• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେଡି ଗଡ଼ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଗଞ୍ଜାମ ଗସ୍ତରେ ଯାଇ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳିର କୁକୁଡ଼ାଖଣ୍ଡିରେ ପ୍ରେସମିଟ କରି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦଳୀୟ ବ୍ୟାପାରରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ରହୁଛି । ବିଶେଷ ଭାବେ ଗଞ୍ଜାମ ଜିଲ୍ଲାରେ ଏନେଇ ଅଧିକ ଅଭିଯୋଗ ଆସୁଛି । 

ସେ ଅଭିଯୋଗ କରିଛନ୍ତି ଯେ, ବହୁ ସମୟରେ ପ୍ରଶାସନିକ ଅଧିକାରୀ ମାନେ ବିଜେଡି ର ଦଳୀୟ ବ୍ୟାପର ବୁଝୁଛନ୍ତି । ଏପରିକି ନିର୍ବାଚନ ବେଳେ ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ । ଯାହା ଆଦୌ ଉଚିତ୍ ନୁହେଁ । ତା’ସହ ଦାଦନ ପ୍ରସଙ୍ଗକୁ ନେଇ ବି ସରକାରଙ୍କୁ ଘେରିଛନ୍ତି ବିଜୟ । ଗଞ୍ଜାମରେ ସବୁଠୁ ଅଧିକ ଦାଦନ ରହିଛନ୍ତି ହେଲେ ସରକାରଙ୍କ ପାଖରେ ଏନେଇ ତଥ୍ୟ ନାହିଁ, କେମିତି? କରୋନା ବେଳେ କିଭଳି ସମସ୍ୟା ଗଞ୍ଜାମରେ ଦେଖାଦେଲା ତାହା ସମସ୍ତଙ୍କୁ ଜଣା । 

ଖାଲି ଏତିକି ନୁହେଁ ଗୋପାଳପୁରରେ ହଜାର ହଜାର ହେକ୍ଟର ଜମି ଚାଷୀଙ୍କଠୁ ନିଆଗଲା, କିନ୍ତୁ ଏତେ ବର୍ଷ ପରେ ବି କମ୍ପାନିଟିଏ ହେଇପାରିଲାନି । ଆସିକା ଚିନି କଳର ଅବସ୍ଥା ଶୋଚନୀୟ । ଗଞ୍ଜାମରେ ଥିବା ଅନେକ କାରଖାନା ଏବେ ଭୁସୁଡ଼ି ଗଲାଣି । ଏତେ ବର୍ଷ ଶାସନରେ କାହିଁକି ଶିଳ୍ପକୁ ଗୁରୁତ୍ୱ ଦେଲେନି ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି କହି କଟ୍ଟାକ୍ଷ କରିଛନ୍ତି ବିଜୟ । ସେପଟେ ବିଜୟ ପଟ୍ଟନାୟକଙ୍କ ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।