ଧାମନଗର ଉପନିର୍ବାଚନ; ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ।

Dhamnagar ByPolls

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନରେ ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିବେ । ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ । ସୂରଜଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭଦ୍ରକ ଜିଲ୍ଲା ବିଜେପି ସଭାପତି, ବିଜେପି ନେତା ଅଭିମନ୍ୟୁ ସେଠୀ, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିବା ସମ୍ଭାବନା ଅଛି ।

ନାମାଙ୍କନ ପାଇଁ ସୂରଜ ସକାଳୁ ନିଜ ବାସଭବନ ଛାଡ଼ିବେ । ସକାଳ ୯ଟାବେଳେ ସୂରଜ, ମାଆ ଓ ସାନ ଭଉଣୀ ତିହିଡ଼ିର ମଙ୍ଗରାଜପୁରରେ ପହଞ୍ଚି ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାପରେ ଭଦ୍ରକ ଫେରି କୁଆଁସ ବାସଭବନରେ ବାପାଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ନାମାଙ୍କନ ପାଇଁ ଯାତ୍ରା କରିବେ । ଦଳ ପକ୍ଷରୁ ଏକ ବିରାଟ ପଟୁଆର କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ: ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିପାରେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ପଞ୍ଚାୟତ, ବ୍ଲକ୍ ଓ NAC ସ୍ତରରୁ ନାଁ ଆସିଛି । ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ହିଁ ପ୍ରାର୍ଥୀ ହେବେ । ବିଜୟ ହିଁ ଏକମାତ୍ର ଆଧାର । ଆମେ ସମସ୍ତେ ଏକାଠି ଲଢେଇ କରିବୁ ବୋଲି କହିଛନ୍ତି ଧାମନଗର କଂଗ୍ରେସ ପ୍ରାର୍ଥୀ ଚୟନ କମିଟି ସଦସ୍ୟ ଜୟଦେବ ଜେନା ।

ସେପଟେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ପାଇଁ ଦଳ ପକ୍ଷରୁ ମାଆ ଭଦ୍ରକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ବିଜେଡି  ପ୍ରାର୍ଥୀ ଘୋଷଣା କରିନଥିଲେ ସୁଦ୍ଧା, ଜନ ସଂପର୍କ ପଦଯାତ୍ରା ଆଳରେ ଉପ ନିର୍ବାଚନୀ କ୍ୟାମ୍ପେନ କରିଛି । ୭ଟି ପଞ୍ଚାୟତରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷଙ୍କୁ ସାମିଲ କରିଥିଲା ଦଳ।