କାର୍ଯ୍ୟକ୍ରମ କମ୍, ମେଳି ଅଧିକ ! ରାଜ୍ୟ ଯାକ ଯାଦୁ ଭଳି ମାଡ଼ିଗଲାଣି ବିଜେଡିର ମେଳି ରାଜନୀତି । ଜୁନିୟର ଓ ସିନିୟରଙ୍କ ଗୋଷ୍ଠୀ ପାଇଁ ବିଜେଡି ଏବେ ଚର୍ଚ୍ଚାରେ । ସାଂଗଠନିକ ନିର୍ବାଚନ ପୂର୍ବରୁ ସ୍ଥିତି ଆହୁରି ବିଗିଡିପାରେ । ଗତକାଲି କଟକରେ ଜୁନିୟର ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ସେଥିରେ ଘିଅ ଢାଳିଛନ୍ତି ବରିଷ୍ଠ ନେତା ଅରୁଣ ସାହୁ ଓ ଦେବାଶିଷ ସାମନ୍ତରାୟ ।
Also Read
'ଯୁବପିଢି'ଙ୍କୁ ଦଳୀୟ ପରିଚାଳନା ଦାୟିତ୍ବ ମିଳୁ । ମେଳି କରିଥିବା ଜୁନିୟର ନେତାଙ୍କ ସପକ୍ଷରେ ବ୍ୟାଟିଂ କଲେ ସାଂସଦ ଦେବାଶିଷ ସାମନ୍ତରାୟ । ଦଳକୁ କାଲି ସକାଳେ ଆସିଥିବା ନେତା ଭାବନ୍ତୁନି ଯେ ସେମାନେ ଦଳର ସର୍ବେସର୍ବା । ଦେବାଶିଷଙ୍କ ଏଭଳି ବୟାନ ପରେ ବଢିଛି ବିଜେଡି କନ୍ଦଳ ।
ଅଧିକ ପଢ଼ନ୍ତୁ: ଚଳନ୍ତି ଇତିହାସର ଆଇନାରେ ମୋହନ ଓ ନବୀନ – କାହା ଛବି କିଭଳି ଦୃଶ୍ୟମାନ ?
ଗତକାଲି କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ । ଶୋଭାଯାତ୍ରା ପରେ ପରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ସମସ୍ତେ ଏକାଠି ବସିଥିଲେ । ବିଧାୟକ ସୁନୀଲ ମହାନ୍ତି, ଦେବୀରଞ୍ଜନ ତ୍ରିପାଠୀଙ୍କ ସମେତ ପୂର୍ବରୁ ଭୁବନେଶ୍ବର ଓ ନିକଟରେ ଗୋପାଳପୁରରେ ମେଳି କରିଥିବା ପ୍ରଣବ ବଳବନ୍ତରାୟ, ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ତେବେ କଟକ ମେୟର ସୁବାସ ସିଂ କି ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଏଥିରେ ସାମିଲ ହୋଇନଥିଲେ । ଯାହାକୁ ନେଇ ଚର୍ଚ୍ଚା ବଢିଥିବାବେଳେ ସୌଭିକ ନିଆଁରେ ଘିଅ ଢାଳି କହିଛନ୍ତି ଯୁବ ନେତୃତ୍ବର ଆବଶ୍ୟକତା ରହିଛି ଦଳରେ ।
ସାଂଗଠନିକ ନିର୍ବାଚନ ପୂର୍ବରୁ ବିଜେଡିରେ ଜୁନିୟର ଓ ସିନିୟର ଗୋଷ୍ଠୀର ଆବିର୍ଭାବ ହୋଇଛି । କିଛି ଦିନ ତଳେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭୁବନେଶ୍ବର ସରକାରୀ ବାସଭବନରେ କିଛି ବରିଷ୍ଠ ନେତା ବି ମେଳି କରିଥିଲେ । ବର୍ତ୍ତମାନ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଳ ଦାୟିତ୍ବରେ ଥିବା ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀଙ୍କ ଭଳି ନେତାଙ୍କୁ ବିରୋଧ ଏକପ୍ରକାର ଜୋର ଧରିଛି । ଏହାରି ଭିତରେ ଗତକାଲି ରାୟଗଡା ସଭାରେ ବରିଷ୍ଠ ବିଧାୟକ ଅରୁଣ ସାହୁ ତେରେଚ୍ଛା ବାଣ ମାରିଛନ୍ତି । ୨୪ ବର୍ଷ ଶାସନରେ ବିଜେଡିର ଅହଙ୍କାର ବଢିଯିବାରୁ ଦଳ ପରାଜିତ ହେଲା । ଦ୍ବନ୍ଦ୍ବ ଦୂର ହେଲେ ପୁଣି ବିଜେଡି କ୍ଷମତାକୁ ଆସିବ। ସେପଟେ ବିଜେଡି ଖୁବ୍ ଶୀଘ୍ର ସଫା ହୋଇଯିବ ଯିବ ବୋଲି ବିଜେପି କହିଥିବା ବେଳେ, ବିଜେଡି କହିଛି- ଗୋଷ୍ଠୀ କନ୍ଦଳ କିଛି ନାହିଁ । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡିର ଗୋଷ୍ଠୀ କନ୍ଦଳକୁ ଦଳପତି ମ୍ୟାନେଜ କରିବା କାଠିକର ପାଠ ।
ଗୋଟିଏ ପଟେ ମେଳି ପରେ ମେଳି ଆଉ ଅନ୍ୟପଟେ ନେତୃତ୍ବକୁ ନେଇ ପ୍ରଶ୍ନ। ଏଭଳି ସ୍ଥଳେ ବିଜେଡିର ସାଂଗଠନିକ ନିର୍ବାଚନରେ ଯୁବ ଗୋଷ୍ଠୀକୁ କେତେ ପ୍ରାଧାନ୍ୟ ମିଳୁଛି ତା ଉପରେ ନଜର।