନକ ଭାବରେ ଘୋଷଣା କଲେ ଯେ ନବ ଦାସ ହତ୍ୟା ଘଟଣାର ତଦନ୍ତରେ ସହାୟତା ପାଇଁ ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା ଏଫ୍‌ବିଆଇର ସହାୟତା ନିଆଯିବ ।

ନବୀନଙ୍କର ଏତାଦୃଶ ଘୋଷଣା ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ଚର୍ଚ୍ଚା ହେବା ବି ସ୍ୱାଭାବିକ ଥିଲା । କାରଣ, ଭାରତ ଇତିହାସରେ କୌଣସି ଏକ ପ୍ରାଦେଶିକ ଅପରାଧ ପାଇଁ ତଦନ୍ତରେ ସାହାଯ୍ୟ କରିବା ପାଇଁ ସେହି ରାଜ୍ୟର ସରକାର ନିଜର ତଦନ୍ତକାରୀ ସଂସ୍ଥା ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ ନକରିପାରି, ଏକ ବାହାର ଦେଶର ସହାୟତା ଲୋଡୁଛନ୍ତି । ନିଜର ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଂଚ ଉପରେ ଭରସାର ନକରି ଏଫ୍‌ବିଆଇ ଉପରେ ଭରସା କରିବା ସେତେବେଳେ ବହୁତ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ।

ପ୍ରତ୍ୟେକ ଅପରାଧିକ ଘଟଣାର ତଦନ୍ତ ନିଷ୍ପକ୍ଷ ଓ ନିରପେକ୍ଷ ହେବା ଆବଶ୍ୟକ । ଦୋଷୀକୁ ଦଣ୍ଡ ମିଳିବା ନିହାତି ଦରକାର । କାରଣ ଏହା ପରବର୍ତ୍ତି ସମୟରେ ଅପରାଧ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ । ସମସ୍ତେ ଅନାଇ ରହିଛନ୍ତି ଯେ ନବ ଦାସ ଘଟଣାର ନିରପେକ୍ଷ ତଦନ୍ତ ହେଉ । କିନ୍ତୁ ଏ ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଚ ଓ ଏଫବିଆଇ ତଦନ୍ତ କେତେବାଟ ଗଲା, ତାହା ଜନସାଧାରଣ ସଠିକ୍ ଭାବେ ଜାଣିନାହାଁନ୍ତି । ବିନା ଷଡଯନ୍ତ୍ରରେ ଯେ ଗୋପାଳ ଦାସ ଏତେବଡ ହତ୍ୟାକାଣ୍ଡ ଘଟାଇପାରିବ, ତାହା ଅନେକ ବିଶ୍ୱାସ କରିବା ପାଇଁ ରାଜି ନୁହଁନ୍ତି ।

ବିିଶାଳ ଦାସ ଓ ଦୀପାଳୀ ଦାସଙ୍କ ବର୍ତ୍ତମାନର ଆଭିମୁଖ୍ୟ ଦେଖିଲେ ସେମାନେ କିଛିଟା ମାନସିକ ଦ୍ୱନ୍ଦରେ ଥିଲା ଭଳି ଅନୁମାନ କରଯାଏ । ଟେଲିଭିଜନ ସାକ୍ଷାତକାରରେ ସେମାନେ କହିଛନ୍ତି ଯେ ଲୋକମାନେ ବିଭିନ୍ନ ସମୟରେ ଉପଯୁକ୍ତ ତଦନ୍ତ ନେଇ ସେମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ତେଣୁ ସେମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ବିିଶାଳ ଦାସ ଓ ଦୀପାଳୀ ଦାସଙ୍କ ଯୁକ୍ତି ସେମିତି ଅବାସ୍ତବ ନୁହେଁ । ହେଲେ ସେମାନଙ୍କୁ ଏହା ଠାରୁ ଆଉ କିଛି ଅଧିକ କରିବାକୁ ପଡିବ ।

