• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିଜେଡିରେ ଦିନକୁ ଦିନ ବଢିବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ଗଡ଼ ଆଉ ମଜଭୁତ୍‌ ହୋଇନାହିଁ । ଦଳୀୟ କର୍ମୀଙ୍କ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି । ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି ଥିବା ବେଳେ ଦଳ ଭିତରେ ଦେଖାଦେଇଥିବା ଅର୍ନ୍ତକନ୍ଦଳକୁ ନେଇ ଚିନ୍ତାରେ ଦଳୀୟ ନେତା ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସକୁ ନେଇ ସାରା ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ବିଜେଡି । ହେଲେ ବାଲେଶ୍ୱର ଜଳେଶ୍ୱରରେ ବିଜେଡି ଦୁଇ ଫାଳ ହୋଇଥିବା ଚର୍ଚ୍ଚା ବଢିଛି । ଗୋଟିଏ ପଟେ ରାଜ୍ୟର ମନ୍ତ୍ରୀ ତଥା ଜଳେଶ୍ୱରର ବିଧାୟକ ଅଶ୍ୱିନୀ ପାତ୍ର କଳିକାପୁର ବାବାଜୀ ମେଳାରେ ବିଜୁଙ୍କ ତିରୋଧାନ ଦିବସ ପାଳନ କରୁଥିଲେ । ଠିକ୍‌ ଏତିକି ବେଳେ ଜଳେଶ୍ୱର ବ୍ଲକ ସାଲିକୋଠାରେ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ତଥା ସମିତିସଭ୍ୟ ବ୍ରଜ ମୋହନ ପ୍ରଧାନଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ତିରୋଧାନ ଦିବସ ପାଳନ କଲେ । ଆଉ ଏହି ସଭାରେ ଯୋଗ ଦେଇଥିଲେ ଦଳର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ।

ଅଧିକ ପଢ଼ନ୍ତୁ: ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦୁଇଫାଳ !

ତେବେ ଗୋଟିଏ ଦିନରେ ଭିନ୍ନଭିନ୍ନ ଜାଗାରେ କାହିଁକି ସମାନ କାର୍ଯ୍ୟକ୍ରମର ଆୟୋଜନ ହେଲା ତାହାକୁ ନେଇ ଆଲୋଚନା ଚାଲିଥିବା ବେଳେ ଜିଲ୍ଲାରେ ଦଳୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ରହିଥିବା କୁହାଯାଉଛି । ଏମିତିକି ଧାମନଗରରେ ଯେଉଁ ପରିସ୍ଥିତିର ସାମ୍ନା କରିଥିଲା ଦଳ , ୨୦୨୪ରେ ବି ସମଦଶା ହେବ ବୋଲି ବଢିଲାଣି ଚର୍ଚ୍ଚା ।

ମନ୍ତ୍ରୀ ନିଜ ପସନ୍ଦର ଲୋକଙ୍କ କଥାରେ ମୂଳ ବିଜେଡିକୁ ଉପେକ୍ଷା କରୁଛନ୍ତି ବୋଲି ଛାତ୍ର ବିଜେଡି ସଭାପତି କାଳିଚରଣ ଦାସ ସିଧାସଳଖ ଅଭିଯୋଗ କରୁଛନ୍ତି । ଖାଲି ଏତିକି ନୁହେଁ ବରଂ ଅଶ୍ୱିନୀ ହଟାଅ, ବିଜେଡ଼ି ବଂଚାଅ ବୋଲି ନାରା ଦେଇଥିଲେ କର୍ମୀ । ଏବେ ନୁହେଁ ବରଂ ଗତ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀରେ ବିଜେଡି ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା । ବହୁ ସଂଖ୍ୟାରେ ବିଜେଡି କର୍ମୀଙ୍କୁ ନେଇ ସମିତିସଭ୍ୟ ବ୍ରଜମୋହନ ପ୍ରଧାନ ବିଜୁ ତିରୋଧାନ ଦିବସ ପାଳନ କରିଛନ୍ତି । ଯାହାର ପ୍ରଭାବ ଆସନ୍ତା ନିର୍ବାଚନରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

ସେପଟେ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । କହିଛନ୍ତି, ଦଳୀୟ ନିର୍ଦ୍ଦେଶ ଅନୁସାରେ ଆମେ କାର୍ଯ୍ୟକ୍ରମ କରିଛୁ । ଅନ୍ୟ କେଉଁଠି କିଏ କାର୍ଯ୍ୟକ୍ରମ ଆୟୋଜନ କରିଛି ସେନେଇ ଆମ ପାଖରେ କିଛି ଖବର ନାହିଁ । ଆଉ ସମାନ କଥା ଦୋହାରାଇଛନ୍ତି ବିଜେଡ଼ି ବ୍ଲକ୍‌ ସଭାପତି ।

ନିର୍ବାଚନକୁ ଆଉ ମାତ୍ର ବର୍ଷେ ରହିଲା । ଏତିକିବେଳେ ଦଳରେ ଯେମିତି ଗୋଷ୍ଠୀ କନ୍ଦଳ ହେଲାଣି ଏମିତି ସ୍ଥିତିରେ ଦଳ କେମିତି ବାଲେଶ୍ୱର ଜିଲ୍ଲାରେ ଶକ୍ତି ବୃଦ୍ଧି କରିବ ତାହାକୁ ନେଇ ବଢିଲାଣି ସନ୍ଦେହ ।

 

  • Reported by:
  • Ajit Das