Advertisment

ମେୟର ନିର୍ବାଚନରେ ବିଜେଡିର କ୍ଲିନ୍‌ସ୍ୱିପ୍‌

ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।

author-image
Chandan Shishu
BJD Mayor Candidate Won

BJD Mayor Candidate Won

ତିନିକୁ ତିନି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସବୁଠି ଶଙ୍ଖନାଦ। ସବୁଠି ବିଜେଡି ଦଖଲରେ ମେୟର ଗାଦି। ଇଏ ସେଇ ଖୁସିର ନାଚ, ଶୋଭାଯାତ୍ରା, ଉତ୍ସବ ଦୃଶ୍ୟ ଭୁବନେଶ୍ୱରର। ଏଠି ଦମଦାର ପ୍ରଦର୍ଶନ ସହ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ମୁକୁଟ ପିନ୍ଧିବାକୁ ଯାଉଛନ୍ତି ସାମ୍ବାଦିକାରୁ ପରେ ନେତ୍ରୀ ହୋଇଥିବା ବିଜେଡିର ସୁଲୋଚନା ଦାସ। ତେବେ ରାଜନୀତିରେ ସଂପୂର୍ଣ୍ଣ ନବାଗତା ବିଜେପିର ସୁନୀତି ମୁଣ୍ଡ କଡ଼ା ଟକ୍କର ଦେଇଥିଲେ ବି ବାଜି ମାରିଛନ୍ତି ସୁଲୋଚନା। କର୍ପୋରେଟର ଭୋଟ୍‌ରେ ବି ବାଜିମାତ୍ କରିଛି ବିଜେଡି ଦଳର ପ୍ରାର୍ଥୀମାନେ। ୪୭ ଓ୍ୱାର୍ଡ ଜିତି ଥିବା ବେଳେ, ବିଜେପି ୧୦ ସିଟ୍ ଜିତିଛି। ତେବେ ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ। ଏଠି ମୂଳପୋଛ ସ୍ଥିତିରେ।

Advertisment

କଟକ ମହାନଗର ନିଗମ ନିର୍ବାଚନରେ ବି ବିଜେଡିର ଜୟଯାତ୍ରା। ଏଠି ମେୟର ଚେୟାରରେ ବସିବାକୁ ଯାଉଛନ୍ତି ଦଳୀୟ ପ୍ରାର୍ଥୀ ସୁବାସ ସିଂ। ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ସୁବାସଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ପଛରେ ପଡିଯାଇଥିଲେ, ଆଉ ବାଜି ମାରି ନେଇଥିଲେ ସୁବାସ। ତେବେ ଭୁବନେଶ୍ୱରରେ ଭଲ ଫାଇଟ୍ ଦେଇଥିବା ବିଜେପି, ଏଠି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ସେହିପରି କର୍ପୋରେଟର ଭୋଟ୍‌ରେ ମଧ୍ୟ ସଂଖ୍ୟାଧିକ ଓ୍ୱାର୍ଡରେ ବିଜେଡି ବାଜିମାତ୍ କରିଛି। ମୋଟ୍  ୫୯ଟି ସିଟ୍‌ରୁ ଦଳର ପ୍ରାର୍ଥୀ ୩୮ଟିରେ ଜିତିଥିବା ବେଳେ କଂଗ୍ରେସ ୮ ଓ ବିଜେପି ୭ଟିରେ ଜିତିଛି।

ବ୍ରହ୍ମପୁର ମହାନଗରରେ ବିଜେଡିର ବିଜୟ ଉତ୍ସବ। ମେୟର ପଦରେ ଏଠି ଦଳ ପାଇଁ ସଂଘମିତ୍ରା ଦଳେଇ ଉଡ଼ାଇଛନ୍ତି ବିଜୟ ବାନା। ସଂଘମିତ୍ରା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଡକ୍ଟର ସବିତା ସୁଆରଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ହରାଇ ଦେଇଛନ୍ତି। ସଂଘମିତ୍ରାଙ୍କ ସପକ୍ଷରେ ୬୬ ହଜାର ୬୮ ଭୋଟ୍ ପଡ଼ିଥିଲା ବେଳେ, ସବିତା ସୁଆର ପାଇଛନ୍ତି ୪୫ ହଜାର ୭୮୨ ଭୋଟ୍ ବଡ଼ କଥା ହେଉଛି। ଏଠି କଂଗ୍ରେସକୁ ପଛକୁ ଠେଲି ତୃତୀୟ ସ୍ଥାନ ହାସଲ କରିଛି ଆମ୍ ଆଦ୍‌ମୀ ପାର୍ଟି ଦଳର ସି. ପ୍ରିୟଙ୍କା। ୭ ହଜାର ୪୫୩ଟି ଭୋଟ୍ ପାଇଥିଲା ବେଳେ କଂଗ୍ରେସର ମଂଜୁ ରଥଙ୍କ ସପକ୍ଷରେ ପଡ଼ିଛି ମାତ୍ର ୬ ହଜାର ୭୬୮ଟି ଭୋଟ୍। ଅବଶ୍ୟ ଉଭୟ ଅମାନତ ରଖିପାରି ନାହାନ୍ତି।

Advertisment

ସେହିପରି ମୋଟ୍ ୪୨ଟି  ଓ୍ୱାର୍ଡ ବିଶିଷ୍ଟ ଏହି ମହାନଗର ନିଗମରେ ମଧ୍ୟ ଏକ ରକମର କ୍ଲିନ୍‌ ସ୍ୱିପ୍‌ କରିଛି ବିଜେଡି। ଦଳର ପ୍ରାର୍ଥୀମାନେ ୩୦ଟି କର୍ପୋରେଟର ପଦ କବଜା କରିଥିଲା ବେଳେ ୭ଟି ଆସନରେ ବିଜେପି, ତୃତୀୟ ସର୍ବାଧିକ ଆସନ ୪ଟିରେ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ। କଂଗ୍ରେସ ଏଠି ମାତ୍ର ଗୋଟିଏ ଓ୍ୱାର୍ଡ ଜିତିବାକୁ ସକ୍ଷମ ହୋଇଛି। ତିନିଟା ଯାକ ମହାନଗର ନିଗମରେ ଜବରଦସ୍ତ ପ୍ରଦର୍ଶନ ସହ ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।

Municipal Elections 2022 Odisha Municipal Elections
Advertisment
Advertisment