ଦାବି ଟେଲିଭିଜନ ପରଦାରେ କରିବା କିଛି ଭୂଲ ନୁହେଁ । କିନ୍ତୁ ଏହାକୁ ଅଧିକ ପ୍ରଭାବଶାଳୀ କରିବାକୁ ହେଲେ ସେମାନଙ୍କୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଭାବେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବାକୁ ପଡିବ ବା ହାଇକୋର୍ଟ ଅଥବା ସୁପ୍ରୀମ୍ କୋର୍ଟରେ ମାମଲା ଦାୟର କରିବା ପାଇଁ ପଡିବ । ସେହି ଦାବିପତ୍ର ବା କୋର୍ଟ ପ୍ରାର୍ଥନାପତ୍ରରେ କେଉଁ କାରଣରୁ ସେମାନେ କାହିଁକି କ୍ରାଇମ୍‌ବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ବୋଲି ବଳିଷ୍ଠ ଭାବରେ ନିଜର ମତ ଉପସ୍ଥାପନ କରିବା ଲାଗି ପଡିବ । ଯଦି ରାଜ୍ୟ ସରକାର ଓ କୋର୍ଟ ସେମାନଙ୍କ ଯୁକ୍ତି ଓ ମନ୍ତବ୍ୟକୁ ଉପଯୁକ୍ତ ବିଚାର କରନ୍ତି, ତେବେ ସିବିଆଇ ତଦନ୍ତ ଆଦେଶ ଦେଇପାରନ୍ତି ।

ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।

ଅବଶ୍ୟ ରାଜ୍ୟ ସରକାର ନିଜ ଆଡୁ ବିନା ଲିଖିତ ପ୍ରାର୍ଥନା ବା ଆବେଦନରେ ସିବିଆଇ ତଦନ୍ତ ଦେବାରେ କୌଣସି ବାଧା ନାହିଁ । ହେଲେ ସରକାରଙ୍କ ଉପରେ ଏ ନେଇ ବିରୋଧୀମାନଙ୍କ ତରଫରୁ ଯଥେଷ୍ଟ ମାତ୍ରାରେ ରାଜନୈତିକ ଚାପ ସୃଷ୍ଟି କରିବାକୁ ପଡ଼ିବ । ହେଲେ ଏ ପର୍ଯ୍ୟନ୍ତ ଦୀପାଳୀ ଓ ବିଶାଳଙ୍କ ବ୍ୟତୀତ ବିଜେଡି ଓ କଂଗ୍ରେସ ଦଳ ତରଫରୁ ସେମିତି କିଛି ଚାପ ସୃଷ୍ଟି କରାଯାଇପାରିନାହିଁ । ବିଜେଡିର ବହୁ ପୁରୁଖା ନେତା ଏ ନେଇ ଏ ପର୍ଯନ୍ତ ପାଟି ଖୋଲିନାହାଁନ୍ତି ।

ବାପାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ବିଶାଳ ଓ ଦୀପାଳୀଙ୍କୁ ଟେଲିଭିଜନ ଷ୍ଟୁଡିଓ ଦାବି ବାହାରେ ବହୁତ କିଛି କରିବାକୁ ପଡ଼ିବ । ସେମାନଙ୍କୁ ମୋହନ ମାଝି ସରକାରଙ୍କ ଉପରେ ରାଜନୈତିକ ଚାପ ସୃଷ୍ଟି କରିବାକୁ ପଡ଼ିବ । ଏହା ମଧ୍ୟରେ ବହୁ ସମୟ ଅତିକ୍ରାନ୍ତ ହୋଇଛି । ଅନେକ ପ୍ରମାଣପତ୍ର ନଷ୍ଟ ହୋଇଯାଇଥିବ । ଯାହାଫଳରେ କି ତଦନ୍ତ ପ୍ରକ୍ରିୟା ଅଧିକ ସଠିକ୍ ଓ ନିର୍ଭୂଲ୍ ହେବା ଟିକିଏ କଠିନ ହୋଇପାରେ । ବିଳମ୍ବରେ ହେଉ ପଛେ, ଯଦି ସିବିଆଇ ତଦନ୍ତ ହୁଏ, ତେବେ କିଛିଟା ସତ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ଏବେ ସବୁ କିଛି ନିର୍ଭର କରେ ବିଶାଳ ଓ ଦୀପାଳୀଙ୍କ ଦୃଢ ଆନ୍ତରିକତା ଓ ନିଷ୍ଠା ଉପରେ ।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟୁଛନ୍ତି ବିଜେଡି ନେତା, ପୁଣି ଆଗ ଭଳି…