• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହିତାଧିକାରୀଙ୍କୁ ନଗଦ ଭତ୍ତା ଟଙ୍କା ପ୍ରଦାନ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୀବ୍ର ବିରୋଧ । ଏହାଦ୍ୱାରା ଦୁର୍ନୀତି ଓ ବାଟମାରଣାକୁ ପ୍ରୋତ୍ସାହନ ମିଳିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ନିଷ୍ପତ୍ତିର ପୁନର୍ବିଚାର କରାଯାଉ । ତିନିଦିନ ତଳେ ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କୁ ଡିବିଟି ବଦଳରେ ନଗଦ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ବି ଜାରି ହୋଇସାରିଛି ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚା ! ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ?

ହିତାଧିକାରୀଙ୍କୁ ନଗଦ ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବଦଳାଇବାକୁ ବିଜେପିର ଦାବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ନଗଦ ଅର୍ଥ ବ୍ୟବସ୍ଥା ଦ୍ୱାରା ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି ଓ ହେରଫେର କାରଣରୁ ହିତାଧିକାରୀ ଶୋଷଣ ହେବାର ପୂର୍ବରୁ ଅନେକ ନଜିର ରହିଛି ।

ତେଣୁ ହିତାଧିକାରୀଙ୍କୁ ନଗଦ ପ୍ରଦାନ ନିଷ୍ପତ୍ତିର ପୁନର୍ବିଚାର କରାଯାଉ । ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତ୍ତି, ରାଜ୍ୟରେ ଦୁର୍ନୀତି ଓ ବାଟମାରଣାକୁ ପ୍ରୋତ୍ସାହନ ଦେବ । ଡିବିଟି ବ୍ୟବସ୍ଥା କାରଣରୁ ନକଲି ଓ ଭୂତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ଦୂର ହୋଇଛି । ତେଣୁ ଭତ୍ତା ପ୍ରଦାନ ପାଇଁ ବ୍ୟାଙ୍କ ମିତ୍ର, ଡାକ ଓ ଜନସେବା କେନ୍ଦ୍ରର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ।

ସେପଟେ ଧର୍ମେନ୍ଦ୍ରଙ୍କ ଚିଠିର ସିଧାସଳଖ ଜବାବ ନଦେଇ କୋଭିଡ ସମୟରେ ଡିବିଟି ବାହାନାରେ କେନ୍ଦ୍ର, ରାଜ୍ୟର ୨୦ ଲକ୍ଷ ହିତାଧିକାରୀଙ୍କ ଭତ୍ତା ବନ୍ଦ କରିବା ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା ଯୋଜନାରେ ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ଡିବିଟି ମାଧ୍ୟମରେ ଭତ୍ତା ପାଉଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପୂର୍ବରୁ ଡିବିଟିରେ ସାମାଜିକ ସୁରକ୍ଷା ଭତ୍ତା ମିଳୁଥିଲା । ଯେଉଁଥିରେ ପ୍ରାୟ ୧୫ ଲକ୍ଷଙ୍କୁ ଡିବିଟି ଏବଂ ୧୩ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଉଥିଲା ।

ତେବେ ଗତ ୨୧ ତାରିଖରେ ଡିବିଟି ମୋଡ୍ ପେମେଣ୍ଟକୁ ବନ୍ଦ କରିଦେଇଛନ୍ତି ରାଜ୍ୟ ସରକାର । ଏପରିକି ହିତାଧିକାରୀଙ୍କୁ ଆସନ୍ତା ମାସରୁ ନଗଦ ଟଙ୍କା ଆକାରରେ ପେନ୍‌ସନ୍ ଦେବାକୁ ନୋଟିଫିକେସନ୍ ବି ଜାରି ହୋଇଛି । ସେପଟେ ହିତାଧିକାରୀଙ୍କର ଆଧାର ସିଡିଂ ପାଇଁ ବିଭାଗ ପଦକ୍ଷେପ ନେଉଛି ।

ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ଡିବିଟି ସ୍କିମ ଲାଗୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ଭାସ୍କର ଶର୍ମାଙ୍କ ପ୍ରମୁଖ ଭୂମିକା ଥିଲା । କିନ୍ତୁ ଡିବିଟିକୁ ବନ୍ଦ କରି ନଗଦ ଭତ୍ତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଲା ପରେ ପରେ କିଛି ବିବାଦ ଦେଖାଦେଇଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ହଠାତ୍ ଭାସ୍କର ଶର୍ମାଙ୍କୁ ପରିବର୍ତ୍ତନ କରି ବର୍ତ୍ତମାନର ପଂଚାୟତିରାଜ ସଚିବ ସୁଶୀଲ ଲୋହାନୀଙ୍କୁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି ।

  • Reported by:
  • HARIHARA CHAND , KAPILENDRA PRADHAN