• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌର ଭୋଟ୍ ପାଇଁ ପ୍ରଚାରରେ କମ୍ପୁଛି ସହର । ଆଉ ମାତ୍ର ଦୁଇ ଦିନ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାକୁ ଆଉ ଏ ଲଢ଼େଇ ନଥିବ । ହେଲେ ବିଜେଡି ହେଉ କି ବିରୋଧୀ ବିଜେପି ଅବା କଂଗ୍ରେସ, ଏଯାଏଁ ପ୍ରଚାର ମୈଦାନ୍‌କୁ ଓହ୍ଲାଇ ନାହାନ୍ତି ସେଭଳି କୌଣସି ହେଭିୱେଟ୍ ।

ପଞ୍ଚାୟତ ଭଳି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପୌର ପ୍ରଚାରକୁ ଓହ୍ଲାଇବାର ନାହିଁ । ମନ୍ତ୍ରୀ, ବିଧାୟକଙ୍କୁ ଦିଆଯାଇଥିବା ଟାର୍ଗେଟ୍ ଅନୁଯାୟୀ ପ୍ରଚାରରେ ଲାଗି ପଡ଼ିଛନ୍ତି ନେତା । ଆଉ ସେମାନଙ୍କ ବିଶ୍ୱାସ, ନବୀନ ଗ୍ରାଉଣ୍ଡକୁ ନ ଓଲ୍ଲେଇଲେ ବି ପଞ୍ଚାୟତ ଭଳି କ୍ଲିନ୍ ସୁଇପ୍ ରହିବ ପ୍ରଦର୍ଶନ । ଗ୍ରାଉଣ୍ଡ ଲିଡର ମାନେ ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଓ ଯୋଜନାକୁ ନେଇ ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଛନ୍ତି ।

ସେହିପରି ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି । ବାକିଥିବା ପ୍ରଚାର ପାଇଁ ମଧ୍ୟ ଧର୍ମେନ୍ଦ୍ର କିମ୍ବା ଅନ୍ୟ କେହି କେନ୍ଦ୍ରୀୟ ନେତା ଓଡିଶା ଆସିବାର ସମ୍ଭାବନା କ୍ଷୀଣ । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବର୍ତ୍ତମାନ ଦିଲ୍ଲୀ ପୌର ନିର୍ବାଚନରେ ଏବଂ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଣିପୁର ପ୍ରଭାରୀ ଦାୟିତ୍ୱରେ ବ୍ୟସ୍ତ ଥିବା ହେତୁ ସମୟ ଦେଇ ପାରୁ ନାହାନ୍ତି । ତେଣୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ପ୍ରମୁଖଙ୍କ ନେତୃତ୍ୱରେ ଯାହା ପ୍ରଚାର ଚାଲିଛି ।

ସେପଟେ କଂଗ୍ରେସ ଅବସ୍ଥା ଆହୁରି ସାଂଘାତିକ । ଯୁଦ୍ଧ ପୂର୍ବରୁ ଅସ୍ତ୍ରତ୍ୟାଗ କରିବା ଭଳି ପ୍ରଚାରରେ ମୁରବୀଙ୍କ ଦେଖାନାହିଁ । ମୁଖିଆ ନିରଞ୍ଜନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ହେଲେ ପୌର ବେଳକୁ ଏଯାଏଁ ପ୍ରଚାର ପଡ଼ିଆରେ ପାଦ ରଖି ନାହାନ୍ତି ।

ପଞ୍ଚାୟତ ନିର୍ବାଚନ ହାଓ୍ୱା ଏବେ ଯାଏଁ ବିଜେଡି ସପକ୍ଷରେ ବହୁଥିବା ବେଳେ ଟପ୍ ନେତାଙ୍କ ବିନା ବିଜେପି ଓ କଂଗ୍ରେସର ପ୍ରଚାର ମାନ୍ଦା ଧରିଥିବା ଚର୍ଚ୍ଚା ହେଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ ବିରୋଧୀଙ୍କ ଏଭଳି ନିଷ୍କ୍ରିୟତା ଶାସକ ଦଳକୁ ଆହୁରି ଫାଇଦା ଦେବା ସହ ରିପିଟ୍ ହୋଇପାରେ ପଞ୍ଚାୟତ ଫଳ ।