• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ-ସମ୍ବଲପୁର ଜାତୀୟ ରାଜପଥରେ ଯାଉଥିଲେ ସାବଧାନ । ସେଠି ପାଦେ ପାଦେ ବିପଦ । ୫୫ ନମ୍ବର ଜାତୀୟ ରାଜପଥକୁ ମରଣଯନ୍ତା କହିଲେ ବି ଅତ୍ୟୁକ୍ତି ହେବନି । ଉପକୂଳରୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ିଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ବେଳେ, ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ଅସହାୟତା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI ପକ୍ଷରୁ ଏନେଇ ବିସ୍ତୃତ ପ୍ରତିକ୍ରିୟା ମିଳିପାରିନଥିଲେ ମଧ୍ୟ ଅନୁଗୁଳରୁ ସମ୍ବଲପୁର ଯାଏଁ ରାସ୍ତା କାମ ଆସନ୍ତା ବର୍ଷ ସରିବ ବୋଲି ଜଣାପଡ଼ିଛି ।

ଏକଦା ସେହି ରାସ୍ତା ଜୀବନରେଖା ଥିଲା, ହେଲେ ଏବେ ମରଣଯନ୍ତା । ଖାଲି ନାଁକୁ ଏନ୍ଏଚ୍ । ବାସ୍ତବରେ କିନ୍ତୁ କେଉଁ ଉପାନ୍ତ ଇଲାକାର ଦୁର୍ଗମ ପଥଠୁ କିଛି କମ୍ ନୁହେଁ ଏହାର ସ୍ଥିତି । ଠାଏଁ ଠାଏଁ ଖାଲଖମା, କେଉଁଠି ପାଣି, ତ ଆଉ କେଉଁଠି ଧୂଳି । ୫୫ ନମ୍ବର ଜାତୀୟ ରାଜପଥ ବା କଟକ-ସମ୍ବଲପୁର ଏନ୍ଏଚ୍ । ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ଯୋଡ଼ୁଥିବା ଏହି ରାଜପଥ ଦେଇ ପ୍ରତିଦିନ ଶହ ଶହ ଟ୍ରକ୍, ଛୋଟବଡ଼ ଗାଡ଼ି ଓ ବାଇକ୍ ଯାଆସ କରୁଛି ବିପଦସଂକୁଳ ଭାବେ । ରାସ୍ତା ଅତିମାତ୍ରାରେ ଖରାପ ଥିବାରୁ ଖାଲି ଲୋକଙ୍କ ସମୟ ଯାଉନି, ଅନେକ ଜୀବନ ବି ଯାଉଛି ।

ଗତ ୩ ବର୍ଷ ଭିତରେ ୫ ଶହରୁ ଅଧିକ ଦୁର୍ଘଟଣା ଘଟି ୨୫୦ରୁ ଅଧିକ ମୃତ୍ୟୁ ଘଟିଲାଣି । ବହୁ ଭାରିଯାନ ସର୍ଭିସ୍ ରୋଡ୍ ଦେଇ ଯାତାୟାତ କରୁଥିବାରୁ, ସଡ଼କ ଦୁର୍ଘଟଣା ଏନ୍ଏଚ୍-୫୫ରେ ଯେମିତି ନିତିଦିନିଆ କଥା ପାଲଟିଯାଇଛି । ୪ ଥାକିଆ ରାଜପଥ ସଂପ୍ରସାରଣ ନାଁରେ ପ୍ରାୟ ୪-୫ ବର୍ଷ ହେଲା କାମ ଚାଲିଛି ଯେ, ଚାଲିଛି । ଚୌଦ୍ୱାର, ଅନୁଗୁଳ, ରେଢାଖୋଲ ସବୁଠି ସମାନ ଦୁର୍ଦ୍ଦଶା । ୨୦୧୭ରେ ଏକ ଠିକା କଂପାନୀ ଟେଣ୍ଡର୍ ଧରି ୨୦୧୮ରେ କାମ ଆରମ୍ଭ କରିଥିଲା । ହେଲେ ବର୍ଷଟେ ପରେ ସିଏ ଦେବାଳିଆ ହୋଇଯିବାରୁ, ଆଉ ଗୋଟିଏ ସଂସ୍ଥା ହାତକୁ କାମଗଲା । ତଥାପି ଏଯାଏଁ ଶତକଡ଼ା ୩୦ ଭାଗ କାମ ବି ସରିନି । ଏହା ଉପରେ ନିର୍ଭର କରୁଥିବା ଲୋକମାନେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ଅଣ୍ଟାଭିଡ଼ିଲେଣି ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ରକୁ ଗଲାମାସ ୨୭ ତାରିଖରେ ଲେଖାଯାଇଥିଲା ଏକ ଚିଠି । ସେଥିରେ ରାଜ୍ୟ ସରକାର ମଙ୍ଗୁଳି-ସମ୍ବଲପୁର ରାସ୍ତାର ନିମ୍ନମାନର ରକ୍ଷଣାବେକ୍ଷଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶହ ଶହ ଖାଲଖମାରେ ଭର୍ତ୍ତି ଏହି ରାସ୍ତାର ଦୁରବସ୍ଥା ଯୋଗୁଁ ହିଁ ଦୁର୍ଘଟଣା ଘଟୁଛି ଓ ଜୀବନ ଯାଉଛି । ଏନେଇ ଟ୍ରକ୍ ମାଲିକ ମହାସଂଘ ଓ ବସ୍ ମାଲିକ ସଂଘ ଚିନ୍ତା ବ୍ୟକ୍ତ କରିଛନ୍ତି ବୋଲି ଚିଠିରେ ଲେଖାଯାଇଛି । ଏଥିସହ ତୁରନ୍ତ ମରାମତି କାମ ସାରିବାକୁ ଏବଂ NHAI ସିଜିଏମ୍‌ଙ୍କୁ ୧୫ ଦିନ ଭିତରେ ଟ୍ରାନ୍ପୋର୍ଟ କମିଶନରଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ୨ ଦିନ ତଳେ ଢେଙ୍କାନାଳ ଗସ୍ତ ଅବସରରେ ଏହି ରାସ୍ତାର ଦୁଃସ୍ଥିତି କଥା ନତମସ୍ତକ ହୋଇ ସ୍ୱୀକାର କରିବା ସହିତ, ମନ୍ଥର ମରାମତିକୁ ନେଇ ଅସହାୟତା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଏନେଇ ସେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଜଣାଇଛନ୍ତି ଏବଂ ଖୁବ୍‌ଶୀଘ୍ର ୩ଟି ନୂଆ ଠିକା ସଂସ୍ଥା ୩ ଭାଗରେ ରାସ୍ତା କାମ ସାରିବେ । ତେବେ ଏନ୍ଏଚ୍-୫୫ର ସମ୍ପୂର୍ଣ୍ଣ କାମ କେବେ ସରିବା ନେଇ NHAIର ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ଏହାର ସମ୍ବଲପୁର ଡିଭିଜନ୍ ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, ଅନୁଗୁଳରୁ ସମ୍ବଲପୁର ଯାଏଁ ରାସ୍ତାକାମ ୨୦୨୩ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।