• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, କଟକ ପରେ ଏବେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଦଳ ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ବାଛିଥିବା ବେଳେ ଏବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର । ତେବେ ସବୁ ସସପେନ୍ସର ଏବେ ଅନ୍ତ ଘଟିସାରିଛି । ବିଜେପି ପକ୍ଷରୁ ତିନି ମେୟର ପ୍ରାର୍ଥୀ ଘୋଷଣା ହୋଇସାରିଛି । ସବିତା ସୁଆର ଜଣେ ଉଚ୍ଚଶିକ୍ଷିତା ,ବଂ ଜଣେ ଶିକ୍ଷାବିତ୍‌ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣେ ର୍ଚ୍ଚିତ ଚେହେରା । ସେ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

ତେବେ ଏଥର ବ୍ରହ୍ମପୁର ପୌରାଞ୍ଚଳରେ ସବିତା ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି । ତାଙ୍କ କହିବାନୁଯାୟୀ, ବିଜେଡି ,ସରକାର ପ୍ରତି ଲୋକ ଅତିଷ୍ଠ ହୋଇଗଲେଣି । ୨୨ ବର୍ଷ ଧରି ଏହି ସରକାର ଲଗାତର ଶାସନ କରୁଥିଲେ ବି କୌଣସି ବିକାଶ ମୂଳକ କାର୍ଯ୍ୟ କରିନାହିଁ । ବିଶେଷକରି ବ୍ରହ୍ମପୁରରେ ଏବେ ବି ପାନୀୟ ଜଳର ସମସ୍ୟା ରହିଛି । ଏହାସହ ଡ୍ରେନେଜ୍‌ ସମସ୍ୟା ଦିନକୁଦିନ ବୃଦ୍ଧି ପାଉଛି ବ୍ରହ୍ମପୁରରେ । ତେଣୁ ଲୋକେ ଏହି ସରକାର ପ୍ରତି ଅତିଷ୍ଟ ହୋଇଯାଇଛନ୍ତି । ଆଉ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଛି । ତେଣୁ ଏହି ନିର୍ବାଚନରେ ବ୍ରହ୍ମପୁରବାସୀ ତାଙ୍କୁ ବିପୁଳ ସମର୍ଥନ ଦେବେ ବୋଲି ଆଶା ରଖିଛନ୍ତି । ସେପଟେ ବିଜେଡିରୁ ମେୟର ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ଦଳେଇ ।

ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତଙ୍କ ନାଁ ଘୋଷଣା କରିଥିଲେ । ତାସହ କହିଥିଲେ- ସୁନୀତି ରାଜନୀତିରେ ନୂଆ ହୋଇଥିଲେ ବି ଜଣେ ଉଚ୍ଚ ଶିକ୍ଷିତା । ଭୁବନେଶ୍ୱରବାସୀଙ୍କ ପାଇଁ ଏଭଳି ଜଣେ ପ୍ରାର୍ଥୀନୀଙ୍କ ଆବଶ୍ୟକତା ରହିଛି ।

ସେପଟେ କଟକରୁ ମଧ୍ୟ ହଟିଯାଇଛି ସବୁ ସସପେନ୍ସ । ଛକାପଞ୍ଝା ମଧ୍ୟରେ ବିଜେପି ସିଏମସି ନିର୍ବାଚନ ଲାଗି ମେୟର୍‌ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଅଭିନେତା ଶ୍ରୀତମ୍‌ ଦାସଙ୍କୁ ବିଜେପି କଟକର ମେୟର ପ୍ରାର୍ଥୀ କରିଛି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି । 

ବିଜେଡି କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ପୂର୍ବରୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା କରି ସାରିଛି । ଏଭଳି ସ୍ଥିତିରେ ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ବୋଲି ଆଶା କରାଯାଉଛି ।

ଓଲିଉଡର ଲୋକପ୍ରିୟ ଅଭିନେତା ଶ୍ରୀତମ୍ ଦାସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ଏତେ ବର୍ଷ ହେଲା ଦଳ ସହ ଜଣେ ଶୃଙ୍ଖଳିତ କର୍ମୀ ପରି ରହିଆସିଛନ୍ତି । ଏହାସହ ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ସଂପାଦକ ମଧ୍ୟ ରହିଛନ୍ତି ।

ସେପଟେ ବିଜେଡିର କଟକ ମେୟର ପ୍ରାର୍ଥୀ ହୋଇଥିବା ସୁବାସ ସିଂ ସିପିଆଇରୁ କ୍ୟାରିୟର୍‌ ଗଢ଼ିଥିଲେ । ପରେ ସେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡିର ଜଣାଶୁଣା ନେତା ସୁବାସ ସିଂ । ୨୦୧୯ରେ ମଧ୍ୟ ମେୟର ନିର୍ବାଚନରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି କଟକ ରାଜନୀତରେ ସେ ସକ୍ରିୟ ଅଛନ୍ତି । ଏବେ ସୁବାସ ସିଂହ ରାଜ୍ୟସଭାର ସାଂସଦ ଅଛନ୍ତି । ତାଙ୍କର ଆଉ ୪ବର୍ଷ କାର୍ଯ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରିଛି ।

କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ପୂର୍ବତନ କର୍ପୋରେଟର ରହିସାରଛନ୍ତି । ଦୀର୍ଘ ଦିନ ହେବ କଟକ ତଥା କଟକବାସୀଙ୍କ ଅଧିକାର ଓ ସମସ୍ୟା ପାଇଁ ଲଢେଇ କରୁଛନ୍ତି । କାଉନସିଲ ଭିତରେ ଏବଂ ସଡ଼କରେ ସେ ଦୀର୍ଘ ଦିନ ଧରି ସାଧାରଣ ସମସ୍ୟାକୁ ନେଇ ଲଢେଇ ଜାରି ରଖିଛନ୍ତି ।