• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ସମରସଜ୍ଜା । ଶାସକ ବିଜେଡି ଆଗୁଆ ରଣନୀତି ଆରମ୍ଭ କରିଦେଇଛି । ଏଥିପାଇଁ ବ୍ଲକ ସ୍ତରରେ ବଡ଼ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ୪ ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ବିଜେଡିର ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଏହି ନେତା ମାନେ ବ୍ଲକ ଓ ମ୍ୟୁନିସିପାଲଟି ସ୍ତରରେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ନିର୍ବାଚନ ମଣ୍ଡଳୀର କିରିମିରା ପାଇଁ ଅତନୁ ସବ୍ୟସାଚୀ ଓ ଟୁକୁନି ସାହୁ ନିଯୁକ୍ତ ହୋଇଥିବା ବେଳେ କୋଲାବିରା ପାଇଁ ନିରଂଜନ ପୂଜାରୀ ଓ ସରୋଜ ମେହେର, ଝାରସଗୁଡ଼ା ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁ, ଲଇକେରା ପାଇଁ ପ୍ରତାପ ଦେବ ଓ ଦିବ୍ୟଶଙ୍କର ମିଶ୍ର ଏବଂ ଝାରସୁଗୁଡ଼ା ମ୍ୟୁନିସିପାଲଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରୀଆ ଓ ରିତା ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ସେପଟେ ଆଜି ବିଜେଡିର ବରିଷ୍ଠ ନେତା ଝାରସୁଗୁଡ଼ାରେ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ବରିଷ୍ଠ ନେତୃମଣ୍ଡଳୀଙ୍କ ନେତୃତ୍ୱରେ ରୁଦ୍ଧଦ୍ୱାର ବୈଠକ କରିଛି ବିଜେଡି ।

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଝାରସୁଗୁଡା ନିର୍ବାଚନମଣ୍ଡଳୀ, ପୌର ପରିଷଦ, ଝାରସୁଗୁଡା ବ୍ଲକ, କୋଲାବିରା, କିରିମିରା ଓ ଲଇକେରା ବ୍ଲକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଉପନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ବ୍ଲକସ୍ତରରେ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଚୟନ କରିଛି ।