କେବେ ହେବ କୋଷ୍ଟାଲ ହାଇୱେ ? ପୁଣି ବାହାରିଲାଣି କେଁ, ନୂଆ ଡିଜାଇନ୍‌କୁ ଜଗସିଂହପୁରରୁ ବିରୋଧ

ଖୋଦ୍ ବିଜେଡିର ସାଂସଦ ଓ ବିଧାୟକଙ୍କ କରୁଛନ୍ତି ବିରୋଧ ।

Coastal Highway

କଣ ହେବ କୋଷ୍ଟାଲ ହାଇେଓ୍ୱ ପ୍ରକଳ୍ପର ଭାଗ୍ୟ ? କେବେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଉପକୂଳ ରାଜପଥ ନିର୍ମାଣ କାମ ? ଡିଜାଇନ୍‌ରେ ପରିବର୍ତ୍ତନ ହେବା ପରେ ପୁଣି ଉଠିଥିବା ବିବାଦକୁ ନେଇ ଉଠିଛି ଏମିତି ପ୍ରଶ୍ନ । ଏଥର ବିବାଦ ଚିଲିକାକୁ ନେଇ ନୁହେଁ, ବିରୋଧ ଉଠିଛି ଜଗତ୍ସିଂହପୁର ଜିଲ୍ଲାରୁ । କାରଣ ପ୍ରଥମେ ୪୪୦ କିଲୋମିଟର ଦୀର୍ଘର ପ୍ରସ୍ତାବିତ ଏହି କୋଷ୍ଟାଲ୍ ହାଇୱେ ପ୍ରକଳ୍ପ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯିବାର ଥିଲା । କିନ୍ତୁ ପରିବର୍ତ୍ତିତ ଡିଜାଇନ୍ ଅନୁସାରେ ଏହା ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗିଠାରୁ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ନୂଆଗାଁ, ପାରାଦୀପ ଦେଇ ଦୀଘା ପର୍ଯ୍ୟନ୍ତ ଯିବ । ଯାହାକି ପ୍ରସ୍ତାବିତ ରାଜପଥର ଦୀର୍ଘତା ୫୮ କିଲୋମିଟର କମି ୩୮୨ କିଲୋମିଟର ରହିବ ।

ତେବେ ଏହି ପରିବର୍ତ୍ତିତ ଡିଜାଇନ୍ ଅନୁସାରେ ରାଜପଥ, ଜଗତ୍ସିଂହପୁର ଜିଲ୍ଲା ଉପକୂଳରୁ ୨୫ କିଲୋମିଟର ଭିତରକୁ ବାଲିକୁଦା ଅଞ୍ଚଳ ଦେଇ ଯାଉଥିବାରୁ ଏହାକୁ ନେଇ ବିରୋଧ ଉଠିଛି । ଏପରିକି ୯ଟି ପଞ୍ଚାୟତକୁ ନେଇ ଗଠିତ କ୍ରିୟାନୁଷ୍ଠାନ କମିଟି ଏହାକୁ ବିରୋଧ କରି ନାଉଗାଁ ତହସିଲଦାରଙ୍କ ପାଖରେ ଫେରାଦ ହୋଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୮ଟି ଗାଁ ପ୍ରଭାବିତ ହେବ । ବିଶେଷକରି ଡାବର ଗାଁର ୨୦ ପ୍ରତିଶତ ଲୋକ ଭୂମିହୀନ ହୋଇଯିବେ ବୋଲି ଅଭିଯୋଗ ହୋଇଛି । ପ୍ରକଳ୍ପ ପାଇଁ ଜନଶୁଣାଣି ବେଳେ ଲୋକଙ୍କ ଦାବି ପ୍ରତି କର୍ଣ୍ଣପାତ କରାଯାଇ ନଥିବାରୁ କୌଣସି ବି ପରିସ୍ଥିତିରେ ସଂପୃକ୍ତ ଅଞ୍ଚଳ ଦେଇ କୋଷ୍ଟାଲ ହାଇେୱେ କରାଇ ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ସବୁଠୁ ବଡ଼ କଥା ହେଉଛି କେବଳ କ୍ରିୟାନୁଷ୍ଠାନ କମିଟି ନୁହେଁ ସ୍ଥାନୀୟ ସାଂସଦ ରାଜଶ୍ରୀ ମଲ୍ଲିକ ମଧ୍ୟ ନୂଆ ଡିଜାଇନ୍‌ରେ ପ୍ରସ୍ତାବିତ ପ୍ରକଳ୍ପକୁ ଜୋରଦାର ବିରୋଧ କରିଛନ୍ତି । ନିକଟରେ ବାଲିକୁଦା-ଏରସମାଠାରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ପ୍ରକଳ୍ପର ଖୋଲାଖୋଲି ବିରୋଧ କରି, ଦରକାର ପଡ଼ିଲେ ଏହା ବିରୁଦ୍ଧରେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଥିଲେ ସାଂସଦ । ଯାହାକୁ ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ପରୋକ୍ଷରେ ପ୍ରକଳ୍ପକୁ ବିରୋଧ କରିଛନ୍ତି । ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ବିରୋଧ ନକରି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେଉ ।

୨୦୧୫ରେ ଭାରତମାଳା ପ୍ରକଳ୍ପ ଅଧିନରେ ଓଡ଼ିଶା ଉପକୂଳ ଦେଇ ସାଢ଼େ ୭ ହଜାର କୋଟିର ଏଇ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ହେଲେ ଏହା ଭିତରେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ବାଦ ବିବାଦ କାରଣରୁ କାମ ଆଗେଇ ପାରୁନି । କେବଳ ୯୦ ପ୍ରତିଶତ ସର୍ଭେ କାମ ଯାହା ଶେଷ ହୋଇଛି ସେ ଭିତରେ ପୁଣି ବର୍ତ୍ତମାନର ଏ ବିବାଦ ପ୍ରକଳ୍ପର ଅଗ୍ରଗତି ଉପରେ କି ପ୍ରଭାବ ପକାଉଛି ଦେଖିବାର କଥା ।