• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଏ ପଶିଥିଲା ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍‌ରେ ? କାହିଁକି ପଶିଥିଲେ ଷ୍ଟ୍ରଙ୍ଗରୁମ୍‌ରେ ? କ’ଣ ଥିଲା ଉଦେଶ୍ୟ ? ଗତକାଲି ରାତିରୁ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ । ରାଜଧାନୀରେ ଏହାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ଷ୍ଟ୍ରଙ୍ଗ ରୁମ୍‌ ଭିତରେ ପଶିବା ଘଟଣା ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ଆରମ୍ଭ ହୋଇଛି ଢ଼େର ସାରା ଚର୍ଚ୍ଚା । ଏହି ଘଟଣା ପାଇଁ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ ସୋସିଆଲ ମିଡିଆ ୟୁଜର କଡ଼ା ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ ଫଳଫଳ ବଦଳିବା ଆଶଙ୍କା କରିଛି ।

ବିଜେପିର କିଛି କର୍ମୀ ସୋସିଆଲ ମିର୍ଡିଆରେ ଅଭିଯୋଗ କରିଛନ୍ତି ଯେ, ଜଣେ କି ଦୁଇ ଜଣ ନୁହେଁ ଏକା ଥରକେ ୪ ଜଣ ପଶିଥିଲେ ଷ୍ଟ୍ରଙ୍ଗ ରୁମ୍‌ରେ । ଆଉ ସମସ୍ତେ ଫେକ୍‌ ଆଇକାର୍ଡ ଦେଖାଇ ଭିତରେ ପ୍ରବେଶ କରିଥିଲେ । ସେ କହିଁକି ପ୍ରବେଶ କରିଥିଲେ । ପୋଲିସ କାହିଁକି ତାଙ୍କୁ ଅଟକାଇଲା ନାହିଁ । ଏଭଳି ନାନା ପ୍ରଶ୍ନ କରିଛନ୍ତି ବିଜେପି କର୍ମୀ ।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ବଜେବି କଲେଜସ୍ଥିତ ଷ୍ଟ୍ରଙ୍ଗରୁମ୍‌ରେ କିଛି ବ୍ୟକ୍ତି ଫେକ ଆଇକାର୍ଡ ଦେଖାଇ ପ୍ରବେଶ କରିଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ ମଧ୍ୟ କରିଥିଲା । ଖବର ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗରୁମ୍‌ ସିଲ୍‌ ହେବା ପରେ କିଛି ବ୍ୟକ୍ତି ଭିତରକୁ ପଶିବାର ଲୋକେ ଦେଖିଥିଲେ । ଏହାପରେ କ୍ଷିପ୍ର ବେଗରେ ବ୍ୟାପିଥିଲା ଖବର । ଆଉ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ କିଛି ଯୁବକ ପଶିଥିବା ଅଭିଯୋଗ ହୋଇଥିଲା ।

ତେବେ ଯୁବକମାନେ ଷ୍ଟ୍ରଙ୍ଗ ରୁମ୍‌ରେ ପଶିବା ସହ ମଝିରେ ସିସିଟିଭି ଭିଜୁଆଲ ଏଲଇଡି ଟିଭିରେ ଅଚଳ ହେଉଥିବାରୁ ଲୋକଙ୍କ ସନ୍ଦେହ ବଢ଼ିଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାସହ ସିସିଟିଭି ରେକର୍ଡିଂ ଠିକ ଭାବେ ହେଉନଥିବା ଲୋକ ଅଭିଯୋଗ କରିଥିଲେ । ଏହାପରେ ସେହି ବ୍ୟକ୍ତିମାନଙ୍କୁ ଲୋକେ ଆକ୍ରମଣ କରିଥିଲେ ।

ପୋଲିସ ଯେତେ ବୁଝା ସୁଝା କରିଥିଲେ ବି ଲୋକେ ବୁଝି ନଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଲାଠି ଚାର୍ଜ କରିଥିଲା । ଏହାସହ ସେମାନଙ୍କୁ ଉଦ୍ଧାର କରିଥିଲା । ଲୋକଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ରାତି ତମାମ ସେଠାରେ ଉତ୍ତେଜନା ଲାଗି ରହିଥିଲା । ଲୋକଙ୍କୁ ବୁଝାଇବାକୁ ଏଡିଏମ୍ ଏବଂ ପୋଲିସ ଅଧିକାରୀ ଉଦ୍ୟମ କରି ବିଫଳ ହୋଇଥିଲେ । ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । 

ସବୁଠାରୁ ବଡ଼ କଥା ହେଲା, ରାତି ତମାମ ବିଜେବି କଲେଜ ସାମ୍ନାରେ ଉତ୍ତେଜନା ମୂଳକ ପରିସ୍ଥିତି ରହିଥିବା ବେଳେ ସକାଳୁ ଭୋଟ ଗଣତି ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରାୟ ୨ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୧୦ଟାରେ ଆରମ୍ଭ ହେଲା ଗଣତି । ସକାଳ ୮ଟାରେ ସାରା ରାଜ୍ୟରେ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ବିଜେବି କଲେଜରେ ୧୦ଟାରେ ଆରମ୍ଭ ହୋଇଛି ଗଣତି ।