• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଶ୍ରୀତମ ଦାସ ଏଥର ବିଜେପି ପକ୍ଷରୁ କଟକ ମହାନଗର ନିଗମରେ ମେୟର ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ଲାଗି ଜଣେ ଅଭିନେତା କଟକ ମେୟର ପଦ ଲାଗି ନିର୍ବାଚନ ଲଢୁଛନ୍ତି । ଶ୍ରୀତମଙ୍କ ଘର କଟକ ସହରର ରାମଗଡ଼ରେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏମଏ ଏଲଏଲବି । ସେ ବାଣୀବିହାରରୁ ଫିଲୋସଫିରେ ଏମଏ ଓ ପରେ ମଧୁସୂଦନ ଲ’ କଲେଜରୁ ଏଲଏଲବି କରିଛନ୍ତି । ସେ ମାନବିକ ଅଧିକାର ଉପରେ ଏକ ଡିପ୍ଲୋମା କୋର୍ସ ମଧ୍ୟ କରିଛନ୍ତି ।

ସେ ଖ୍ରୀଷ୍ଟ କଲେଜର ଛାତ୍ର ଥିଲେ । ଏହି କଲେଜରେ ସେ ଡ୍ରାମାଟିକ ସେକ୍ରେଟାରୀ ହୋଇଥିଲେ । ଏହା ପରେ ସେ ଅଭିନୟ ଦୁନିଆରେ ପାଦ ଦେଇ ଜଣେ ସଫଳ ଅଭିନେତା ବନିଗଲେ । ୧୯୯୬ ମସିହାରୁ ସେ ଚଳଚ୍ଚିତ୍ର ଓ ବିଭିନ୍ନ ସିରିଏଲରେ ଅଭିନୟ କରି ଆସୁଛନ୍ତି ।

ଅଭିନୟ ସାଙ୍ଗକୁ ସେ ସମାଜସେବା ମଧ୍ୟ କରନ୍ତି । ତାଙ୍କର ସ୍ୱପ୍ନା ନାମକ ଏକ ଏନଜିଓ ମଧ୍ୟ ଅଛି । କୋଭିଡ ମହାମାରୀ ସମୟରେ ସେ ଗରିବ ଲୋକମାନଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଥିଲେ । ଲକଡାଉନ ସମୟରେ ସେ ମାଗଣା ରନ୍ଧାଖାଦ୍ୟ ଦେଉଥିଲେ । ସେ ଦାଖଲ କରିଥିବା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ସେ ବ୍ୟବସାୟ କରନ୍ତି ଓ ସ୍ୱପ୍ନା ନାମକ ତାଙ୍କର ଏକ ଫାର୍ମ ରହିଛି । ଏହା ହେଉଛି ତାଙ୍କ ରୋଜଗାରର ମୁଖ୍ୟ ପନ୍ଥା । ତାଙ୍କ ପତ୍ନୀ ଜଣେ ଗୃହିଣୀ ।

ଶ୍ରୀତମ ୨୦୧୩ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ଏବେ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି । ସେ ବିଜେପିରେ ଯୋଗଦେବା ପରେ ବିଭିନ୍ନ ସମୟରେ ନିର୍ବାଚନରେ ଦଳ ପାଇଁ ରାଜ୍ୟସାରା ବୁଲି ପ୍ରଚାର କରିଛନ୍ତି । ସେ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ପୂର୍ବରୁ ସେ ରାଜନୀତିରେ ନଥିଲେ । କିନ୍ତୁ ତାଙ୍କ ପରିବାର ରାଜନୀତି ସହ ଜଡିତ ଥିଲେ ।

ସେ କଟକରେ ସ୍କୁଲ ଶିକ୍ଷା କରିଥିବାରୁ ତାଙ୍କର ବହୁ ସାଙ୍ଗସାଥୀ ଅଛନ୍ତି । ସେ ତୁଳସୀପୁର ରଘୁନାଥ ଜିଉ ବିଦ୍ୟାପିଠରେ ପାଠ ପଢ଼ୁଥିଲେ । ଜଣେ ଅଭିନେତା ହୋଇଥିବାରୁ ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହ ତାଙ୍କର ଭଲ ସଂପର୍କ ରହିଛି । ଜଣେ ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ତାଙ୍କର ରହିଛି । ଏଥର ମେୟର ନିର୍ବାଚନରେ ଦଳ ଏହି ଯୁବ ଚେହେରା ଉପରେ ଭରସା କରିଛି ।