• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ । ପଞ୍ଚାୟତରେ ସୁପର ସୋକୁ ନେଇ ବିଜେଡି ଉତ୍ସାହିତ ଥିବା ବେଳେ ଆଶା ଛାଡିନି ବିଜେପି । ମୋଦିଙ୍କ କ୍ରେଜ୍ କାମ ଦେବ, ସହରୀ ଭୋଟର ଦଳକୁ ସମର୍ଥନ ଦେବେ ବୋଲି ବିଜେପି ଆଶା ରଖିଛି । ତେବେ ପଞ୍ଚାୟତ ଝଟ୍‌କା ପରେ କଂଗ୍ରେସ ଶିବିରରେ ସଂପୂର୍ଣ୍ଣ ନିରାଶା ।

୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ? ପଞ୍ଚାୟତ ନିର୍ବାଚନରେ ବିପୁଳ ସଫଳତାକୁ ନେଇ ଉତ୍ସାହିତ ଶାସକ ବିଜେଡି ଶିବିର । ତେବେ ନିରାଶ ନୁହେଁ ବିରୋଧୀ ବିଜେପି । ଦଳର ଆଶା ସହରୀ ଭୋଟର ସଚେତନ ତେଣୁ ଏଠି ମୋଦି ମ୍ୟାଜିକ୍ କାମ ଦେବ । ପଞ୍ଚାୟତ ତୁଳନାରେ ଦଳ ଭଲ କରିବାକୁ ଆଶା ରଖିଛି । ଏମିତିକି ୩୦ରୁ ୪୦ ପୌର ପରିଷଦରେ ବିଜେପି ଜିତିବ ବୋଲି ଦୃଢୋକ୍ତି କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ତେବେ ପଞ୍ଚାୟତ ଝଟ୍‌କା ପରେ କଂଗ୍ରେସ ଶିବିରରେ ଉତ୍ସାହ ନାହିଁ । ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ସମେତ ଅନେକ ପୌର ପରିଷଦରେ ଦଳ ପ୍ରାର୍ଥି ଦେଇପାରିନି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ପୌର ନିର୍ବାଚନରେ ବ୍ୟାପକ ଅର୍ଥ କରାବାର ହେଉଛି । ତେଣୁ ରେଜଲଟ୍ ଯାହା ହେବା କଥା ହେବ । ଅନ୍ୟପକ୍ଷରେ ଦଳ ଅଧିକାଂଶ ପୌର ପରିଷଦ ଦଖଲ କରିବ ବୋଲି କହିଛି ବିଜେଡି ।

ମେୟର ଓ ପୌରାଧ୍ୟକ୍ଷ ପଦ ଲାଗି ସିଧାସଳଖ ଭୋଟ ହେଉଥିବା ବେଳେ ମୈଦାନରେ ଅଛନ୍ତି ୫୬୯ ପ୍ରାର୍ଥୀ । ୩ ମହାନଗର ନିଗମ ମଧ୍ୟରୁ ମେୟର ପଦ ପାଇଁ ସବୁଠୁ ଅଧିକ ପ୍ରାର୍ଥୀ ରହିଛନ୍ତି କଟକରେ । ଏଠାରେ ୧୬ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେଉଛି । ଭୁବନେଶ୍ୱର ମେୟର ପଦ ଲାଗି ୧୨ ଓ ବ୍ରହ୍ମପୁରରେ ୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁୁଛନ୍ତି । ତେଣେ ଜୟପୁର ମୁନିସିପାଲଟିର ଅଧ୍ୟକ୍ଷ ପଦ ଲାଗି ସର୍ବାଧିକ ୧୮ ଜଣ ପ୍ରାର୍ଥୀ ମୈଦାନରେ ଥିବବେଳେ ବାରିପଦା ମୁନସିପାଲଟିରେ ୧୬ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏତେ ସଂଖ୍ୟାକ ପ୍ରାର୍ଥୀ ମଇଦାନରେ ରହିଥିବାରୁ ଫଳାଫଳକୁ ପ୍ରଭାବିତ କରିବ ବୋଲି କୁହଯାଉଛି । 

୨୪ ସାଧରାଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ପ୍ରଥମ ଏସିଡ୍ ଟେଷ୍ଟ ଥିଲା, ଯେଉଁଥିରେ ଶାସକ ଦଳ ବୃହତ ବିଜୟ ହାସଲ କରିଛି । ପୌର ନିର୍ବାଚନ ସବୁ ଦଳ ପାଇଁ ଦ୍ୱିତୀୟ ଏସିଡ୍ ଟେଷ୍ଟ । ପଞ୍ଚାୟତ ପରେ ପୌର ନିର୍ବାନ ଭୋଟରଙ୍କ ମୁଡ୍ ଦର୍ଶାଇବା ସହ ୨୦୨୪ ପାଇଁ ସଙ୍କେତ ଦେବ ବୋଲି କୁହାଯାଉଛି ।