• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ । ଆଉ ୨୬ରେ ଭୋଟ ଗଣତି । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କଂଗ୍ରେସ- ବିଜେଡି- ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ମଇଦାନକୁ ଓହ୍ଲାଇବା ପାଇଁ ସବୁ ଦଳ ଅଣ୍ଟା ଭିଡ଼ିସାରିଲେଣି । ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଇଁ ଉପୁଜିଛି ଅଡ଼ୁଆ ପରିସ୍ଥିତି । ପୌର ନିର୍ବାଚନ ପର୍ବ ଆରମ୍ଭରୁ କେଁ ବାହାରିଲାଣି ।

ଆଗାମୀ ୨୪ ତାରିଖରେ ନିର୍ବାଚନ ଥିବାରୁ ଏବେଠାରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ । ସବୁ ଦଳର ପ୍ରାର୍ଥୀମାନେ ଦଳବଳ ନେଇ ନାମାଙ୍କନ ଦାଖଲ କରିବାକୁ ବାହାରି ପଡ଼ିଛନ୍ତି । ହେଲେ ଭୁବନେଶ୍ୱର ମହାନଗର ନିଗମ ଅଧିନ ୩୪ ନମ୍ବର ଓ୍ୱାର୍ଡର ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଯାଉଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ଯେ, ବିଜେଡି ଯେଉଁ ମହିଳାଙ୍କୁ ପ୍ରାର୍ଥୀ କରିଛି ସେ ଉକ୍ତ ୱାର୍ଡରେ ରହୁ ନାହାନ୍ତି । ୩୪ ନମ୍ବର ୱାର୍ଡରେ ସତ୍ୟନଗର ଅଞ୍ଚଳ ଯାଉଥିବାରୁ ପ୍ରର୍ଥୀ ମଧ୍ୟ ସେହି ସତ୍ୟନଗର ଅଞ୍ଚଳରୁ ହେବା ଦରକାର ବୋଲି ଲୋକେ ଦାବି କରିଛନ୍ତି । କିନ୍ତୁ ବିଜେଡି ଯାହାକୁ ପ୍ରାର୍ଥୀ କରିଛି ସେ ବୁଧେଶ୍ୱରୀ କଲୋନୀର ବା ୩୯ ନମ୍ବର ୱାର୍ଡରେ ରୁହନ୍ତି ।

୩୪ ନମ୍ବର କର୍ପୋରେଟର ପ୍ରାର୍ଥୀ କେବଳ ସେହି ୱାର୍ଡର ମହିଳା ହିଁ ହେବେ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ବିଜେଡିର କୌଣସି ନେତା କିମ୍ବା ସ୍ଥାନୀୟ ବିଧାୟକ ୩୪ ନମ୍ବର ୱାର୍ଡବାସୀଙ୍କ ସହ ଆଲୋଚନ ନକରି ୩୯ ନମ୍ବର ୱାର୍ଡରେ ରହୁଥିବା ଜଣେ ମହିଳାଙ୍କୁ ପ୍ରର୍ଥୀ କରିଛି । ତେଣୁ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ସତ୍ୟନଗର ଅଞ୍ଚଳର ଜଣେ ମହିଳା ଚେତାବନୀ ଦେଇଛନ୍ତି । ବିଶେଷ କରି ବିଜେଡି ବିରୋଧରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଦିଆଯିବ ବୋଲି ସେ ଚେତାବନୀ କରିଛନ୍ତି । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଉତ୍ତେଜନ ମୂଳ ପରିସ୍ଥିତି ଦେଖାଦେଇଥିଲା ।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରାର୍ଥିପତ୍ର ଦାଖଲର ପଞ୍ଚମ ଦିନ । ହାତରେ ମାତ୍ର ଆଉ ଗୋଟିଏ ଦିନ ଥିବାରୁ, ଆଜି ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ରାଜ୍ୟର ତିନି ପ୍ରମୁଖ ଦଳ କଂଗ୍ରେସ ବିଜେଡି ବିଜେପି ନିଜର ମେୟର ପ୍ରାର୍ଥୀ ଘୋଷଣା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମେୟର କେହି ବି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି ।