• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଞ୍ଚଳବାସୀଙ୍କ ଧର୍ମୀୟ ଭାବନା ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବଲାଙ୍ଗିର ବଙ୍ଗମୁଣ୍ଡାର ମୁଙ୍ଗେ ପାହାଡ଼କୁ ଧ୍ୱଂସ କରିବାର ଚକ୍ରାନ୍ତ । ବିଶାଳ ପାହାଡ଼କୁ ଫଟାଇ ଏଠାରେ ଖଣିଜ ଉତ୍ତୋଳନ ପାଇଁ ସ୍ଥାନୀୟ ପ୍ରଶାସନ ଲିଜ୍ ଦେଇଛି । ଦୁଇ ଦିନ ତଳେ ଲିଜଧାରୀ ପାହାଡ଼ରେ ବ୍ଲାଷ୍ଟିଂ ପାଇଁ ଯୋଜନା କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସେମାନଙ୍କ ଅଭିଯୋଗ ପାହାଡ଼ ବ୍ଲାଷ୍ଟିଂ ହେଲେ ଖାଲି ଯେ, ସେମାନଙ୍କ ଚାଷ-ବାସ ଓ ଜୀବନ ଜୀବିକା ଉଜୁଡ଼ି ଯିବ, ତା ନୁହେଁ ବରଂ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିବା ସହ ଇତିହାସର ମୁକାସାକ୍ଷୀ ବି ନିଶ୍ଚିହ୍ନ ହୋଇଯିବ । ତେଣେ ସମ୍ମିଳିତ ବିରୋଧ ପରେ ବ୍ଲାଷ୍ଟିଂ କାମ ବନ୍ଦ ହୋଇଥିବା ବେଳେ ଘଟଣାର ଅନୁଧ୍ୟାନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗିର ବଙ୍ଗୋମୁଣ୍ଡାର ଐତିହାସିକ ମୁଙ୍ଗେ ପାହାଡ଼ର ଅସ୍ତିତ୍ୱ ରକ୍ଷା ଲାଗି ସ୍ଥାନୀୟ ବାସିନ୍ଦାଙ୍କ କମର କସା । ଉଭୟ ଧାର୍ମିକ ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ପାହାଡ଼କୁ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ସୁରକ୍ଷା ଦେବାକୁ ସମ୍ମିଳିତ ଉଦ୍ୟମ । ବଙ୍ଗୋମୁଣ୍ଡା ବ୍ଲକ୍ ଅଲଣ୍ଡା ପଞ୍ଚାୟତରେ ଥିବା ସବୁଜ ବନାନୀ ଘେରା ବିଶାଳ ପାହଡ଼ର ଛାତି ଚିରି ଏଠୁ ଖଣିଜ ଉତ୍ତୋଳନ ପାଇଁ ଚାଲିଛି ଷଡ଼ଯନ୍ତ୍ର ।

ପାହାଡରେ ବ୍ଲାଷ୍ଟିଂ ପାଇଁ ଦିନ ଦିପହରେ ଚାଲିଛି ଉଦ୍ୟମ । କାମରେ ଲାଗିଛି ଆନ୍ଧ୍ରରୁ ଆସିଥିବା ଡିପ୍ ବୋରେଓ୍ୱଲ ଗାଡି । ଏହି ଗାଡ଼ି ଓ ମେସିନ ସାହାଯ୍ୟରେ ମୁଙ୍ଗେ ପାହାଡ଼ ପାଦ ଦେଶରେ ଚାଲିଛି ଗାତ ଖୋଳା । ଏବେ ସୁଦ୍ଧା ପ୍ରାୟ ୩୦ରୁ ଅଧିକ ଗାତ ଖୋଳା ସରିଥିବା ବେଳେ ଆଗକୁ ହେବ ବ୍ଲାଷ୍ଟିଂ । ତାପରେ ଖଣିରୁ ପଥର ବୋହି ନେବେ ଲିଜ୍ ହୋଲଡର । ସେପଟେ ଲୋକଙ୍କ ଧର୍ମୀୟ ଭାବନା ସହ ଜଡ଼ିତ ଥିବା ଏବଂ ସ୍ୱାଧିନତା ଆନ୍ଦୋଳନ ତଥା ଇତିହାସର ମୁକସାକ୍ଷୀ ପାଲଟି ଥିବା ଏ ପାହାଡ଼କୁ କୌଣସି ପରିସ୍ଥିତିରେ ହରାଇବାକୁ ଚାହୁଁନାହାନ୍ତି ଅଲଣ୍ଡା ଓ ଏହାର ଆଖାପାଖ ଅଞ୍ଚଳବାସୀ । ତେଣୁ ଏକାଠି ହୋଇ ତୀବ୍ର ପ୍ରତିବାଦ କରିଛନ୍ତି ।

ମୁଙ୍ଗେ ପାହାଡ଼ ଫଟାଇ ସେଠାରୁ ଖଣିଜ ଉତ୍ତୋଳନ ପାଇଁ ଲିଜ୍ ପାଇଛନ୍ତି ଟିଟିଲାଗଡ଼ର ମନୋଜ କୁମାର ଗୋୟଲ । ଦୁଇ ଦିନ ତଳେ ଲିଜ୍‌ଧାରୀ ଜେସିବି ଓ ଡିପ୍ ବୋରୱେଲ ମେସିନ୍ ସହ ଅନ୍ୟ ସାଜ ସରଞ୍ଜାମ ଲଗାଇ ପାହାଡ଼ରେ ବ୍ଲାଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବା ବେଳେକୁ ଏପଟେ କାମକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ । ସେମାନଙ୍କ ଦାବି, ମୁଙ୍ଗେ ପାହାଡ଼ରେ ପୂଜା ପାଆନ୍ତି, ସେମାନଙ୍କ ଆରାଧ୍ୟ ଦେବତା ଡଙ୍ଗରବୁଢ଼ା । ପ୍ରତିବର୍ଷ ଏଠାରେ ଯାନିଯାତ୍ରା ବେଳେ ଏକାଠି ହୁଅନ୍ତି ପ୍ରାୟ ୧୦ ଖଣ୍ଡ ଗାଁର ଲୋକେ । ସେହିଭଳି ଦେଶର ସ୍ୱାଧିନତା ଆନ୍ଦୋଳନ ସହ ମଧ୍ୟ ରହିଛି ଏ ପାହାଡ଼ର ସମ୍ପର୍କ ।

 

ସ୍ଥାନୀୟ ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀ ମୋହନ ମାଝୀ, ଇଂରେଜଙ୍କ ସହ ଲଢେଇ କରି ଏଇ ପାହାଡ଼ ଗୁମ୍ଫାରେ ହିଁ ଆତ୍ମଗୋପନ କରୁଥିବା କୁହାଯାଏ । ତେଣୁ ଲୋକଙ୍କ ଧର୍ମୀୟ ଭାବନା ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଏ ପାହାଡ଼କୁ ପ୍ରଶାସନ କେମିତି ଲିଜ୍ ଦେଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ତେଣେ ସଂପୃକ୍ତ ଲିଜଧାରୀ ଓ ସ୍ଥାନୀୟ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଯଦି କିଛି ବେଆଇନ୍ କାମ ହୋଇଥିବ, ତାହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ।