• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୁଇ ଦୁଇଥରର ନଗରପାଳ ଥିଲେ, ନବରଙ୍ଗପୁର ର ନବକଳେବରରେ ସାମିଲ ବି ଥିଲେ । ଶାସକ ଦଳର ପାୱାରଫୁଲ ନେତା ଭାବରେ ଭାରି ଜଣାଶୁଣା ଥିଲେ । କୁହାଯାଏ ସାଧାରଣ ନିର୍ବାଚନରେ ଜିଲ୍ଲାର ୪ ଗୋଟି ବିଧାନସଭା ଆସନରୁ ତିନୋଟି ଓ ଗୋଟିଏ ଲୋକସଭା ନିର୍ବାଚନରେ ବିଜେଡ଼ି କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଥିଲା । କିନ୍ତୁ ଦଳ ଲାଗି ଆଜି ଏକପ୍ରକାର ଅଲୋଡା ହୋଇ ପଡ଼ିଛନ୍ତି ପ୍ରହଲ୍ଲାଦ ତ୍ରିପାଠୀ । ଦିନେ ପୌର କାର୍ଯ୍ୟାଳୟରେ ବସି ଲୋକଙ୍କ ଜନଶୁଣାଣି କରୁଥିଲେ, ଆଜି ନିଜେ ପୌର କାର୍ଯ୍ୟାଳୟରେ ପହଞ୍ଚି ଜଣାଇଛନ୍ତି ନିଜର ଅଭିଯୋଗ ।

କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହେଉଛି ।

ନିଜର ନୁହେଁ ବରଂ ସହରବାସୀଙ୍କର କିଛି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜନଶୁଣାଣୀରେ ପହଞ୍ଚିଥିଲେ ପ୍ରହଲ୍ଲାଦ । ସାଧାରଣ ଲୋକଙ୍କ ଲାଇନ୍‌ରେ ଛିଡ଼ା ହେବା ସହିତ ଗ୍ରୀଭାନ୍ସ ଦେଇଥିଲେ । ଏମିତି ଲାଇନ୍‌ରେ ଛିଡ଼ା ହୋଇ ଗ୍ରୀଭାନ୍ସ ଦେଉଥିବା ଦେଖିବା ପରେ ହଠାତ୍‌ କେହି କିଛି ବୁଝିପାରିନଥିଲେ । ହେଲେ ପ୍ରହଲ୍ଲାଦ ଜିଲ୍ଲାପାଳଙ୍କୁ ଯେଉଁ ଅଭିଯୋଗ ଶୁଣାଇଥିଲେ ତାହାର ସମାଧାନ ପାଇଁ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

 

ନବରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପୂର୍ବତନ ନଗରପାଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଆମର ମାର୍ଗଦର୍ଶକ ହିସାବରେ ଆସି ଗ୍ରୀଭାନ୍ସ ଦେଇଥିବା କହିଥିଲେ l କଥାରେ ଅଛି ଭାଗ୍ୟ କେତେବେଳେ ବଦଳିବ ତାହା କେହି ବି କହିପାରିବେ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପ୍ରହଲ୍ଲାଦଙ୍କ କ୍ଷେତ୍ରରେ।

(ନବରଙ୍ଗପୁରରୁ ନବଘନ ବିଷୋୟୀଙ୍କ ରିପୋର୍ଟ)